ମଣିପୁରରୁ ହଟିବ ରାଷ୍ଟ୍ରପତି ଶାସନ!

ମଣିପୁରରେ ସରକାର କରିବାକୁ ପ୍ରକ୍ରିୟା ଆରମ୍ଭ କଲା ଏନଡିଏ। ୪୪ ବିଧାୟକଙ୍କୁ ନେଇ ସରକାର ଗଠନ ଲାଗି ଭେଟିଲା ରାଜ୍ୟପାଳଙ୍କୁ। କେନ୍ଦ୍ର ସରକାର ଫେବୃଆରୀ ୧୩ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ରାଜ୍ୟରେ ମେ ୨୦୨୩ରୁ କୁକି ଓ ମୈତେୟୀ ସମ୍ପ୍ରଦାୟ ଭିତରେ ଜାତିଆଣ ହିଂସାରୁ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସହ ହଜାର ହଜାର ଲୋକ ଘର ଛାଡ଼ିଥିଲେ। ଫେବୃଆରୀ ୯ରେ ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଏମିତିରେ ମଣିପୁର ବିଧାନସଭାର କାର୍ଯ୍ୟକାଳ ୨୦୨୭ ଯାଏ ରହିଛି। କିନ୍ତୁ ଏହାକୁ ପୂର୍ବରୁ ହିଁ ନିଲମ୍ୱିତ କରିଦିଆଯାଇଥିଲା। ଆଉ ଏବେ ମଣିପୁରରେ ପୁଣି ଥରେ ସରକାର ଗଢ଼ିବା ପ୍ରକ୍ରିୟା ତେଜ୍ ହୋଇଛି। ଏନଡିଏର ୧୦ ବିଧାୟକ ପ୍ରତିନିଧି ଟିମ୍ ସରକାର ଗଠନ ଲାଗି ଇମ୍ଫାଲରେ ଥିବା ରାଜଭବନରେ ପହଞ୍ଚିଥିଲେ। ବିଜେପିର ୮, ଏନପିପିର ଜଣେ ଓ ଜଣେ ନିର୍ଦ୍ଦଳୀୟ ବିଧାୟକ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଛନ୍ତି। ଏନଡିଏ ଦାବି କରିଛି ଯେ, ସେମାନଙ୍କ ପାଖରେ ୪୪ ବିଧାୟକଙ୍କ ସମର୍ଥନ ରହିଛି। ୪୪ ବିଧାୟକଙ୍କ ସମର୍ଥନର ଔପଚାରିକ ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଛି। ଏଥିରେ ୨୨ ବିଧାୟକଙ୍କ ଦସ୍ତଖତ ରହିଛି। ମଣିପୁରରେ ଜାରି ଥିବା ରାଜନୀତିକ ଅନିଶ୍ଚିତତା ଭିତରେ ଏକ ସ୍ଥିର ବିକଳ୍ପ ଶାସନ ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଜନତାଙ୍କ ପ୍ରତିନିଧିତ୍ୱର ସରକାର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟପାଳଙ୍କ ଆଗରେ ୧୦ ଜଣିଆ ବିଧାୟକ ପ୍ରତିନିଧି ଦଳ। କଂଗ୍ରେସକୁ ଛାଡ଼ି ୪୪ ବିଧାୟକ ମଣିପୁରରେ ସରକାର ଗଠନ ଲାଗି ପ୍ରସ୍ତୁତ ଅଛନ୍ତି। ରାଜ୍ୟପାଳ ଏ ବାବଦରେ ସାମ୍ୱିଧାନିକ ପ୍ରାବଧାନର ଅନୁସାରେ ସମୀକ୍ଷା କରି କେବେ ନିଷ୍ପତ୍ତି ନେବେ, ତା ଉପରେ ରହିଛି ସମସ୍ତଙ୍କ ନଜର। ରାଜ୍ୟପାଳ ବି କୁଆଡ଼େ ଏ ଦିଗରେ ସକରାତ୍ମକ ଥିବା କହିଛନ୍ତି ଭେଟିଥିବା ବିଧାୟକ ପ୍ରତିନିଧି ଦଳ। ଏହା ପୂର୍ବରୁ ୨୧ ବିଧାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ମଣିପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତିକୁ ସୁନିଶ୍ଚିତ ଲାଗି ଲୋକପ୍ରିୟ ସରକାର ଗଠନର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି ଚିଠିରେ ବିଜେପିର ୧୩, ଏନପିପି ପିପୁଲ୍ସ ଫ୍ରଣ୍ଟର ୩ ଜଣ ଲେଖାଏଁ ବିଧାୟକ ଓ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କ ହସ୍ତାକ୍ଷର ଥିଲା। ରାଷ୍ଟ୍ରପତି ଶାସନ ଏକ ଆପାତକାଳୀନ ପଦକ୍ଷେପ ଥିଲା। ଏହା କିନ୍ତୁ ଶେଷ ବିକଳ୍ପ ହେବା କଥା। ଯଦି ନୂଆ ଜନପ୍ରିୟ ସରକାର ଫେଲ୍ ମାରେ, ତାହେଲେ ଆଉ ଥରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବ। ଗଲା ମାର୍ଚ୍ଚରେ ସଂସଦର ବଜେଟ୍ ଅଧିବେଶନରେ କଂଗ୍ରେସ କହିଥିଲା, ଯଦି ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବାରେ କେନ୍ଦ୍ର ବିଫଳ ହେଉଛି, ତାହେଲେ ମଣିପୁରକୁ ଶାସନ କରିବାର କୌଣସି ଅଧିକାର ନାହିଁ। ୬୦ ହଜାରରୁ ଅଧିକ ଲୋକ ରିଲିଫ କ୍ୟାମ୍ପରେ ମୁଣ୍ଡ ଗୁଞ୍ଜିଛନ୍ତି। କୁକି ସମ୍ପ୍ରଦାୟ ବି ଦାବି କରୁଛି ଯେ, କେନ୍ଦ୍ର ସରକାର ଯଦି ହସ୍ତକ୍ଷେପ କରି ସ୍ଥିତିକୁ ସମ୍ଭାଳିପାରୁନାହାନ୍ତି। ତା ହେଲେ କୁକିଲ୍ୟାଣ୍ଡ ନାଁରେ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରନ୍ତୁ।ସପ୍ତାହକ ତଳେ ଶତାଧିକ ଆନ୍ଦୋଳନକାରୀ ସରକାରୀ ବସରୁ ମଣିପୁର ନାଁକୁ ହଟାଇଦେଇଥିଲେ। ଏଥିରେ ମଣିପୁର ସୁରକ୍ଷାକର୍ମୀଙ୍କ ହାତ ଥିବାର ଭିଡିଓ ଭାଇରାଲ ହୋଇଥିଲା। ସାମ୍ୱାଦିକ ମାନେ ଶିରୁଇ ଲିଲି ଉତ୍ସବକୁ କଭରେଜରେ ଯାଉଥିବା ବସକୁ ଅଟକାଇ ସୁରକ୍ଷାକର୍ମୀ ମଣିପୁର ଲେଖାଥିବା ନାଁ ଉପରେ କାଗଜ ଘୋଡ଼ାଇଦେଇଥିଲେ। ୨ ବର୍ଷ ପରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରୁଥିଲା ବେଳେ ଏହା ପଛରେ ବଡ଼ ଷଡ଼ଯନ୍ତ୍ରର ଆରୋପ ଲଦିଛି କଂଗ୍ରେସ। ବିଜେପି କହିଛି, ଭୁଲ ବୁଝାମଣା ଲାଗି ମଣିପୁରର ମର୍ଯାଦା ଓ ଗାରିମାକୁ କ୍ଷତି ପହଞ୍ଚାଇବା ଲାଗି ଅପପ୍ରୟାସ ହେଉଛି। ୧୯୬୭ରୁ ଏବେ ସୁଦ୍ଧା ମଣିପୁରରେ ୧୧ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ସର୍ବନିମ୍ନ ୪୩ ଦିନରୁ ନେଇ ସର୍ବାଧିକ ୨୭୭ ଦିନ ଯାଏଁ ରାଷ୍ଟ୍ରପତି ଶାସନ ଲାଗିଛି। ମଣିପୁର ବିଧାନସଭାରେ ମୋଟ୍ ୬୦ ଆସନ ରହିଛି। ସରକାର ଗଠନ ଲାଗି ବହୁମତ  ସଂଖ୍ୟା ୩୧ ଦରକାର।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *