ଜାତିଆଣ ନିର୍ଯାତନାରୁ ହରିଆଣାର ଆଇପିଏସ ପୁରନ କୁମାର ଆତ୍ମହତ୍ୟା ମାମଲାରେ ବଡ଼ ଆକ୍ସନ। ଡିଜିଙ୍କୁ ଲମ୍ୱା ଛୁଟିରେ ପଠାଇଦେଲେ ସରକାର। ଡିଜିପି ଶତୃଜିତ କପୁରଙ୍କୁ ଲମ୍ୱା ଛୁଟିରେ ପଠାଇ ଓମ୍ ପ୍ରକାଶ ସିଂଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ୧୯୯୧ ବ୍ୟାଚର ଆଇପିଏସ ଓମ୍ ପ୍ରକାଶ ସିଂ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଭିଣୋଇ। ସେପଟେ ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ହରିଆଣା ସରକାର ତମାସା ବନ୍ଦ କରନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ମୃତକଙ୍କ ପରିବାର ଉପରେ ଚାପ ପକାନ୍ତୁନି। ଅଫିସରଙ୍କୁ ଆରେଷ୍ଟ କର। ପ୍ରଧାନମନ୍ତ୍ରୀ ଆକ୍ସନ ନିଅନ୍ତୁ। ଆଇପିଏସ ପୁରନ କୁମାରଙ୍କ ମୃତ୍ୟୁକୁ ୭ ଦିନ ବିତିଗଲାଣି। କିନ୍ତୁ ଆଜି ଯାଏଁ ଶବବ୍ୟବଛେଦ ହୋଇପାରିନି। ଆଜି ସକାଳୁ ପୀଡ଼ିତଙ୍କ ପରିବାରକୁ ଭେଟି ରାହୁଲ ହରିଆଣା ସରକାରଙ୍କ ଉପରେ ବର୍ଷିଛନ୍ତି। ଦଳିତ ପରିବାରକୁ ବର୍ଷ ବର୍ଷ ଧରି ବ୍ୟବସ୍ଥାଗତ ଭେଦଭାବ ରଖି ନିର୍ଯାତନା ଦିଆଯାଉଥିଲା ବୋଲି ଆରୋପ ଲଦିଛନ୍ତି। ପୁରନଙ୍କ ମୃତ୍ୟୁ ପରେ ବି ଅସମ୍ମାନ କରାଯାଇଛି। ସେପଟେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନ ଆଇପିଏସ ପୁରନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ପରିବାରର ସବୁ ଦାବି ଅବିଳମ୍ୱେ ପୂରଣ କରାଯିବ ବୋଲି କଥା ଦେଇଛନ୍ତି ଚିରାଗ। ଜାତିଆଣ ବିଷବଳୟରେ ନିଜ ଜୀବନ ହାରିଦେଲେ ଆଇପିଏସ। ଜାତିବାଦର ବିଷ ସମାଜରେ ମିଶାଇବା କାମ ଯେଉଁମାନେ କରିଛନ୍ତି, କେହି ନିସ୍ତାର ପାଇବେନି। ଏ ଦଳିତ ପରିବାରକୁ ନ୍ୟାୟ ନ ମିଳିଲେ ଭବିଷ୍ୟତରେ କୌଣସି ଗରିବ ଦଳିତ ପରିବାର ନିଜ ପିଲାଙ୍କୁ ବଡ଼ ଅଫିସର କରାଇବାକୁ ପ୍ରୋତ୍ସାହିତ କରିବେନି। ଆଜିଯାଏ ଅନ୍ତିମ ସଂସ୍କାର ହେଲାନି। ଏହା ଅତ୍ୟନ୍ତ ବ୍ୟଥିତ କରୁଛି ସଭିଙ୍କୁ। ଏଭଳି ସ୍ଥିତିରେ ପୁରନ କୁମାର ମାମଲାର ଯାଞ୍ଚ କରୁଥିବା ଅଧିକାରୀ ସନ୍ଦୀପ ଲାଠର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଡିଜିପିଙ୍କୁ ନିର୍ମଳ ଭାବମୂର୍ତ୍ତିର ଅଫିସର କହିବା ସହ କେମିତି ପୁରନ ନିଜ ଜାତିଆଣ କାର୍ଡ ଖେଳି ଭ୍ରଷ୍ଟାଚାର କରୁଥିଲେ ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି ସନ୍ଦୀପ। ଆଉ ୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଛନ୍ତି ସନ୍ଦୀପ। ସନ୍ଦୀପ ସାଇବର ସେଲର ଇନଚାର୍ଜ ଥିଲେ। ଆଇପିଏସ ପୁରନଙ୍କୁ ଭ୍ରଷ୍ଟାଚାରୀ ଅଫିସର ବୋଲି କହିଛନ୍ତି ସନ୍ଦୀପ। ପୁରନଙ୍କ ବିରୁଦ୍ଧରେ ଦୁର୍ନୀତିର ବଡ଼ ପ୍ରମାଣ ଲାଗିଥିଲା ହାତରେ। ଗିରଫ ହେବା ଭୟରେ ସେ ସୁଇସାଇଡ୍ କରିଦେଲେ।ପୁରନଙ୍କ ପତ୍ନୀ ଆଇଏଏସ ଅମନିତ ପି କୁମାର ଶବ ବ୍ୟବଛେଦ ଲାଗି ଅନୁମତି ଦେଉନାହାନ୍ତି। ସେ ନିଜ ଦାବି ଉପରେ କାଏମ ରହିଛନ୍ତି। ସୁଇସାଇଡ୍ ନୋଟରେ ଦର୍ଶାଯାଇଥିବା ଅଫିସରଙ୍କ ବିରୁଦ୍ଧରେ ସରକାର ଆଗ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଇପିଏସ ପୁରନ ସୁଇସାଇଡ୍ ମାମଲାରୁ ହରିଆଣାରେ ମାହୋଲ ବିଗିଡ଼ିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୧୭ ହରିଆଣା ଗସ୍ତ ବାତିଲ୍ କରିଦିଆଯାଇଛି। ହରିଆଣାରେ ନାଏବ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ରାଲିକୁ ସ୍ଥଗିତ କରିଦିଆଯାଇଛ।
Naxatra News is now on Whatsapp
Join and get latest news update delivered to you via whatsapp
Join Now