ମଡେଲ ଚା ଓ୍ୱାଲି ସେ। ଲକ୍ଷ୍ନୌରେ ବେଶ୍ ପରିଚିତ ନାଁ। ସିମରନ ଗୁପ୍ତା କହିଲେ କମ୍ ଜାଣିବେ। କିନ୍ତୁ ମଡେଲ ଚା ଓ୍ୱାଲି କହିଲେ ଉଣା ଅଧିକେ ଜାଣନ୍ତି। ସିମରନଙ୍କୁ କିନ୍ତୁ ପୁଲିସ ବିଚ ରାସ୍ତାରେ ପିଟିବା, କପଡ଼ା ଫାଡ଼ିବା ଓ ଗାଳିଗୁଲଜର ଭିଡ଼ିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏ ଭିଡ଼ିଓ ଭାଇରାଲ ପରେ ସବୁଠି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭାଇରାଲ ଭିଡ଼ିଓରେ ଦେଖାଦେଇଛି ଯେ, ପୁଲିସ ତାଙ୍କ ଷ୍ଟଲ ଆଗରେ ଏଭଳି ବର୍ବର ଆଚରଣ କରୁଛି। ରବିବାର ରାତି ୧୨ଟାର ଏଭଳି ଘଟଣା। ଲକ୍ଷ୍ନୌର ଇଞ୍ଜିନିୟରିଂ କଲେଜ ଛକରେ ମଡେଲ ଚା ଓ୍ୱାଲି ଷ୍ଟଲରେ ପହଞ୍ଚିଥିଲା ପୁଲିସ। ସିମରନ ଅଭିଯୋଗ କରିଛନ୍ତି ଯେ, ପୁଲିସ ତାଙ୍କୁ ବଟି ମାଗିଥିଲା। ସେ ମନା କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ବାଡ଼େଇଥିଲା ପୁଲିସ। ଏପରିକି ତାଙ୍କ ପୋଷାକକୁ ଭିଡ଼ି ଚିରିବାକୁ ଉଦ୍ୟମ କରିଥିଲା। ସଂପୃକ୍ତ ପୁଲିସ କର୍ମୀଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାକୁ ଦାବି କରିଛନ୍ତି ସିମରନ। ବିଳମ୍ୱିତ ରାତିରେ ଦୋକାନ ଖୋଲିଥିବାରୁ ଏହାକୁ ବନ୍ଦ କରିବାକୁ କହିଥିଲା ପୁଲିସ। କିନ୍ତୁ ପୁଲିସ ସହ ଯୁକ୍ତିତର୍କରୁ ଏଭଳି ହୋଇଥିବ ବୋଲି ଅନେକ କହୁଛନ୍ତି। ଏ ପୁରା ଘଟଣାକ୍ରମକୁ କାରରେ ବସିଥିବା ଜଣେ ବ୍ୟକ୍ତି ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇସାରିଛି। ଗୋରଖପୁରର ସିମରନ ୨୦୧୮ରେ ମିସ୍ ଗୋରଖପୁର ପ୍ରତିଯୋଗିତାରେ ବିଜେତା ହୋଇଥିଲେ। କିନ୍ତୁ ବାପାଙ୍କ ବେମାରୀ, ଆର୍ଥିକ ଦୁଃସ୍ଥିତି ଓ ପାରିବାରିକ ବୋଝରୁ ସେ ମଡେଲିଂ ଦୁନିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। କୋଭିଡ୍ ସମୟରେ ତାଙ୍କର ଚାକିରୀ ବି ଚାଲିଗଲା। ଆଉ ଏହା ପରେ ଗ୍ରାଜୁଏଟ୍ ଚାଏଓ୍ୱାଲିଙ୍କଠୁ ସେ ପ୍ରେରଣା ପାଇଥିଲେ। ଆଗ ଗୋରଖପୁର ୟୁନିଭରସିଟି ପାଖରେ ଷ୍ଟଲ ଲଗାଇଥିଲେ ଆଉ ପରେ ଲକ୍ଷ୍ନୌରେ ମଡେଲ ଚାଏ ଓ୍ୱାଲି ନାଁରେ ନୂଆ ବିଜନେସ ଆରମ୍ଭ କରିଥିଲେ। ଆଉ କିଛି ଦିନ ଭିତରେ ତାଙ୍କ ଷ୍ଟଲ ବେଶ୍ ନାଁ କମାଇଥିଲା। ଚା ତିଆରିରୁ ନେଇ ପରସିବା ଷ୍ଟାଇଲ ଯୁବ ପୀଢ଼ିଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଦୈନିକ ସିମରନଙ୍କ ରୋଜଗାର ୩ହଜାରରୁ ୪ହଜାର ଟଙ୍କା। ତେବେ ପୁଲିସ କେଉଁ ପରିସ୍ଥିତିରେ ସିମରନଙ୍କ ସହ ଏଭଳି ବ୍ୟବହାର କଲା, ତାହା ତଦନ୍ତସାପେକ୍ଷ।

Naxatra News is now on Whatsapp
Join and get latest news update delivered to you via whatsapp
Join Now