ମହାକୁମ୍ଭରେ ଭିଆଇପି ମେଳି: ଅଣାୟତ୍ତ ଟ୍ରାଫିକ

ମହାକୁମ୍ଭରରେ ବ୍ୟାପକ ଆୟୋଜନ ସତ୍ତ୍ୱେ ଅଣାୟତ୍ତ ଟ୍ରାଫିକ ବ୍ୟବସ୍ଥା । ଭିଭିଆଇପି ଓ ଭିଆଇପି ମେଳିରେ ରାସ୍ତାଘାଟ ଜାମ । ସଙ୍ଗମ ସ୍ଥଳିକୁ ଯିବା ପାଇଁ ଉଦିଷ୍ଟ ଥିବା ସମସ୍ତ ରାସ୍ତା ବନ୍ଦ କରାଯାଉଛି ଫଳରେ ସାଧାରଣ ତୀର୍ଥଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ରାସ୍ତା ଚାଲି ଚାଲି ଯିବାକୁ ହେଉଛି ଏବଂ ବହୁ ଅବ୍ୟବସ୍ଥାର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି ତୀର୍ଥଯାତ୍ରୀ । ସାଧାରଣ ଜନତାଙ୍କ ମଧ୍ୟରେ ଭିଆଇପିଙ୍କ ପାଇଁ କରାଯାଇଥିବା ବିଶେଷ ବ୍ୟବସ୍ଥାକୁ ନେଇ ପ୍ରବଳ ଆକ୍ରୋଶ ଓ ଅସନ୍ତୋଷ ଦେଖିବାକୁ ମିଳିଛି । ଯେଉଁ ଅସ୍ଥାୟୀ ପୋଲ ତିଆରି କରାଯାଇଛି ସେଥିରେ ମଧ୍ୟ କାର ଧରି ଭିଆଇପି ଯାଉଛନ୍ତି ଫଳରେ ତୀର୍ଥଯାତ୍ରୀଙ୍କ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । 

ଶ୍ରଦ୍ଧାଳୁଙ୍କ ଠାରୁ କାହାକୁ ମଧ୍ୟ ଏଠି ଅଧିକ ଗୁରୁତ୍ୱ ଦିଆଯିବା ଅନୁଚିତ କହିଛନ୍ତି ସମାଜବାଦି ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ । ଉତ୍ତରପ୍ରଦେଶ ସରକାର ତାଙ୍କ ଖାସ ଅତିଥିଙ୍କ ପାଇଁ ବନ୍ଦୋବସ୍ତ ଯେମିତି କରୁଛନ୍ତି ତା ଦ୍ୱାରା ବୟସ୍କ, ମହିଳା ଓ ଛୋଟ ପିଲା ହଇରାଣ ହେଉଥିବା ସେ ଅଭିଯୋଗ କରି ଏକ୍ସରେ ପୋଷ୍ଟ କରିଛନ୍ତି । ନେତା ମନ୍ତ୍ରୀ ଓ ଅଧିକାରୀ ତାଙ୍କ ପୁରା ପରିବାର ସହ କାରରେ ବସି ସଙ୍ଗମ ସ୍ଥଳୀ ଯାଏଁ ଯାଉଛନ୍ତି ଅନ୍ୟପଟେ ସାଧାରଣ ଲୋକ ୧୦/୧୨ କିଲୋମିଟର ପାଦରେ ଚାଲୁଛନ୍ତି । ଯୋଗୀ ସରକାରଙ୍କର ଏ କି ବ୍ୟବସ୍ଥା ବୋଲି ପଚାରିଛନ୍ତି ଅଖିଲେଶ । ଏବଂ ସୁବିଧା ସହ ଆସ୍ଥାର ସ୍ନାନ ପାଇଁ ପହଞ୍ଚୁଥିବା ଭିଆଇପି ପାପ ଧୋଉଛନ୍ତି ନା ଆଉ ବଢାଉଛନ୍ତି କହି କଟାକ୍ଷ କରିଛନ୍ତି ।

ସେପଟେ ୨୯ ଜାନୁଆରୀ ଅର୍ଥାତ ବୁଧବାର ମୌନି ଅମାବାସ୍ୟା ବା ମାଘ ଅମାବାସ୍ୟା ପଡ଼ୁଛି। ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସ ଦୃଷ୍ଟିରୁ ଏକ ଗୁରୁତ୍ୱପୁର୍ଣ୍ଣ ଦିନ ହୋଇଥିବା ବେଳେ ସେହି ଦିନ ସାହି ସ୍ନାନ ବା ଅମୃତ ସ୍ନାନ କରିବେ ଲକ୍ଷ ଲକ୍ଷ ଭକ୍ତ। ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ଓ ଶୃଙ୍ଖଳିତ ବ୍ୟବସ୍ଥା କରିବାକୁ ଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା କରିଛି । ଭିଆଇପି ଚଳପ୍ରଚଳରେ ସାଧାରଣ ଲୋକ ହଇରାଣ ହେଉଥିବା ଅଭିଯୋଗ ବଢିବା ପରେ ମହାକୁମ୍ଭ କ୍ଷେତ୍ରକୁ ‘ନୋ ଭିଆଇପି ଜୋନ୍’ ଭାବେ ଚିହ୍ନିତ କରାଯାଇଛି । ପାରମ୍ପରିକ ଅଖାଡା ମାନଙ୍କୁ ପୂର୍ବ ନିର୍ଦ୍ଧାରିତ ସ୍ଲଟରେ ହିଁ ପ୍ରବେଶ ଅନୁମତି ମିଳିଛି । କାର ପାର୍କିଂ ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି ।

୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ଗୋଟିଏ ସ୍ଥାନରେ କୋଟି କୋଟି ଲୋକଙ୍କ ସମାଗମ ହୋଇଛି । ପ୍ରତି ଦିନ ଲକ୍ଷ ଲକ୍ଷ ଲୋକ ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମ ସ୍ଥଳରେ ପବିତ୍ର ସ୍ନାନ କରୁଛନ୍ତି । ୨୬ ଫେବୃଆରୀରେ ଏହି ଆୟୋଜନ ସମାପ୍ତ ହେବ ।ଏହା ମଧ୍ୟରେ ୧୪ କୋଟି ୭୬ ଲକ୍ଷ ଲୋକ ପବିତ୍ର ସ୍ନାନ କରିଥିବା ସରକାର କହିଛନ୍ତି ।ଏବଂ ମୌନି ଅମାବାସ୍ୟାରେ ପ୍ରାୟ ୮/୯ କୋଟି ଶ୍ରଦ୍ଧାଳୁ ସ୍ନାନ କରିବା ଅନୁମାନ କରିଛି ପ୍ରଶାସନ । ତେବେ କୁମ୍ଭରେ ଦେଖା ଦେଇଥିବା ପ୍ରବଳ ଭିଆଇପି ସଂସ୍କୃତି ଆସ୍ଥା ଓ ଭକ୍ତିର ମହାସମାଗମକୁ ନିନ୍ଦିତ କରିଛି । ମହାକୁମ୍ଭ ସରକାରଙ୍କ ଆତ୍ମପ୍ରଚାରର ସ୍ଥଳି ନହେଉ ଏ ଚର୍ଚ୍ଚା ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *