ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ରାଗ..

ଗୋଆ ମେଡିକାଲ କଲେଜ ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଜବ ଠାଣି। ଜଣେ ବରିଷ୍ଠ ଡାକ୍ତରଙ୍କୁ ଦୁର୍ବ୍ୟବହାର ସହ ସସପେଣ୍ଡ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଜଣେ ଡାକ୍ତର ରୋଗୀଙ୍କୁ ଚିକିତ୍ସା ଲାଗି କୁଆଡ଼େ ବାରଣ କରିବା ସହ ଦୁର୍ବ୍ୟବହାର କରିଥିଲେ ବୋଲି ମନ୍ତ୍ରୀଙ୍କୁ ଫୋନ୍ ଯାଇଥିଲା। ଆଉ ଅଚାନକ ମେଡିକାଲ ନୀରିକ୍ଷଣରେ ପହଞ୍ଚି ରାଗି ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏପରିକି ସଂପୃକ୍ତ ଡାକ୍ତରଙ୍କୁ ମାସ୍କ ଓହ୍ଲାଇବାକୁ କହିବା ସହ କର୍ତ୍ତବ୍ୟରେ ଏଭଳି ଅବହେଳା ବିରୁଦ୍ଧରେ ଚିହିଁକି ଉଠିଥିଲେ ମନ୍ତ୍ରୀ। ଚେୟାରରେ ବସି ସାମ୍ନାରେ ଡାକ୍ତରଙ୍କୁ ବହେ ଝାଡ଼ିଥିଲେ। ଆଉ ଅନ ଦି ସ୍ପଟ୍ ହିଁ ଡାକ୍ତର ରୁଦ୍ରେଶ କୁଟ୍ଟିକାରଙ୍କୁ ସସପେଣ୍ଡ କରିଥିଲେ। ତାଙ୍କର ବିପି ବଢ଼ିବା ଆଗରୁ ତୁରନ୍ତ ତାଙ୍କ ସାମ୍ନାରୁ ଚାଲିଯିବାକୁ କହିଥିଲେ। ଶନିବାର ଏଭଳି ଘଟଣାକୁ ନେଇ ଡାକ୍ତର ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ରେସିଡେଣ୍ଟ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଡାକ୍ତରଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଓ ବ୍ୟବହାରର ବିରୋଧ ହୋଇଥିଲା। ନ୍ୟାୟ ଲାଗି ଦାବି କରିବା ସହ ସରକାରଙ୍କୁ ନିଜ ନିଷ୍ପତ୍ତିର ପୁନର୍ବିଚାର ଲାଗି ୪୮ ଘଣ୍ଟା ଅଲଡିମେଟମ ଦେଇଥିଲା ସଂଘ। କଂଗ୍ରେସ ବି ଗୋଆ ସରକାରଙ୍କ ଏଭଳି ମାନସିକତାକୁ ନେଇ ସମାଲୋଚନା କରିଥିଲା। ମନ୍ତ୍ରୀ ରାଣେ ସବୁଠୁ ଭ୍ରଷ୍ଟ, ଅହଙ୍କାରୀ ଓ ଅସ୍ଥିର ଅଟନ୍ତି। ଯଦି ଗୋଆ ସରକାର ଆବଶ୍ୟକୀୟ ଆକ୍ସନ ନେବେନି, ତାହେଲେ ମୁଖ୍ୟମନ୍ତ୍ରୀ ଅଫିସ ଘେରାଓ କରିବାକୁ ଚେତାବନୀ ଦେଇଥିଲା କଂଗ୍ରେସ। ବରିଷ୍ଠ ଡାକ୍ତରଙ୍କୁ ଏଭଳି ବ୍ୟବହାର ଓ ନିଲମ୍ୱନକୁ ନେଇ ପ୍ରତିବାଦର ସ୍ୱର ଶାଣିତ ହେବା ଦେଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ସ୍ପଷ୍ଚ କରିଛନ୍ତି, ସଂପୃକ୍ତ ଡାକ୍ତର ରୁଦ୍ରେଶ କୁଟ୍ଟିକାରଙ୍କୁ ନିଲମ୍ୱିତ କରାଯିବନି। ପ୍ରମୋଦ କହିଛନ୍ତି, ରାଜ୍ୟ ସରକାର ଓ ମେଡିକାଲ ଟିମ୍ ପ୍ରତିଟି ନାଗରିକଙ୍କୁ ଉଚ୍ଚସ୍ତର ସ୍ୱାସ୍ଥ୍ୟସେବା ଦେବାକୁ ପ୍ରତିବଦ୍ଧ । ଡାକ୍ତରଙ୍କ ନିଃସ୍ୱାର୍ଥପର ସେବାକୁ ସରକାର ସବୁବେଳେ ପ୍ରଶଂସା କରନ୍ତି। ବିବାଦ ବଢ଼ିବା ଦେଖି ମନ୍ତ୍ରୀ ରାଣେ ବି ସଫେଇ ଦେଇଛନ୍ତି ଯେ, ତାଙ୍କର ଏଭଳି ପ୍ରତିକ୍ରିୟା ରୋଗୀଙ୍କ ଅଭିଯୋଗ ଆଧାରରେ ଥିଲା। ସେ କାହାପ୍ରତି ଏମିତି ବ୍ୟବହାର ଦୋହରାଇବେନି। ତେବେ ଏଭଳି ଘଟଣା ଲାଗି ସେ କ୍ଷମା ମାଗିବେନି। ଶନିବାର ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ଏହି ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁ ଡାକ୍ତରଙ୍କୁ ମନ୍ତ୍ରୀ ବିଗିଡ଼ିଥିଲେ ଓ ତତ୍କାଳ ସସପେଣ୍ଡ କରିଥିଲେ। ସେ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲର ସିଏମଓ ରୁଦ୍ରେଶ କୁଟ୍ଟିକାର ହିଁ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *