କ୍ରିସମାସ ମାର୍କେଟରେ ମାଡିଗଲା କାର୍

ଜର୍ମାନୀରେ କ୍ରିସମାସ ମାର୍କେଟରେ ଅଭାବନୀୟ ଘଟଣା। ମାର୍କେଟରେ ଏକ କାର୍ ଦ୍ରୁତଗତିରେ ପଶି ଅନେକଙ୍କ ଉପରେ ମାଡ଼ିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ସହ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। କାରଣ ୧୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗାଡ଼ିର ଚାଳକ ସାଉଦିର ଜଣେ ୫୦ ବର୍ଷୀୟ ଡାକ୍ତର। ଜର୍ମାନୀର ମାଗଡେବର୍ଗରେ ଥିବା କ୍ରିସମାସ୍ ମାର୍କେଟରେ ଜନଗହଳି ଅଞ୍ଚଳରେ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମାଡ଼ିଯାଇଥିବା କାରର ସିସିଟିଭି ଭିଡ଼ିଓ ଫୁଟେଜ ଭାଇରାଲ ହୋଇଛି। ଡାକ୍ତରଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଡାକ୍ତର ଜର୍ମାନୀରେ ଦୁଇ ଦଶନ୍ଧି ଧରି ସ୍ଥାୟୀ ନାଗରିକ ଭାବେ ବସବାସ କରୁଥିଲେ। ସାଉଦି ଆରବ ଓ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ଆତଙ୍କି ହମଲା ବୋଲି କୁହାଯାଉଛି। ଜାଣିଶୁଣି ଲୋକଙ୍କ ଉପରେ କାର୍ ମଡ଼ାଇ ଦିଆଯାଇଛି ବୋଲି କହିଛନ୍ତି ମେଗଡେବର୍ଗ ମୁଖପାତ୍ର। ପୁଲିସ କହିଛି, ଭିଡ଼ ଭିତରେ ପ୍ରାୟ ୪ଶହ ମିଟର ଯାଏଁ ଗାଡ଼ିକୁ ଚଢ଼ାଇଦେଇଥିଲେ ଅଭିଯୁକ୍ତ ଡାକ୍ତର। ଭିଡ଼ ଭିତରେ କଳା ରଙ୍ଗର ବିଏମଡବ୍ଲୁ ଦ୍ରୁତଗତିରେ ମାଡ଼ିଯାଇଥିଲା। ଚାଳକ ପାଖରେ ଅନେକ ସୁଟକେସ୍ ଥିଲା। ଯାଞ୍ଚରେ ସେଥିରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନି। ଏଭଳି ଦୁଃଖଦ ସ୍ଥିତିରେ ସେ ଜର୍ମାନୀ ଲୋକଙ୍କ ସହ ଅଛନ୍ତି ଓ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ସାଉଦି ଆରବ ସରକାର। ଏଭଳି ଆକ୍ରମଣ ପଛରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି କି ସଂପୃକ୍ତ ଡାକ୍ତରଙ୍କ ସହ କୌଣସି ଆତଙ୍କୀ ସଂଗଠନ ସହ ଲିଂକ୍ ନାହିଁ। ତେବେ ଡାକ୍ତର କେଉଁ ଉଦ୍ଦେଶ୍ୟରେ ଏମିତି କଲେ, ପୁଲିସ ତନାଘନା ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ୮ବର୍ଷ ତଳେ ବର୍ଲିନର ଏକ କ୍ରିସମାସ୍ ମାର୍କେଟରେ ବି ଅନୁରୂପ ଘଟଣା ଘଟିଥିଲା। ଏକ ଟ୍ରକ୍ ଭିଡ଼ରେ ପଶି ଲୋକଙ୍କ ଉପରେ ମାଡ଼ିଯିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *