ଦେଶର ଏକତାକୁ ଦୁର୍ବଳ କରୁଥିବା ତତ୍ତ୍ୱ, କଥାରୁ ଦୂରରେ ରୁହ। ଜାତୀୟ ଏକତା ଦିବସରେ ସତ୍ୟ, ନିଷ୍ଠା ଓ ସଂକଳ୍ପର ଶପଥ ପାଠ କରାଇ ଦେଶବାସୀଙ୍କୁ ଏଭଳି ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟିରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେନା ପ୍ୟାରେଡ୍, ସାଂସ୍କୃତିକ ପ୍ୟାରେଡ୍ ସହ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ବାହାରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ସୃଷ୍ଟି କରିବାକୁ ସମସ୍ତେ ପରିଶ୍ରମ କରିବା ଜରୁରୀ। ଏକ ଭାରତ-ଶ୍ରେଷ୍ଠ ଭାରତ ପଟେଲଙ୍କ ଲାଗି ସର୍ବୋପରି ଥିଲା। ତେବେ ଏହି ଅବସରରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି। କେମିତି ନେହେରୁଙ୍କ ଲାଗି କଶ୍ମୀରରେ ଅଲଗା ସମ୍ୱିଧାନ ହେଲା ଓ ଅଲଗା ଭାବେ ବାଣ୍ଟିଦିଆଗଲା, ତାହାର ଅବତାରଣା କରିଛନ୍ତି। ପଟେଲଙ୍କ କଥା ନ ମାନିବାରୁ କଂଗ୍ରେସ ଭୁଲ୍ ପାଇଁ ଦଶନ୍ଧି ଧରି କଶ୍ମୀର ଜଳୁଥିଲା। ପଟେଲ ଦେଶର ସଂପ୍ରୁଭତାକୁ ସବୁବେଳେ ଉପରେ ରଖୁଥିଲେ। କିନ୍ତୁ ତାଙ୍କ ପରଲୋକ ପରେ ତତ୍କାଳୀନ ସରକାର ଗମ୍ଭୀରତା ଦେଖାଇନଥିଲେ। ନକ୍ସଲବାଦ, ଆତଙ୍କବାଦ ଦେଶର ସଂପ୍ରୁଭତାକୁ ସିଧା ଆହ୍ୱାନ ଥିଲା। ପଟେଲଙ୍କ ମାର୍ଗ ଅନୁସରଣ ନ କରି ମେରୁଦଣ୍ଡବିହୀନ ନୀତି ଆପଣାଇଥିଲେ ସେତେବେଳର ସରକାର। ଏହାର ପରିଣାମ ଦେଶ ହିଂସା ଓ ରକ୍ତପାତ ଦେଖିଲା। ଅଧା କଶ୍ମୀରକୁ ପାକିସ୍ତାନକୁ ଟେକିଦିଆଗଲା। ପ୍ରାୟୋଜିତ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଗଲା। ଆତଙ୍କବାଦ ଆଗରେ ସବୁବେଳେ ନତମସ୍ତକ ରହିଥିଲା କଂଗ୍ରେସ। ଦେଶତମାମ ହୋଇଥିବା ଏକତା ଦୌଡ଼ କୋଟି କୋଟି ଭାରତୀୟଙ୍କ ଉତ୍ସାହକୁ ବଢ଼ାଇଛି। ନୂଆ ଭାରତ ଗଠନର ସଂକଳ୍ପର ଶକ୍ତି କେମିତି, ଏଥିରୁ ଅନୁଭବ କରିହେଉଛି। ଯାହା ରାଷ୍ଟ୍ରୀୟ କର୍ତ୍ତବ୍ୟ, ତାକୁ ନିଷ୍ଠାର ସହ ସମ୍ପାଦନ କଲେ ତାହା ସର୍ଦ୍ଦାର ସାହେବଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଭାରତ ଆଜି ଏକତା ଓ ପ୍ରଗତିର ବାଟରେ ଅଗ୍ରସର ହେଉଛି ବୋଲି କହିଛନ୍ତି ମୋଦି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, କଶ୍ମୀରରୁ ଧାରା ୩୭୦ ଉଛେଦ କରି ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ପଟେଲଙ୍କ ଅଖଣ୍ଡ ଭାରତକୁ ସ୍ୱପ୍ନକୁ ସାକାର କରିଥିଲେ। କଂଗ୍ରେସ ସର୍ଦ୍ଦାର ପଟେଲଙ୍କୁ ଉପଯୁକ୍ତ ସମ୍ମାନ ଦେଇନଥିଲା ବୋଲି କହିଛନ୍ତି ଅମିତ ଶାହା। ପଟେଲଙ୍କୁ ଭାରତରତ୍ନ ଦେବାକୁ ୪୧ ବର୍ଷ ଲଗାଇଦେଲା। ଜାଣିଶୁଣି