ଟ୍ରେନରେ ନିଆଁ ଲାଗିଥିବାର ଗୁଜବରୁ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସରୁ ଓହ୍ଲାଇବା ବେଳେ ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ୍। ବୁଧବାର ଘଟଥିବା ଏହି ଦୁର୍ଘଟଣାରେ ଏଯାଏଁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ମୃତାହତ ସଂଖ୍ୟା ବଢ଼ିବାର ଆଶଙ୍କା ବି ରହିଛି। ଅଗ୍ନିକାଣ୍ଡ ଗୁଜବ ଅକାଳରେ ନେଇଗଲା ଜୀବନ। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବାର ଗୁଜବ ଯାତ୍ରୀଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରୀକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନରୁ ଡେଇଁପଡ଼ିଥିଲେ। କିନ୍ତୁ ସମାନ୍ତରାଳ ଟ୍ରାକରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କାରେ ଚାଲିଗଲା ଜୀବନ।
ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ସରକାର। ରେଳବିଭାଗ ବି ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ଦେଢ଼ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି। ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଭାବିତଙ୍କୁ ସମସ୍ତ ସହଯୋଗ ଯୋଗାଇଦିଆଯିବ। ରେଳଓ୍ୱେ ବୋର୍ଡକୁ ରିପୋର୍ଟ ତଲବ କରିଛନ୍ତି ରେଳମନ୍ତ୍ରୀ। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର କହିଛନ୍ତି, ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ୧୦ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କୁ ଚିହ୍ନଟ କରାଯାଇଛି। ୬ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ସହ ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କଂଗ୍ରେସ କହିଛି, ଏହା ଦୁର୍ଭାଗ୍ୟଜନକ। ଗୁଜବରୁ ଭୟରେ ନିଜ ଜୀବନ ବଞ୍ଚାଇବାକୁ ଲୋକେ ଡେଇଁବାରୁ ଏଭଳି ଘଟିଲା। ଏମିତିରେ ଦେଶରେ ଟ୍ରେନ୍ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବାରେ ସରକାରଙ୍କ ଏ ଦିଗରେ ଗମ୍ଭୀରତା ଦେଖାଯାଉନି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବା ଦରକାର। ରେଲଓ୍ୱେ ସେଫଟି କମିଶନର ଘଟଣାର ତଦନ୍ତ କରିଛନ୍ତି। ସେଣ୍ଟ୍ରାଲ ସର୍କଲର ସିଆରଏସ ବି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now