ନୀତିଶ ସରକାରଙ୍କ ନୂଆ ଇନିଂସ- ଗାନ୍ଧୀ ମୈଦାନରେ ଶପଥ ସମାରୋହ

ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦଶମ ଥର ଶପଥ ନେଇଛନ୍ତି। ଗାନ୍ଧୀ ମୈଦାନରେ ଏ ନେଇ ଭବ୍ୟ ଆୟୋଜନ ହୋଇଥିଲା। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା, ନଡ୍ଡାଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ। ତେବେ ଶପଥ ସମାରୋହ ଆଗରୁ ମଞ୍ଚରେ ବିଜେପି ସାଂସଦ ମନୋଜ ତିଓ୍ୱାରୀ ହମ୍ ହୈ ବିହାରୀ ହେ ଗୀତ ଗାଇ ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବି ଶପଥ ସମାରୋହରେ ଉପସ୍ଥିତ ଥିଲେ। ଠିକ୍ ସାଢ଼େ ୧୧ଟାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ ନୀତିଶ।  ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ପାଠ ପରେ ମୋଦିଙ୍କ ଆଶୀର୍ବାଦ ନେଇଥିଲେ ନୀତିଶ। ନୀତିଶଙ୍କ ସହ କରମର୍ଦ୍ଦନ କରି ଶୁଭେଛା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଗାନ୍ଧୀ ମୈଦାନ ଓ ନୀତିଶଙ୍କ ଶପଥ ସମାରୋହ ସବୁବେଳେ ଶୁଭ ସଂଯୋଗର ସଙ୍କେତ ହୋଇ ଆସୁଛି ବୋଲି କହିଛି ଜେଡିୟୁ। ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ବିହାରକୁ ଶାସନ ଦେଇଆସୁଥିବା ନୀତିଶଙ୍କ ଆଜିକାର ଶପଥ ଐତିହାସିକ ସାକ୍ଷୀ ସାଜିଲା। ନୀତିଶଙ୍କ ସହ ୨୫ ମନ୍ତ୍ରୀ ଶପଥ ନେଇଛନ୍ତି। ବିଜେପିର ୧୪ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ମଙ୍ଗଳ ପାଣ୍ଡେ, ଦିଲ୍ଲୀପ ଜୟସଓ୍ୱାଲ, ନୀତିନ ନବୀନ, ରାମକୃପାଳ ଯାଦବ, ସଞ୍ଜୟ ସିଂ ଟାଇଗର, ଅରୁଣ ଶଙ୍କର ପ୍ରସାଦ, ସୁରେନ୍ଦ୍ର ମେହେଟ୍ଟା, ନାରାୟଣ ପ୍ରସାଦ, ରମା ନିଷାଦ, ଲଖେନ୍ଦ୍ର ପାଶଓ୍ୱାନ, ଶ୍ରେୟସୀ ସିଂ, ପ୍ରମୋଦ ଚନ୍ଦ୍ରବଂଶୀ। ଜେଡିୟୁର ୭ ମନ୍ତ୍ରୀ ଶପଥ ନେଇଛନ୍ତି। ଜେଡିୟୁରୁ ବିଜୟ ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ଲେସି ସିଂ, ଜମା ଖାନ୍, ମଦନ ସହନୀ ଶପଥ ନେଇଛନ୍ତି। ଏଲଜେପିରୁ ଦୁଇ ମନ୍ତ୍ରୀ ସଞ୍ଜୟ କୁମାର ଓ ସଞ୍ଜୟ ସିଂ ଶପଥ ନେଇଥିଲା ବେଳେ ହାମ୍ ରୁ ଜିତନରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ ସୁମନ ଓ ଆରଏଲଏମରୁ ଦୀପକ ପ୍ରକାଶ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏକା ସାଙ୍ଗରେ  ଲେସି ସିଂ, ମଦନ ସହନି, ନୀତିନ ନବୀନ, ରାମକ୍ରିପାଲ ଯାଦବ, ସନ୍ତୋଷ ସୁମନ ଓ ସୁନୀଲ କୁମାର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୀତିଶଙ୍କ କ୍ୟାବିନେଟରେ ୪ ନୂଆ ମନ୍ତ୍ରୀ ଏଣ୍ଟ୍ରି ମାରିଛନ୍ତି। ଦିଲ୍ଲୀପ ଜୟସଓ୍ୱାଲ, ଲେସି ସିଂ, ରମା ନିଷାଦ ଓ ଶ୍ରେୟସୀ ସିଂ ନୂଆ ଭାବେ ମନ୍ତ୍ରୀ ହୋଇଛନ୍ତି। ଦିଲ୍ଲୀପ ଜୟସଓ୍ୱାଲ ବିହାର ବିଜେପି ସଭାପତି ସହ ବିଧାନ ପରିଷଦ ସଦସ୍ୟ। ବିଧାନ ପରିଷଦ କୋଟାରୁ ସେ ନୀତିଶଙ୍କ ମନ୍ତ୍ରିମଣ୍ଡଳକୁ ପୁଣି କମ୍‌ବ୍ୟାକ୍ କରିଛନ୍ତି। ଦିଲ୍ଲୀପ ମନ୍ତ୍ରୀ ହେବା ପରେ ଏବେ ବିହାର ବିଜେପି ଅଧ୍ୟକ୍ଷ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି। ଦିଲ୍ଲୀପଙ୍କ ବଦଳରେ ନୂଆ ଚେହେରା ବିହାର ବିଜେପିର କମାଣ୍ଡ ସମ୍ଭାଳିବେ। ଗୋଟିଏ ନେତା, ଗୋଟିଏ ପଦ ସିଦ୍ଧାନ୍ତ ଆଧାରରେ ବିଜେପି ଏହି ନିଷ୍ପତ୍ତି ନେବ। ଜୟସଓ୍ୱାଲ ପୂର୍ବରୁ ବି ନୀତିଶଙ୍କ କ୍ୟାବିନେଟରେ ଥିଲେ। ବିଜେପି ସଭାପତି ଥିବା ସମ୍ରାଟ ଚୌଧୁରୀ ଗଲା ବର୍ଷ ଜୁଲାଇରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀପଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ମିଳିଥିଲା। ବିହାର ବିଜେପି ଅଧ୍ୟକ୍ଷ ହେବା ପରେ ସେ ଚଳିତବର୍ଷ ଫେବୃଆରୀରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ଦଶମ ଥର ବସିବାର ରେକର୍ଡ ରଚିଲେ। ପ୍ରଥମେ ମାର୍ଚ୍ଚ ୩, ୨୦୦୦ରେ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ନଭେମ୍ୱର ୨୪, ୨୦୦୫, ନଭେମ୍ୱର ୨୬, ୨୦୧୦, ନଭେମ୍ୱର ୨୦, ୨୦୧୫, ଫେବୃଆରୀ ୨୨, ୨୦୧୫ ଶପଥ ନେଇଥିଲେ। ଜୁଲାଇ ୨୭, ୨୦୧୭ରେ ଷଷ୍ଠ ଥର, ନଭେମ୍ୱର ୧୬, ୨୦୨୦ରେ ସପ୍ତମ ଥର, ଅଗଷ୍ଟ ୧୦, ୨୦୨୨ରେ ଅଷ୍ଟମ, ଜାନୁଆରୀ ୨୮, ୨୦୨୪ରେ ନବମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *