ଅପରେସନ ସିନ୍ଦୂର ପରେ..ପ୍ରମାଣ ପଲିଟିକ୍ସ

ମଧ୍ୟରାତ୍ରିରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରି ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ। କ୍ୟାବିନେଟ୍ ବୈଠକରେ ଅପରେସନ ସିନ୍ଦୂର ସଫଳତା ଲାଗି ମନ୍ତ୍ରୀ ପରିଷଦ ଟେବୁଲ ବାଡ଼େଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିଲେ। ମୋଦିଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଦେଖାଇ ପୁରା ଦେଶ ତାଙ୍କ ସହ ଛିଡ଼ାହୋଇଛି ବୋଲି କ୍ୟାବିନେଟ୍ କହିଛି। ପ୍ରଧାନମନ୍ତ୍ରୀ ସେନାର ଭୁରି ଭୁରି ପ୍ରଶଂସା କରିଛନ୍ତି। ମିସାଇଲ ଷ୍ଟ୍ରାଇକରୁ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କୁ ଅପରେସନ ସିନ୍ଦୂର ଉପରେ ବିସ୍ତୃତ ତଥ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରୀ ଅମିତ ଶାହା ବି ସୀମାନ୍ତବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କ  ସହ ବୈଠକ କରିଥିଲେ। ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ୟୁପି, ବିହାର, ସିକ୍କିମ, ପଶ୍ଚିମବଙ୍ଗ ସମେତ ଜମ୍ମୁକଶ୍ମୀର ଓ ଲେହର ଏଲଜି ବି ଯୋଗ ଦେଇଥିଲେ। ଗୁରୁବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବା ସହ ଅପରେସନ ସିନ୍ଦୂରକୁ ନେଇ ସମସ୍ତଙ୍କ ଆଗରେ ବିସ୍ତୃତ ତଥ୍ୟ ଥୋଇବେ। ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ବି ବିଭିନ୍ନ ରାଷ୍ଟ୍ରର ଏନଏସଏଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ବାରମ୍ୱାର ଏଭଳି ଆକ୍ରମଣ ବେଳେ କଂଗ୍ରେସ ଭାରତୀୟ ସେନାକୁ ପ୍ରମାଣ ମାଗିଆସୁଥିବାରୁ ଏହାକୁ ନେଇ ପୁଣି ଟାର୍ଗେଟ କରିଛି ବିଜେପି। ଭାରତୀୟ ସେନାଙ୍କ ମନୋବଳ ଆଉ ଦୁର୍ବଳ ନ କରୁ କଂଗ୍ରେସ। ପହଲଗାଁଓ ଆତଙ୍କି ଆକ୍ରମଣରେ ପୀଡ଼ିତଙ୍କ ଆତ୍ମାକୁ କଷ୍ଟ ନଦେଉ। ଅପରେସନ ସିନ୍ଦୂର ସଫଳତା ପରେ ବି ପ୍ରମାଣ ମାଗିବାରୁ ବିରତ ରହୁନି କଂଗ୍ରେସ। କାର୍ଗିଲ ବିଜୟ ଦିବସ କଂଗ୍ରେସ ୫ ବର୍ଷ ଯାଏ ପାଳିନଥିଲା। ପାକିସ୍ତାନର କଥା ନ କହୁ କଂଗ୍ରେସ। କଂଗ୍ରେସ ନେତା ରସିଦ ଆଲଭି ପ୍ରଶ୍ନ କରିଛନ୍ତି, ଆକ୍ରମଣରେ କଅଣ କୌଣସି ଆତଙ୍କବାଦୀ ମରିଛନ୍ତି କି। ଭାରତୀୟ ସେନା ତାହା କଲେ ଯାହା ଭାରତ ସରକାର କହିଥିଲେ। ଆଉ ଥରେ ପହଲଗାଁଓର ପୁନରାବୃତ୍ତି ହେବନି ତ। ପ୍ରଧାନମନ୍ତ୍ରୀ ଯାହା କହିଥିଲେ,ତାହା ପୁରା ହୋଇଗଲା କି। ଜିଗ୍ନେଶ ମିଓ୍ୱାନୀଙ୍କ ସମେତ କର୍ଣ୍ଣାଟକ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲର ବି ସବୁଠୁ ବଡ଼ ଅସ୍ତ୍ର ଶାନ୍ତି ବୋଲି ଉଲ୍ଲେଖ କରି ଏଭଳି ଷ୍ଟ୍ରାଇକର ଆବଶ୍ୟକତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ବିଜେପି କହିଛି, ଆତଙ୍କବାଦୀଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସେନା ଯୋଗ ଦେଇଥିଲେ। ପାକିସ୍ତାନ ସେନା ବି ଏୟାରଷ୍ଟ୍ରାଇକ କଥା ସ୍ୱୀକାର କରିସାରିଛି। ତଥାପି କଂଗ୍ରେସ କେଉଁ ମୁହଁରେ ପ୍ରମାଣ ମାଗୁଛି ବୋଲି ପଚାରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହେଜାଦା ପୁନାଓ୍ୱାଲାଯ ସେପଟେ ସେନାର ସୌର୍ଯ୍ୟକୁ ନେଇ ବିରୋଧୀ ଦଳ ଜୟଗାନ କରୁଥିବା ବେଳେ କ୍ରେଡିଟ୍ ନେବା ଚକ୍କରରେ ବିଜେପି ତୁଛା ଆରୋପ ଲଦୁଥିବା କହିଛନ୍ତି ବିରୋଧୀ ଦଳ। ସେନା ଉପରେ ସମସ୍ତେ ଗର୍ବିତ। ଆତଙ୍କବାଦ ବିରୁଦ୍ଧରେ ସରକାରଙ୍କ ସମସ୍ତ ପଦକ୍ଷେପକୁ ସମର୍ଥନ ରହିଛି। ଦେଶ ଏକଜୁଟ୍ ବୋଲି କହିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଯୁଦ୍ଧ କରିବ ନା ଆତ୍ମସମର୍ପଣ ନା ବୁଝାମଣା। ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି, ପାକିସ୍ତାନ ଏହା ଉପରେ କୌଣସି ଜବାବ ଦେବନି। ଆଗକୁ ଯଦି ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ନ କରେ, ତାହେଲେ ପାକିସ୍ତାନ ବି ଚୁପ୍ ରହିବ। କିନ୍ତୁ ଏଲଓସିରେ ନିରନ୍ତର ଗୁଳିବର୍ଷା କରି ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ନେବା ସହ ୪୦ରୁ ଅଧିକଙ୍କୁ ଆହତ କରିଛି ପାକିସ୍ତାନ ସେନା। ପାକିସ୍ତାନର ଷ୍ଟକମାର୍କେଟ ବି ୫ ପ୍ରତିଶତ କ୍ରାସ୍ କରିଛି। ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଭିତରେ ବଡ଼ ଯୁଦ୍ଧର ଆଶଙ୍କା ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *