ଗୋଆର ଶିରଗାଁଓ ମନ୍ଦିରରେ ଦଳାଚକଟାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯେବେ ଶ୍ରଦ୍ଧାଳୁ ଗାଁରେ ଆୟୋଜିତ ଶ୍ରୀଲୈରାଇ ଦେବୀ ଯାତ୍ରାର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ। ସେତେବେଳକୁ ଅଚାନକ ଭକ୍ତଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଥିଲା। ଭୋର୍ ୪ଟାରୁ ୫ଟା ଭିତରେ ଘଟଣା ଘଟିଛି। ଲୈରାଇ ଯାତ୍ରାରେ ସାମିଲ୍ ହେବାକୁ ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ଆଗରୁ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇସାରିଥିଲା। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଥିଲେ। ଘଟଣାସ୍ଥଳ ବି ପରିଦର୍ଶନ କରିଥିଲେ। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାହାର ଯାଞ୍ଚ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ୩ ଦିନ ଲାଗି ବାତିଲ୍ କରିଦିଆଯାଇଛି। ବିଜେପି ସଭାପତି ବି ହସ୍ପିଟାଲ ଯାଇ ଆହତ ଓ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣା। ଗୋଆ କଂଗ୍ରେସ ବି ଏ ଘଟଣାପରେ ଦୁଃଖ ପ୍ରକାଶ କରିଛି। ପୀଡ଼ିତଙ୍କୁ ତତ୍କାଳ ସମସ୍ତ ସହାୟତା ଦେବାକୁ ଦାବି କରିଛି କଂଗ୍ରେସ। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଅନୁପାଳନ ହୋଇନଥିବା ନେଇ ଅଙ୍ଗୁଳି ଉଠାଇଛି କଂଗ୍ରେସ। ଗୋଆ ଫରଓ୍ୱାର୍ଡ ପାର୍ଟି ସଭାପତି ବିଜୟ ସରଦେଶାଇ ବି ଏଥିଲାଗି ପ୍ରଶାସନର ବିଫଳତାକୁ ଦାୟୀ କରିଛି। ଦଳାଚକଟା ପରେ ଘଟଣାସ୍ଥଳରେ ଫୁଲ ମାଳା, ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ିରହିଥିଲା। ଗୋଆ ପୁଲିସ କହିଛି, ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭିଡ଼ର ଗତିବିଧି ଯାଞ୍ଚ କରିବାକୁ ଡ୍ରୋନ୍ କ୍ୟାମେରା ବି ଲାଗିଥିଲା। ଯାତ୍ରାରେ ପ୍ରାୟ ୪୦ରୁ ୫୦ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ଏହି ଉତ୍ସବରେ ପରମ୍ପରା ଅନୁସାରେ ଖାଲି ପାଦରେ ଅଙ୍ଗାରରେ ଚାଲିବାର ପ୍ରଥା ରହିଛି। କିନ୍ତୁ ଗୋଟିଏ ପାର୍ଶ୍ୱରେ ଥିବା ଲୋକେ ଖସିଯିବାରୁ ଲୋକଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଥିଲା। ଆଉ ଦଳାଚକଟା ପରେ ସ୍ୱେଛାସେବୀ ଓ ସ୍ଥାନୀୟ ବାସିନ୍ଦା ଲୋକଙ୍କୁ ସୁରକ୍ଷିତ ଉଦ୍ଧାରରେ ସହଯୋଗ କରିଥିଲେ। ଲୈରାଇ ଯାତ୍ରା ଶୁକ୍ରବାରଠୁ ଆରମ୍ଭ ହୋଇଥିଲା। କିନ୍ତୁ ଶନିବାର ଭୋରରୁ ଦଳାଚକଟାରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now