୩୧ ବର୍ଷ ପୁରୁଣା ମାମଲାରେ ବନ୍ଧା ହେଲେ ସାଂସଦ ପପୁ ଯାଦବ। ଭଡ଼ା ଘରକୁ କବଜା କରି ରଖିଥିଲେ। ମାମଲାରେ କୋର୍ଟ ଆରେଷ୍ଟ ଓ୍ୱାରେଣ୍ଟ ଜାରି ପରେ ତାଙ୍କ ବିରୁଦ୍ଧରେ ଏଭଳି ଆକ୍ସନ ହୋଇଛି। ପୂର୍ଣ୍ଣିଆ ସାଂସଦ ପପୁଙ୍କୁ ରାତି ଅଧରେ ଗିରଫ କରାଯାଇଛି। ପପୁଙ୍କ ଉପରେ ଆରୋପ ଥିଲା ଯେ, ୧୯୯୫ରେ ପାଟନାରେ ଥିବା ଏକ ଘରକୁ କବଜା କରି ରଖିଥିଲେ। ଯେଉଁ ଘରେ ସେ ଭଡ଼ାରେ ରହୁଥିଲେ। ପପୁ ଏହି ଘରେ ଆଗ ନିଜ ଦପ୍ତର ଖୋଲିଥିଲେ। ଆଉ ଏହାକୁ ଜବରଦସ୍ତି ମାଡ଼ିବସି ଛାଡ଼ିନଥିଲେ। ଏହାକୁ ନେଇ ଘର ମାଲିକ ବିନୋଦ ବିହାରୀ ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଅଦାଲତ ପପୁଙ୍କୁ ଅନେକ ଥର ସମନ କରିଥିଲେ। କିନ୍ତୁ ସେ ଶୁଣାଣୀ ବେଳେ ଉପସ୍ଥିତ ରହୁନଥିଲେ। ଏହା ପରେ ଅଦାଲତ ତାଙ୍କ ସମ୍ପତ୍ତି ଜବତ ଲାଗି ଦୁଇ ଦିନ ତଳେ ଆଦେଶ ଦେଇଥିଲେ। ଆଉ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ପୁଲିସ ଶୁକ୍ରବାର ବିଳମ୍ୱିତ ରାତିରେ ପପୁଙ୍କୁ ଗିରଫ କରିଛି। ପପୁ ପୁଲିସ ସହ ଯୁକ୍ତି କରିଥିଲେ ଯେ, ସେ ଯଦି ଯିବେ ସକାଳେ। ହେଲେ ପୁଲିସ ଶୁଣିନଥିଲା। ଗିରଫ ପରେ ପପୁ କହିଥିଲେ, ତାଙ୍କ ସହ କଅଣ ହେବ, ତାଙ୍କୁ ଜଣା ନାହିଁ। ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ନିଟ୍ ଛାତ୍ରୀଙ୍କ ପାଇଁ ଲଢ଼େଇ କରୁଥିବାରୁ ବିହାର ସରକାର ଓ ଗୃହମନ୍ତ୍ରୀ ସମ୍ରାଟ୍ ତାଙ୍କୁ ନିରନ୍ତର ଧମକ ଦେଇଆସୁଛନ୍ତି। ପପୁଙ୍କୁ ଗିରଫ ବେଳେ ପୁଲିସ ସହ ସମର୍ଥକଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ପୁଲିସ ପପୁଙ୍କୁ ହେପାଜତକୁ ନେଇଥିଲା। ଆଜି କୋର୍ଟରେ ତାଙ୍କୁ ହାଜର କରାଯାଇଥାଆନ୍ତା। ତେବେ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଏମସିଏଚ ହସ୍ପିଟାଲ ଅଧୀକ୍ଷକ କହିଛନ୍ତି, ସର୍ଜରୀ ମୁଖ୍ୟ ସାଂସଦଙ୍କ ସ୍ୱାସ୍ଥ୍ୟପରୀକ୍ଷା କରୁଛନ୍ତି। ଅଲଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦିଆଯାଇଛି। ପରୀକ୍ଷାନୀରିକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପପୁଙ୍କୁ ଏମର୍ଜେନ୍ସି ଓ୍ୱାର୍ଡକୁ ସିଫ୍ଟ କରାଯାଇଛି। ଅଧା ରାତିରେ ଅପରେସନ ପପୁ ଯାଦବଙ୍କୁ ଆରେଷ୍ଟ କରି ଏବେ ପୁଣି ଚର୍ଚ୍ଚାରେ ସିଟି ଏସପି ଭାନୁପ୍ରତାପ ସିଂ। ଭାନୁପ୍ରତାପଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ପପୁଙ୍କ ସମର୍ଥକଙ୍କ ଦ୍ୱାରା ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଅଢ଼େଇ ଘଣ୍ଟା ଧରି ସମର୍ଥକଙ୍କ ସହ ବଚସା ଓ ବିରୋଧ ପରେ ପପୁଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ପୁଲିସ। ଏୟାରପୋର୍ଟରୁ ଯେତେବେଳେ ପପ ନିଜ ଉତ୍ତରିମନ୍ଦିରି ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହାର ମାତ୍ର କେଇ ମିନିଟ ପରେ ପୁଲିସ ଟିମ୍ ଓ୍ୱାରେଣ୍ଟକୁ କାର୍ଯ୍ୟକାରୀ ଲାଗି ତାଙ୍କ ଘରେ ପହଞ୍ଚିଥିଲା। ପପୁଙ୍କ ଗିରଫଦାରିକୁ ନେଇ ରାଜନୀତି ବି ତେଜିଛି। ପପୁ ଡ୍ରାମା କରିବାରେ ମାଷ୍ଟର। ଯାହା ଆଇନସମ୍ମତ, ତାକୁ କୋର୍ଟଙ୍କ ଆଦେଶରେ ଅନୁପାଳନ କରାଯାଉଛି ବୋଲି କହିଛି ଜେଡିୟୁ ଓ ବିଜେପି। ପପୁ ଯାଦବ ନା ଆଇନକୁ ସମ୍ମାନ ଦେଉଛନ୍ତି ନା ଅଦାଲତକୁ। ଅଧା ରାତିରେ ପପୁଙ୍କୁ ଗିରଫ ନେଇ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now