ହସ୍ପିଟାଲକୁ ହିଁ ପାର୍ଟି ଅଫିସ କରିଦେଲେ ନେତା। କାନପୁର ଜିଲ୍ଲା ବିଜେପି ସଭାପତିଙ୍କ ଗୋଡ଼ ଭାଙ୍ଗିଛି। ଏଭଳି ଅବସ୍ଥାରେ ଦଳୀୟ ଅଫିସ ଯାଇ ସମସ୍ତ କାମ ପରିଚାଳନା କରିବା ତାଙ୍କ ଲାଗି କାଠିକର ଥିଲା। ସେଥିଲାଗି ଯେଉଁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି, ସେଠାରେ ହିଁ ଦଳୀୟ ବୈଠକ କରି ଦଳର ସମସ୍ତ କାର୍ଯ୍ୟକଳାପ ପରିଚାଳନା କରୁଛନ୍ତି। କାନପୁର ଉତ୍ତର ଜିଲ୍ଲାର ଜିଲ୍ଲା ସଭାପତି ହେବାର ଦିନକ ପରେ ହିଁ ଅନୀଲ ଦୀକ୍ଷିତଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଘରେ ଥିବା ସିଡ଼ିରୁ ଖସିପଡ଼ିବାରୁ ଗୋଡ଼ ଭାଙ୍ଗିଯାଇଛି। ଆଉ ହସ୍ପିଟାଲରେ ହିଁ ନିଜର ପ୍ରଥମ ବୈଠକ ଡାକିଥିଲେ ସଭାପତି। ପେସେଣ୍ଟ କେୟାର ଓ୍ୱାର୍ଡରେ ବିଜେପି ବ୍ୟାନର ଲଗାଇ ନିଜ ଅଧ୍ୟକ୍ଷତାରେ କରିଛନ୍ତି ପ୍ରଥମ ବୈଠକ। ଯୋଗୀ ସରକାରଙ୍କ ଆଠ ବର୍ଷ ପୂର୍ତ୍ତିର ଉପଲବ୍ଧି ନେଇ କାନପୁରରେ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଆଉ ଏହାର ପ୍ରସ୍ତୁତି ଲାଗି ଅନୀଲ ହସ୍ପିଟାଲରେ ହିଁ ଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଥିଲେ। ସଫଳ ଅସ୍ତ୍ରୋପଚାର ପରେ ଦୁଇ ଦିନ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଯାଉଛନ୍ତି ଅନୀଲ। ଏହା ପରେ ଘରେ ୧୦ ଦିନ ପର୍ଯ୍ୟନ୍ତ ବେଡ୍ ରେଷ୍ଟ ନେବେ ଅନୀଲ। ମାସକ ଭିତରେ ନିଜ ଗୋଡ଼ରେ ପୁରା ଠିଆ ହେବାକୁ ସକ୍ଷମ ହେବେ। କିନ୍ତୁ ପାର୍ଟି କାମ ଅଟକିବା କଥା ନୁହେଁ ବୋଲି କହି ଆଗାମୀ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ଅନୀଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now