ମନ୍ଦିର ହଟାଇଦେଲେ ମୁଖ୍ୟ ବିଚାରପତି!

ମନ୍ଦିର ହଟାଇଦେଲେ ମୁଖ୍ୟ ବିଚାରପତି! ସନାତନଧର୍ମକୁ କୁଠାରଘାତ କଲେ। ଏଭଳି ଖବରକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଏସକେ କୈତଙ୍କ ବିରୁଦ୍ଧରେ ଅସନ୍ତୋଷ ଝାଡ଼ିଥିଲା ବାର୍ ଆସୋସିଏସନ। କିନ୍ତୁ ଶେଷରେ ହାଇକୋର୍ଟ ରେଜିଷ୍ଟ୍ରି ଏ ବାବଦରେ ସ୍ପଷ୍ଟିକରଣ ଦେବା ପରେ ଥଣ୍ଡା ପଡ଼ିଛି ଏ ମାମଲା। ମୁଖ୍ୟ ବିଚାରପତିଙ୍କ ସରକାରୀ ବାସଭବନ ପରିସରରେ ଥିବା ଏକ ହନୁମାନ ମନ୍ଦିରକୁ ମୁଖ୍ୟ ବିଚାରପତି ଏସକେ କୈତ ହଟାଇଦେଇଥିବା ନେଇ ଆଗ ଆରୋପ ଆଣିଥିଲେ ଜଣେ ଆଇନଜୀବି ରବୀନ୍ଦ୍ରନାଥ ତ୍ରିପାଠୀ।

ଏ ନେଇ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଫେରାଦ୍ ହୋଇ ଚିଠି ଲେଖିଥିଲେ। ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ, ଲମ୍ୱା ସମୟ ଧରି ଏହି ମନ୍ଦିର ମୁଖ୍ୟ ବିଚାରପତିଙ୍କ ସରକାରୀ ବଙ୍ଗଳା ପରିସରରେ ଥିଲା। ଏପରିକି ଯେତେବେଳେ ଏହି ବଙ୍ଗଳାରେ ଜଣେ ମୁସଲିମ ମୁଖ୍ୟ ବିଚାରପତି ଥିଲେ। ସେ ବି ଏହାକୁ ଉଛେଦ କରିନଥିଲେ। ଏଭଳି ଆରୋପ ଦେଖି ମଧ୍ୟପ୍ରଦେଶ ହାଇକୋର୍ଟ ବାର୍ ଆସୋସିଏସନ ବି କିଛି ନବୁଝି ତୁରନ୍ତ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖି ତଦନ୍ତ ସହ ଆବଶ୍ୟକୀୟ ଆକ୍ସନ ଲାଗି ଦାବି କରିଥିଲେ। ବାର୍ ଆସୋସିଏସନର ଚିଠି ଅନୁସାରେ, ବାସଭବନ ପରିସରରେ ଥିବା ମନ୍ଦିରର ଐତିହାସିକ ଦୃଷ୍ଟିକୋଣରୁ ମହତ୍ତ୍ୱ ରହିଛି। ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାମ କରିଥିବା ଅନେକ ବିଚାରପତି ଯେମିତିକି ଏସଏ ବୋବଡେ, ଏଏମ ଖାନଓ୍ୱିଲକର, ହେମନ୍ତ ଗୁପ୍ତା ପ୍ରମୁଖ ବି ଏହି ମନ୍ଦିରରେ ପୂଜା କରିଛନ୍ତି। ଏ ସମସ୍ତ ବିଚାରପତି ପରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ଏପରିକି ମୁଖ୍ୟ ବିଚାରପତିଙ୍କ ଘରେ କାମ କରୁଥିବା କର୍ମଚାରୀ ବି ଏଠାରେ ପୂଜା କରୁଥିଲେ।

ସେଥିଲାଗି ଏହି ମନ୍ଦିରକୁ ଉଛେଦ କରାଯିବାର ନଥିଲା। ଏଥିଲାଗି ନା କୌଣସି ସରକାରୀ ଅନୁମତି ଥିଲା ନା କୌଣସି ସାମ୍ୱିଧାନିକ ଅର୍ଡର ରହିଥିଲା। ଏଭଳି ବ୍ୟବହାର ସନାତନ ଧର୍ମରେ ବିଶ୍ୱାସୀଙ୍କ ପ୍ରତି ବଡ଼ ଅପମାନ। ସଂପୃକ୍ତ ବିଚାରପତି ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ। ଏହା ଭଲ କଥା। କିନ୍ତୁ ମନ୍ଦିର ହଟାଇବା ଉଚିତ୍ ନଥିଲା। ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ହାଇକୋର୍ଟ ପ୍ରଶାସନ। ପ୍ରେସନୋଟରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ କହିଛନ୍ତି ଯେ, ପୂର୍ତ୍ତ ବିଭାଗ ସ୍ପଷ୍ଟ କରିଛି ଯେ, ଏମିତି କୌଣସି ମନ୍ଦିର ମୁଖ୍ୟ ବିଚାରପତିଙ୍କ ବାସଭବନ ପରିସରରେ କେବେ ବି ନଥିଲା। ଏଭଳି ଆରୋପକୁ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପ୍ରସାରଣ କରିଛି। ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦାକୁ ହାନି ପହଞ୍ଚାଇବାକୁ ପ୍ରୟାସ ହୋଇଛି। ଏଭଳି ମାନହାନୀସୂଚକ ଓ ନିରାଧାର ଖବରରେ ଲୋକେ ଭଳିଯାଆନ୍ତୁନି କହି ଲୋକଙ୍କୁ ଅପିଲ୍ କରିଛନ୍ତି ହାଇକୋର୍ଟ ପ୍ରଶାସନ। ଏହା ସିଧାସଳଖ ନ୍ୟାୟିକ ପ୍ରଶାସନରେ ହସ୍ତକ୍ଷେପ ବୋଲି ଅଭିହିତ କରାଯାଇଛି। ମିଛ, ବିଭ୍ରାନ୍ତିକର ଓ ମନ୍ଦ ଉଦେଶ୍ୟରେ ଏଭଳି ଖବର ନ୍ୟାୟାଳୟର ନିରପେକ୍ଷତା ଉପରେ ଏହା ଏକ ପ୍ରକାର ବିପଦ ବୋଲି କୁହାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *