ପାକିସ୍ତାନକୁ ଭାରତ ସରକାରଙ୍କର ଆଉ ଏକ ବଡ଼ ଝଟକା। OTT ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ। ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି ସେବା ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀ ମାନଙ୍କୁ ପାକିସ୍ତାନ ଫିଲ୍ମ, ୱେବ ସିରିଜ ଆଦି ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଜାତୀୟ ସୁରକ୍ଷା ଚିନ୍ତା ଏବଂ ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ବଜାୟ ରଖିବାର ଆବଶ୍ୟକତାକୁ ଉଲ୍ଲେଖ କରିଛି। ୨୦୨୫ ମେ ୮ ତାରିଖରେ ଜାରି ହୋଇଥିବା ଆନୁଷ୍ଠାନିକ ପରାମର୍ଶ, ଯାହା ଅନଲାଇନ୍ କ୍ୟୁରେଟେଡ୍ ବିଷୟବସ୍ତୁର ପ୍ରକାଶକ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥତାକାରୀ ମାନଙ୍କୁ ଉଦ୍ଦେଶ୍ୟ କରି ଜାରି ହୋଇଛି। ତାହା ଇନଫର୍ମେସନ ଟେକ୍ନୋଲୋଜି (ଇଣ୍ଟରମିଡିଆରୀ ଗାଇଡଲାଇନ୍ସ ଏବଂ ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍) ନିୟମ, ୨୦୨୧ର ଭାଗ-୩ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ଏହି ନିୟମଗୁଡିକ ସରକାରଙ୍କୁ ଅନଲାଇନ୍ ପ୍ଲାଟଫର୍ମ ଗୁଡିକ ପାଇଁ ଏକ ନୈତିକ ସଂହିତା ଲାଗୁ କରିବାର ଅଧିକାର ପ୍ରଦାନ କରିଥାଏ। ଏହି ନିୟମାବଳୀ ଅନୁଯାୟୀ, ପରାମର୍ଶରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ଓଟିଟି ପ୍ଲାଟଫର୍ମ ଏବଂ ମିଡିଆ ଷ୍ଟ୍ରିମିଂ ସେବାଗୁଡିକ ତୁରନ୍ତ ପ୍ରଭାବ ସହ ‘ପାକିସ୍ତାନରୁ ଉତ୍ପନ୍ନ ହୋଇଥିବା ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁ, ଯାହା ସବସ୍କ୍ରିପସନ୍-ଆଧାରିତ ମଡେଲରେ କିମ୍ବା ଅନ୍ୟ ଉପାୟରେ ଉପଲବ୍ଧ, ତାହାକୁ ବନ୍ଦ କରିବା ଆବଶ୍ୟକ।’ ଏହି ସମ୍ପୂର୍ଣ୍ଣ ନିର୍ଦ୍ଦେଶନାମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଆତଙ୍କବାଦୀ ଘଟଣା ଏବଂ ଚାଲିଥିବା କୂଟନୈତିକ ତିକ୍ତତା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଆସିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now