ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟଣା- ଜୋରଦାର ତନାଘନା

ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଚାଲିଛି । ମୃତାହତର ଖବର ନଥିଲେ ମଧ୍ୟ ପ୍ରାୟ ୩ଶହ କଟେଜ୍ ଜଳିଯାଇଛି । ଟେଣ୍ଟରେ ଥିବା ଶ୍ରଦ୍ଧାଳୁଙ୍କ ସାମଗ୍ରୀ ଓ ଟଙ୍କା ପଇସା ପୋଡ଼ି ପାଉଁଶ ହୋଇଯାଇଛି । ସେକ୍ଟର ୧୯ରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରଦ୍ଧାଳୁଙ୍କ ଶିବିର ମଧ୍ୟରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ବ୍ଲାଷ୍ଟ ହେବା ଆରମ୍ଭ କରିଥିଲା । ଚାରିଆଡ଼ ଧୂଆଁମୟ ହେବା ସହ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା । କିଛି ଶ୍ରଦ୍ଧାଳୁ ନିଆଁ ଧାଁସରେ ଆହତ ହୋଇଥିବା ବେଳେ ବଡ ଧରଣର ଅଘଟଣରରୁ ଅଳ୍ପକେ ରକ୍ଷା ହୋଇଛି । କିନ୍ତୁ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ ସତ୍ତ୍ୱେ ପ୍ରାୟ ଶହେ ବର୍ଗମିଟର ଅଞ୍ଚଳ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି । ଗୀତା ପ୍ରେସର ସର୍ବାଧିକ ୧୮୦ ଟେଣ୍ଟ ପୋଡ଼ିଥିବା ବେଳେ ଟ୍ରଷ୍ଟି କୃଷ୍ଣ କୁମାର ଖେମକା କହିଛନ୍ତି, ନିଆଁ ଝୁଲ ବାହାରୁ ଟେଣ୍ଟ ଭିତରକୁ ଆସିଥିଲା । ତେବେ ଗତକାଲି ସେକ୍ଟର ୧୯ ପ୍ରଭାବିତ ହୋଇଥିବା ବେଳେ ଆଜି ସେକ୍ଟର ୫ ରାମପ୍ରସାଦାଚାର୍ଯ୍ୟ ଶିବିରରେ ସକାଳ ୧୦ଟା ବେଳେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଅବଶ୍ୟ ବାଲି ଏବଂ ପାଣି ପକେଇ ସ୍ଥାନୀୟ ଲୋକ ତୁରନ୍ତ ନିଆଁକୁ ଆୟତ କରିଥିଲେ । ଏବଂ ଅଗ୍ନିଶମ ବିଭାଗର ଡିଜି କହିଛନ୍ତି ଲୋକଙ୍କୁ ନିଆଁ ପାଇଁ ସତର୍କ କରାଯାଉଛି । ୫୩ ଫାୟାର ଷ୍ଟେସନ ଓ ୧୪ଶହ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହେଉଥିବା ବେଳେ ଘଟଣାର ଯାଞ୍ଚ ଚାଲିଛି । ତେବେ ପ୍ରାୟ ଟେଣ୍ଟ ସମ୍ମୁଖରେ ଯଜ୍ଞ ପାଇଁ କୁଣ୍ଡ ବ୍ୟବସ୍ଥା କରାଯାଇଛି । ତେଣୁ ସତର୍କ ନରହିଲେ ସମସ୍ୟା ହୋଇପାରେ ।

କୋଟି କୋଟି ଲୋକଙ୍କ ପାଇଁ ଆୟୋଜନ ହୋଇଛି। ପ୍ରାୟ ସାଢେ ୮ କୋଟି ଲୋକ ସ୍ନାନ କରି ସାରିଛନ୍ତି । ଭିଡ଼କୁ ଦେଖି ନୂଆ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ବ୍ୟକ୍ତିଗତ ଗାଡ଼ି କେହି ମେଳାସ୍ଥଳୀକୁ ଆଣିବେ ନାହିଁ ନିୟମ କରାଯାଇଛି। ଏହା ମଧ୍ୟରେ କିଛି ବ୍ୟକ୍ତିଙ୍କ ଆଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁମ୍ଭର ପବିତ୍ରତା କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ବାଗେଶ୍ୱର ଧାମ ପୀଠର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ମହାକୁମ୍ଭ ତାର ମୂଳଲକ୍ଷ୍ୟ ଠାରୁ ଦୂରେଇ ଯାଉଛି । ଏଠି ରିଲ୍ସ ପାଇଁ ବହୁତ ଲୋକ ପହଞ୍ଚୁଛନ୍ତି ରିଅଲ ପାଇଁ ନୁହେଁ । ସେପଟେ ଅଯୋଧ୍ୟା ଦର୍ଶନ ପାଇଁ ଯାଇ ସାଂସଦ ରବି କୀଶନ କହିଛନ୍ତି ଯେ,ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ କୁମ୍ଭ ସ୍ନାନ କରିବାକୁ ଯିବା କଥା । ୭୫ ବର୍ଷରେ ଏଭଳି ସଫା ପାଣି ଗଙ୍ଗାରେ କେବେ ଦେଖି ନଥିବେ। ବିରୋଧୀ ଆସିକି ସ୍ନାନ କରନ୍ତୁ ଏବଂ ଦେକିକି ଯାଆନ୍ତୁ । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ରବି କୀଶନ କହିଛନ୍ତି ସ୍ୱଚ୍ଛ ଗଙ୍ଗା ପାଇଁ ଯାହା କରାଯାଇଛି ମା’ ଗଙ୍ଗା ମୋଦିଙ୍କୁ ଆଶୀର୍ବାଦ କରୁଥିବେ । ମହାକୁମ୍ଭର ଅନେକ ବିଶେଷତ୍ୱକୁ ନେଇ ଚାରିଆଡେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଦେଶ ବିଦେଶରୁ ତୀର୍ଥଯାତ୍ରୀଙ୍କ ସୁଅ ଛୁଟିଛି । କିନ୍ତୁ ପ୍ରବଳ ଜନସମୁଦ୍ର ମଧ୍ୟରେ ନିଆଁର ତାଣ୍ଡବ । କୁମ୍ଭ ପାଇଁ ପ୍ରତିଷ୍ଠା ହୋଇଥିବା ଅସ୍ଥାୟୀ ସହରର ସୁରକ୍ଷା ବନ୍ଦୋବସ୍ତ ଉପରେ ପ୍ରଶ୍ନ ଛିଡା କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *