ମହାରାଷ୍ଟ୍ରର ରତ୍ନଗିରିରେ ହୋଲି ଅବସରରେ ମସଜିଦ୍ ଉପରେ ଆକ୍ରମଣ ଘଟଣାକୁ ନେଇ ଘମାସାନ ହୋଇଛି ରାଜନୀତି। ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଓ୍ୱେସି ଆରୋପ ଲଦିଛନ୍ତି ଯେ, ପୁଲିସ ଉପସ୍ଥିତିରେ ଏଭଳି ଆକ୍ରମଣ ହେଲା। ଅଥଚ ପୁଲିସ ନୀରବଦ୍ରଷ୍ଟା ସାଜିଥିଲା। ଗୋଟିଏ ସମ୍ପ୍ରଦାୟ ଜବରଦସ୍ତ ମସଜିଦରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲା ବେଳେ ପୁଲିସ ବାରଣ କରିବା ବଦଳରେ ଏହାକୁ ପ୍ରଶ୍ରୟ ଦେଇଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓଓ୍ୱେସି। ତେବେ ପୁଲିସ ଏଭଳି ଆରୋପକୁ ଖଣ୍ଡନ କରିଛି। ଏହାକୁ ଏକ ପ୍ରଥା ବୋଲି କହିଛି। ହୋଲି ଶୋଭାଯାତ୍ରାକୁ ମସଜିଦର ଦ୍ୱାରଦେଶ ଯାଏ ଅଣାଯାଏ। କାଠଗଣ୍ଡିକୁ ମସଜିଦର ଶିଡ଼ି ସହ ସ୍ପର୍ଶ କରାଯାଏ। ମହାରାଷ୍ଟ୍ରର କୋଙ୍କଣର ପରମ୍ପରା ଅଲଗା। ମଡ଼ାଚି ମିରଣୁକ ନାମରେ ଏକ ପ୍ରଥା ଚାଲିଆସିଛି। ଏହି ଶୋଭାଯାତ୍ରାରେ ମୁସଲିମ ସମୁଦାୟ ବି ଭାଗ ନେଇଥାଆନ୍ତି। ମୁସଲିମ୍ ସମ୍ପ୍ରଦାୟ ଏହି ପ୍ରଥାକୁ ନିର୍ବାହ କରନ୍ତି ଓ ନଡ଼ିଆ ବି ଅର୍ପଣ କରିଥାଆନ୍ତି। ଗଲା ୧୨ ତାରିଖର ଘଟଣା। ବଡ଼ କାଠଗଣ୍ଡିକୁ ମସଜିଦର ଶିଡ଼ିକୁ ସ୍ପର୍ଶ କରନ୍ତି। ତା ପରେ ଏହି କାଠକୁ ହୋଲି ଦହନ ଲାଗି ନିଆଯାଏ। କିନ୍ତୁ ହିନ୍ଦୁ ଗୋଷ୍ଠୀ ପକ୍ଷରୁ ସେ ଦିନ ଅଧିକ ଉତ୍ସାହିତ ହୋଇଯିବାରୁ, କାଠଗଣ୍ଡି ଅଧିକ ଭିତରକୁ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ରାଜାପୁର ପୁଲିସ ଥାନାରେ ହିନ୍ଦୁ ଗୋଷ୍ଠୀ ପକ୍ଷରୁ ୧୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ପରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ନେଇ ଅନେକ କଥା ଉଠିଥିଲା। ତେବେ ପରିସ୍ଥିତି ପୁରା ଶାନ୍ତ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now