ଅପରେସନ ସିନ୍ଦୂର ଚାଲିଥିବା ବେଳେ ୧୦ ବର୍ଷର ଛୋଟ ପିଲାଟି ମହତ କାମ କରୁଥିଲା। ଫିରୋଜପୁର ତାରା ଗାଁର ୧୦ ବର୍ଷର ଶ୍ରବଣଙ୍କ କାମକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କାରଣ ଶ୍ରବଣ ସୀମାରେ ମୁତୟନ ଥିବା ଜବାନଙ୍କୁ ପାଣି କ୍ଷୀର, ଲସି ଓ ଚାହା ଦେଉଥିଲା। ଗାଁର ଲୋକଙ୍କଠୁ ଏହାକୁ ଆଦାୟ କରି ଜବାନଙ୍କୁ ଦେଉଥିଲା। ଆଉ ଏହି ନିଷ୍ଠାପର ସେବା ଓ ସମର୍ପଣ ମନୋଭାବ ପାଇଁ ମେଜର ଜେନେରାଲ ମାନରାଲଙ୍କ ଦ୍ୱାରା ସେ ପୁରଷ୍କୃତ ହୋଇଛନ୍ତି। ଶ୍ରବଣଙ୍କ ଏଭଳି ନିଃସ୍ୱାର୍ଥପର ଭାବନା ଓ ଦେଶଭକ୍ତିକୁ ଦେଖି ସେନା ତାଙ୍କୁ ଅପରେସନ ସିନ୍ଦୂରର ସବୁଠୁ କମ୍ ବୟସର ନାଗରିକ ଯୋଦ୍ଧା ଭାବେ ଘୋଷଣା କରିଛି। ଶ୍ରବଣଙ୍କୁ ପ୍ରେରଣାର ପ୍ରତୀକ ବୋଲି କହିଛି ସେନା। ଅପରେସନ ସିନ୍ଦୂର ଚାଲିଥିଲା ବେଳେ ଅସହ୍ୟ ଗରମ ହେଉଥିଲା। ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ଗାଁରେ ଧୂଳି ଓ ଗରମରେ ଅତିଷ୍ଠ ହୋଇପଡ଼ୁୂଥିଲେ ସଭିଏଁ। ଗାଁର ଏକ ଖୋଲା ପଡ଼ିଆରେ ଡେରା ପକାଇଥିବା ସୈନିକଙ୍କ ବି ସମାନ ଅବସ୍ଥା ଥିଲା। ଆଉ ଏଭଳି ପାଗରେ ବିନା ବର୍ଦ୍ଦି, ବିନା ହତିଆରରେ ବି ଯେଉଁ ସେବା ଓ ସମର୍ପଣ ଦେଖାଇଥିଲା, ସେ ହେଉଛି ୧୦ ବର୍ଷର ଶ୍ରବଣ। ଚାଷୀ ସୋନା ସିଂଙ୍କ ପୁଅ ଶ୍ରବଣ ଦୈନିକ ଜବାନଙ୍କୁ ପାଣି, ସରବତ, ଲସି, କ୍ଷୀର ଓ ଚାହା ଦେଉଥିଲା। ସେ ବଡ଼ ହେଲେ ଫଉଜରେ ଭର୍ତ୍ତି ହେବେ। କାରଣ ତାଙ୍କୁ ଡର ଲାଗେନା ବୋଲି କହିଛନ୍ତି ଶ୍ରବଣ। ଶ୍ରବଣଙ୍କ ଲାଗି ସୈନିକ କେବଳ ରକ୍ଷକ ନଥିଲେ, ବରଂ ତାଙ୍କର ଆଦର୍ଶ ଅଟନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now