ସସପେଣ୍ଡ ପରେ ଦଳ ଓ ଏମଏଲସି ପଦ ଛାଡିଲେ କବିତା

ଦଳବିରୋଧୀ ଗତିବିଧି ଆରୋପରେ ବିଆରଏସରୁ ନିଲମ୍ୱିତ କେ.କବିତା ଆଜି ଦଳ ଓ ଏମଏଲସି ପଦ ବି ଛାଡ଼ିଛନ୍ତି। ହାଇଦ୍ରାବାଦରେ ପ୍ରେସମିଟ୍ କରି ହରିଶ ରାଓଙ୍କ ବିରୁଦ୍ଧରେ ବର୍ଷିଛନ୍ତି। ତାଙ୍କ ନିଲମ୍ୱନ ପଛରେ ବିଆରଏସକୁ ନିୟନ୍ତ୍ରଣ କରୁଥିବା କୋଟରୀ ଗ୍ରୁପକୁ ଦାୟୀ କରିଛନ୍ତି କବିତା। ଦାଦା ପୁଅ ଭାଇ ହରିଶ ରାଓ ଓ ସନ୍ତୋଷ ରାଓଙ୍କ ଉପରେ ଗମ୍ଭୀର ଆରୋପ ଲଦିଛନ୍ତି କବିତା। ହରିଶ ଓ ସନ୍ତୋଷଙ୍କ ଭ୍ରଷ୍ଟାଚାର ଲାଗି ହିଁ ତାଙ୍କ ବାପା କେସିଆରଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ହେଉଛି। ସେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରୁ ଆସିବା ପରେ ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ବିଆରଏସ ପତାକା ଧରି କଂଗ୍ରେସ ସରକାର ବିରୁଦ୍ଧରେ ପଛୁଆବର୍ଗ ସଂରକ୍ଷଣ ଓ ଅନ୍ୟ କାର୍ଯ୍ୟକ୍ରମ କରିଥିଲେ। ତାହେଲେ ସେ ଦଳ ବିରୋଧୀ କେମିତି ହୋଇଗଲେ ସେ ବୁଝିପାରୁନାହାନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ ଓ ହରିଶ ରାଓ ମିଶିକି ତାଙ୍କ ପରିବାରକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଛନ୍ତି। ରେଭାନ୍ତ ରେଡ୍ଡୀ କେବଳ ତାଙ୍କ ପରିବାର ସଦସ୍ୟ, କେଟିଆର ଓ କେସିଆରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ। କିନ୍ତୁ ହରିଶ ରାଓଙ୍କ ବିରୁଦ୍ଧରେ ନୁହେଁ। କାଲେଶ୍ୱରମ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଉପରେ କବିତା କହିଛନ୍ତି, ଏହି ପ୍ରକଳ୍ପ ଆରମ୍ଭ ବେଳେ ହରିଶ ରାଓ ଜଳସମ୍ପଦ ମନ୍ତ୍ରୀ ଥିଲେ। ରେଭାନ୍ତ ହରିଶଙ୍କୁ ତାହେଲେ କେମିତି ମାମଲା ପରିସରଭୁକ୍ତ କଲେନି। ହରିଶ ରାଓ କେସିଆରଙ୍କ ପରିବାରର ଶୁଭଚିନ୍ତକ ନୁହେଁ। ସେ ଡବଲ ସୁଟର ନୁହଁନ୍ତି, ବରଂ ବବଲ ସୁଟର। ବିଧାନସଭା ନିର୍ବାଚନରେ କେସିଆର ଓ କେଟିଆରଙ୍କ ବିରୁଦ୍ଧରେ କାମ କରିବାକୁ ସେ ଟଙ୍କା ଦେଇଥିଲେ। ହରିଶ ଓ ସନ୍ତୋଷଙ୍କ ଘରେ ଯେପର୍ଯ୍ୟନ୍ତ ସୁନା ଥିବ, ତେଲେଙ୍ଗାନା କେମିତି ସୁନାର ରାଜ୍ୟ ପାଲଟିବ ବୋଲି ସେ କହିଥିଲେ। ନିଜ ଭାଇ କେଟିଆରଙ୍କୁ ଆଗ ତାଙ୍କ ବିରୁଦ୍ଧରେ ଉସୁକାଯାଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ସେ କହିଥିଲେ। କିନ୍ତୁ ତାଙ୍କ ଭାଇ କେଟିଆର ଶୁଣିଲେନି କି ସାମାନ୍ୟ କଲ୍ ଟିଏ ବି କଲେନି। ସେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଷଡ଼ଯନ୍ତ୍ର ବିରୁଦ୍ଧରେ ଆପତ୍ତି କଲେ। କିନ୍ତୁ ଭାଇ କେଟିଆର ନୀରବ ରହିଲେ। ନିଜ ଭାଇ ରାମା ରାଓଙ୍କୁ ଦୁଇ ଷଡ଼ଯନ୍ତ୍ରକାରୀ ହରିଶ ଓ ସନ୍ତୋଷଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି କବିତା। ପାର୍ଟି ସୁପ୍ରିମୋ ତଥା ତାଙ୍କ ବାପା କେସିଆର ତାଙ୍କ ଆଖପାଖରେ କଅଣ ଚାଲିଛି, ତାହାପ୍ରତି ନଜର ରଖିବାକୁ ଅନୁରୋଧ କରିଛନ୍ତି କବିତା। ସେପଟେ କବିତାଙ୍କ ବିରୁଦ୍ଧରେ ହରିଶ ରାଓଙ୍କ ସମର୍ଥକ କୁଶପୁତ୍ତଳିକା ଦାହ କରି ବିଦ୍ରୋହ କରିଥିଲା ବେଳେ ହରିଶ ରାଓଙ୍କୁ ଷଡ଼ଯନ୍ତ୍ରକାରୀ ଦର୍ଶାଇ କବିତାଙ୍କ ସମର୍ଥକ କୁଶପୁତ୍ତଳିକା ଦାହ କରିଛନ୍ତି। ତେଲେଙ୍ଗାନାରେ ଏହି ହାଇ ଭୋଲଟେଜ ପଲିଟିକାଲ ଫ୍ୟାମିଲି ଡ୍ରାମା ବେଶ୍ ଚର୍ଚ୍ଚାର ବିଷୟ ସାଜିଛି। ବିଜେପି କହିଛି, କାଲେଶ୍ୱରମ ପ୍ରୋଜେକ୍ଟ ଦୁର୍ନୀତିର ଫ୍ୟାକଟ୍ରି। କେସିଆରଙ୍କ ବଂଶକୁ ଲୁଟ୍ କରିବାକୁ ଛାଡ଼ିଦିଆଗଲା। କଂଗ୍ରେସ ଏତେ ବିଳମ୍ୱରେ କାହିଁକି ସିବିଆଇକୁ ତଦନ୍ତଭାର ଦେଲା। ବିଆରଏସ ବିଧାୟକମାନେ ବି କାଲେଶ୍ୱରମ ପ୍ରୋଜେକ୍ଟ ରିପୋର୍ଟକୁ ବିଧାନସଭା ଚାଲିଥିବା ବେଳେ ଡଷ୍ଟବିନକୁ ଫିଙ୍ଗିଥିଲେ। ତେଲେଙ୍ଗାନାରେ ହାଇଭୋଲଟେଜ ପଲିଟିକାଲ ଫ୍ୟାମିଲି ଡ୍ରାମା ବିଆରଏସକୁ ଆଗକୁ କେତେ ମହଙ୍ଗା ପଡିବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *