ଜ୍ଞାନେଶ କୁମାର ଗଣତନ୍ତ୍ର ଓ ସମ୍ୱିଧାନ ଆକ୍ରମଣକାରୀଙ୍କ ସୁରକ୍ଷା କବଚ- ରାହୁଲ ଗାନ୍ଧୀ

କିଏ ଭୋଟର ତାଲିକାରୁ ଭୋଟରଙ୍କ ନାଁକୁ ଡିଲିଟ୍ କରୁଛି। କିଏ ଓଟିପି ଜେନେରେଟ କରି ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେଉଛି। କେବଳ କର୍ଣ୍ଣାଟକ ନୁହେଁ। ପ୍ରାୟ ରାଜ୍ୟ ଯେମିତି ମହାରାଷ୍ଟ୍ର, ହରିଆଣା, ୟୁପି ଆଦି ରାଜ୍ୟରେ ଏଭଳି ସମାନ ଅବସ୍ଥାର ଉଦାହରଣ ହୋଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗଣତନ୍ତ୍ର ହତ୍ୟାକାରୀଙ୍କ ସୁରକ୍ଷା କବଚ ସାଜିଛନ୍ତି ଜ୍ଞାନେଶ କୁମାର। ଏଭଳି ସଙ୍ଗୀନ ଆରୋପ ଲଦି କର୍ଣ୍ଣାଟକର ଅଲନ୍ଦ ନିର୍ବାଚନମଣ୍ଡଳୀର ନଜିର ଥୋଇଥିଲେ ରାହୁଲ। ନା ଭୋଟର ଜାଣୁଛନ୍ତି ନା ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ। ୬ହଜାର୧୦୮ ଭୋଟ କେମିତି ଡିଲିଟ୍ ହୋଇଗଲା। ୨୦୨୩ ନିର୍ବାଚନରେ ଏଭଳି ଫନ୍ଦି କେବଳ ଅପରାଧ ନଥିଲା, ବରଂ ବିରଳ ସଂଯୋଗ ବି ଥିଲା। ତା ହେଲେ କେଉଁ ଫୋର୍ସ ପୁରା ପ୍ରକ୍ରିୟାକୁ ହାଇଜାକ୍ କରିନେଲା। କାରଣ ଅଲନ୍ଦରେ ୬୧୦୮ ଜଣଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦେବା ନେଇ ଯେଉଁ ଆବେଦନ ପଡ଼ିଥିଲା, ତାହା ଥିଲା ଛଦ୍ମବେଶୀ। ପୁରା ଥିଲା ଯୋଜନାବଦ୍ଧ ଅପରେସନ। କାରଣ ଭୋଟର ହିଁ ଆବେଦନ କରିନଥିଲେ। ସଫ୍ଟଓ୍ୱେର ବ୍ୟବହାର କରି ଆବେଦନ ହୋଇଥିଲା। କର୍ଣ୍ଣାଟକ ବାହାରର ମୋବାଇଲ ନମ୍ୱର ବ୍ୟବହାର ହୋଇଥିଲା। ଆଉ ବିଶେଷ କରି କଂଗ୍ରେସ ଭୋଟରଙ୍କୁ ଟାର୍ଗେଟ କରାଯାଇଥିଲା। ଯେଉଁ ବୁଥ୍‌ରେ କଂଗ୍ରେସ ଜିତୁଥିଲା, ନିର୍ଦ୍ଦିଷ୍ଟ ସେହି ବୁଥରୁ ଭୋଟରଙ୍କ ନାଁକୁ କଟାଯାଉଥିଲା। ଏଥିରୁ ସ୍ପଷ୍ଟ ବୁଥ୍‌ ରିଗିଂ କେମିତି ହେଉଥିଲା। ଆଉ କେଉଁଠି ୧୪ ମିନିଟରେ ୧୨ଜଣ ଭୋଟରଙ୍କ ନାଁକୁ ଡିଲିଟ୍ ହୋଇଛି। ଗୋଦାବାଇ ନାଁରେ ଫେକ୍ ଲଗଇନ୍ କରି ଏହି ଭୋଟରଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିଲା। ମାତ୍ର ୩୬ ସେକେଣ୍ଡରେ ଦୁଇଟି ଆପ୍ଲିକେସନ ଫାଇଲ୍ ସମ୍ଭବ କି। ଏ କଥା କହି ରାହୁଲ ଭୋଟ ଚୋରୀର ଆରୋପ ଲଦି ମୋଦି ସରକାର ଓ ନିର୍ବାଚନ କମିଶନଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଏହା ସହ ରାହୁଲ କହିଛନ୍ତି, ଏହା ହାଇଡ୍ରୋଜେନ ବୋମା ନୁହେଁ। ଆଗକୁ ହାଇଡ୍ରୋଜେନ୍ ବୋମା ଆସୁଛି। ଏହା କେବଳ ଦେଶର ଯୁବବର୍ଗଙ୍କୁ ସଚେତନ କରିବାକୁ ଯେ, କେମିତି ଏ ଦେଶରେ ନିର୍ବାଚନ ପରିଚାଳନା ଚାଲିଛି ଓ ବୁଥ ରିଗିଂ ହେଉଛି। ସିଇସି ଜ୍ଞାନେଶ କୁମାରଙ୍କୁ କାହିଁକି ସିଧାସଳଖ ଅଭିଯୁକ୍ତ ବୋଲି କହୁଛି, ସେ କଥା କହିଥିଲେ ରାହୁଲ।କର୍ଣ୍ଣାଟକ ଭୋଟ ଚୋରୀକୁ ନେଇ ତଦନ୍ତ ଚାଲିଛି। ୧୮ ମାସ ଭିତରେ ୧୮ ଚିଠି ଇସିଆଇଙ୍କୁ ସିଆଇଡି ପଠାଇଲାଣି। କେଉଁ ଆଇପିରୁ ଫର୍ମ ଫିଲଅପ୍ ହୋଇଛି। ଡିଭାଇସ ଡେଷ୍ଟିନେସନ ପୋର୍ଟ ଯେଉଁଠି ଆବେଦନ ପୂରଣ ହୋଇଥିଲା। ଏହା ସହ ଓଟିପି ଟ୍ରେଲସ ତଥ୍ୟ ମାଗିଛି ସିଆଇଡି। କିନ୍ତୁ ଏ ସବୁର ତଥ୍ୟ କି ଉତ୍ତର ଦେଉନାହାନ୍ତି ସିଇସି। କାରଣ ତଥ୍ୟ ଦେଲେ କେଉଁଠୁ ସବୁ ଅପରେଟ୍ ହେଉଥିଲା, ଧରାପଡ଼ିଯିବ। ସପ୍ତାହକ ଭିତରେ ଫୋନ ଡାଟା, ଓଟିପିର ବିବରଣୀ ଇସି ଦିଅନ୍ତୁ। ନଚେତ ପ୍ରମାଣ ହୋଇଯିବ, ଜ୍ଞାନେଶ କୁମାର ଗଣତନ୍ତ୍ର ଓ ସମ୍ୱିଧାନ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *