ଗଜପତି ଜିଲ୍ଲାରେ ଏଯାଏଁ ଖୋଲିନାହିଁ କପା ମଣ୍ଡି । ଫଳରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଶାଗମାଛ ଦରରେ କପା କିଣି ନେଇ ମାଲାମାଲ୍ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଋଣ କରି ଚାଷ କରିଥିବା ଚାଷୀ ଏବେ କ୍ଷତି ସହୁଛି । ଜିଲ୍ଲାରେ କପା ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପ୍ରସ୍ତାବ ଦେଇଥିଲେ ମଧ୍ୟ କଟନ କର୍ପୋରେସନ ଏହାକୁ ଗ୍ରହଣ କରିନାହିଁ ।
ଗଜପତି ଜିଲ୍ଲାରେ କପା ଚାଷର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ରାୟଗଡ, କାଶୀନଗର ଏବଂ ନୂଆଗଡ ବ୍ଲକରେ ଅଧିକ କପା ଚାଷ ହେଉଛି । ପ୍ରତିବର୍ଷ ଜିଲ୍ଲାରୁ ପ୍ରାୟ ୨୫ହଜାର କ୍ବିଣ୍ଟାଲ କପା ଅମଳ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସେହି ସମାନ ପରିମାଣର ଅମଳ ହୋଇଥିବା ଆକଳନ କରାଯାଉଛି । ହେଲେ ଏହାକୁ ବିକ୍ରି କରିବାର କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏହାର ଫାଇଦା ନେଇ ଆନ୍ଧ୍ରର ବ୍ୟବସାୟୀମାନେ ଶାଗମାଛ ଦରରେ ଏହାକୁ କିଣି ନେଉଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ମାଡରେ କିଛି କପା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରୁ ଯାହା ବର୍ତ୍ତିଯାଇଛି ତାହାକୁ ଅମଳ କରି ସାଇତି ରଖି ମଣ୍ଡି ଖୋଲିଲେ ବିକ୍ରି କରିବା ପାଇଁ ଚାହିଁ ରହିଛନ୍ତି ଚାଷୀ । ପ୍ରତିବର୍ଷ ଗଜପତି ଜିଲ୍ଲାରେ କପା ମଣ୍ଡି ଖୋଲିବା ପାଇଁ ଲୋକେ ଦାବି କରୁଥିଲେ ମଧ୍ୟ ଏହା ହୋଇପାରୁନାହିଁ । ଫଳରେ ଚାଷୀମାନେ ବାଧ୍ୟ ହୋଇ ପଡୋଶୀ ରାୟଗଡା ଜିଲ୍ଲାର ଗୁଣପୁର ମଣ୍ଡିକୁ ନେଇ କପା ବିକ୍ରି କରୁଛନ୍ତି । ଚଳିତ ବର୍ଷ ତାହା ବି ହୋଇନାହିଁ । ତେଣୁ କପା ବିକ୍ରିରେ ନାହିଁ ନଥିବା ସମସ୍ୟା ଉପୁଜୁଥିବା ଚାଷୀ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ଚାଷୀମାନେ ସାହୁକାରଙ୍କ ଠାରୁ ବିହନ, ସାର ଆଦି ଆଣଉୁଛନ୍ତି । ତେଣୁ ଅମଳ ପରେ ସାହୁକାର ଯାହା ଦର ଧାର୍ଯ୍ୟ କରୁଛି ସେହି ଦରରେ ଦେବାକୁ ବାଧ୍ୟ ହେଉଥିବା ଚାଷୀମାନେ କହିଛନ୍ତି ।
ଚାଷୀ କପା ଅମଳ କରି ସାଇତି ରଖିଥିବା ବେଳେ ସରକାର ମଣ୍ଡି ଖୋଲିନାହାନ୍ତି । ଫଳରେ ଋଣ ସୁଝିବା ଚିନ୍ତାରେ ଚାଷୀକୂଳ । ସରକାରୀ ମଣ୍ଡି ଖୋଲିନଥିବାରୁ ଆନ୍ଧ୍ର ବ୍ୟବସାୟୀମାନେ ଗାଁ କୁ ଗାଁ ବୁଲି ଚାଷୀଙ୍କ ଠାରୁ ଶାଗମାଛ ଦରରେ କିଣି ନେବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଏପରିକି କିଛି ଚାଷୀଙ୍କ ଠାରୁ ସେମାନେ କପା କିଣିନେବାରେ ସକ୍ଷମ ମଧ୍ୟ ହୋଇଛନ୍ତି । ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ କଟନ କର୍ପୋରେସନ ଏହାକୁ ଗ୍ରହଣ କରିନାହିଁ । ଚଳିତ ବର୍ଷ ଚାଷୀଙ୍କ ଠାରୁ କପା ପାରଳାଖେମୁଣ୍ଡିରେ କିଣାଯାଇ ଗୁଣପୁର ମଣ୍ଡିକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଗଜପତି ଜିଲ୍ଲାରେ ୨୨ଶହରୁ ଅଧିକ ହେକ୍ଟର ଜମିରେ କପା ଚାଷ ହେଉଛି । ତଥାପି ଜିଲ୍ଲାରେ ମଣ୍ଡି ଖୋଲାନଯାଇ ପଡୋଶୀ ଜିଲ୍ଲାର ମଣ୍ଡିକୁ ପଠାଇବା ନିଶ୍ଚିତ ଭାବେ ଏକ ବିଡମ୍ବନା । ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବଭିନ୍ନ ମହଲରେ ଦାବି ହେଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now