ନଜରଅନ୍ଦାଜ କରାଯାଉଥିଲା। ଏପରିକି ପଟେଲଙ୍କ ଲାଗି ଗୋଟିଏ ସ୍ମାରକ ବି କରିନଥିଲା କଂଗ୍ରେସ। ସେପଟେ ଓଡ଼ିଶାରେ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ଏକତା ଦୌଡ଼କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପଟେଲଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଳିମିଶି ସଂଘବଦ୍ଧ ଭାବେ କାମ କଲେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ପଟେଲ ଏମିତି ଏକ ମହାନ ନେତା ଥିଲେ, ଯିଏ ଶତାଧିକ ରାଜାରାଜୁଡ଼ାଙ୍କୁ ଏକତା ସୂତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢ଼ିଥିଲେ। ଏହି ଦୌଡ଼ ହେଉଛି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ବାଚସ୍ପତି ଓମ୍ ବିର୍ଲା,କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସଂସଦର ସେଣ୍ଟ୍ରାଲ ହଲରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଖଡ଼ଗେ ମୋଦିଙ୍କୁ ପାଲଟା କାଉଣ୍ଟର କରିଛନ୍ତି। ସର୍ଦ୍ଦାର ପଟେଲ କହୁଥିଲେ, ଆରଏସଏସ ବା ସଂଘର ଭାଷଣରେ ସାମ୍ପ୍ରଦାୟିକତାର ବିଷ ଭରିଥିଲା। ସଂଘ କାରଣରୁ ହିଁ ଗାନ୍ଧୀଜିଙ୍କ ହତ୍ୟା ହେଲା। ଯେଉଁ ଲୋକ ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ, ସେମାନେ ଆଜି କଂଗ୍ରେସକୁ ପ୍ରଶ୍ନ ପଚାରୁଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶକୁ ଏକଜୁଟ୍ କରିବା ଭଳି ନେତା ଥିଲେ। ସମ୍ୱିଧାନ ସଭାରେ ମୌଳିକ ଅଧିକାର ସହ ଜଡ଼ିତ ନିଜର ବିଚାର ରଖିଥିଲେ ଓ ତାକୁ ସମ୍ୱିଧାନରେ ସ୍ଥାନ ବି ଦେଇଥିଲେ। ବିଜେପି ନେତା ସବୁବେଳେ କହୁଛନ୍ତି, ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ଭିତରେ ମତଭେଦ ଥିଲା। ଯେବେକି ନେହେରୁ ହିଁ ପଟେଲଙ୍କୁ ଭାରତକୁ ଏକତା କରିବାର ବିଶ୍ୱକର୍ମା କହୁଥିଲେ। ମୋଦି ସରକାର ସବୁବେଳେ ମିଛକୁ ସତ କରିବାର ପ୍ରୟାସରେ ମାତିଛନ୍ତି। ନିଜକୁ ଗୌରବାନ୍ୱିତ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରିବାରେ ଲାଗିଛନ୍ତି। ଆଜି ଗୋଟିଏ ପଟେ ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତ ଅନ୍ୟପଟେ ଇନ୍ଦିରା ଗାନ୍ଧୀଙ୍କ ବି ଜୟନ୍ତୀ। ଜଣେ ଲୌହପୁରୁଷ ତ ଜଣେ ଆଇରନ୍ ଲେଡି। ଦେଶକୁ ଏକାଠି ରଖିବା କାମ କରୁଥିଲେ ପଟେଲ ତ ଦେଶରେ ଏକତା ବଜାୟ ରଖିବାକୁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ରାଷ୍ଟ୍ରୀୟ ଏକତା ଦିବସରେ ଏକତାର ସଂକଳ୍ପ ନିଆଯାଇଛି। କିନ୍ତୁ ଏହାକୁ ତାଳ ଦେଇ ବିଜେପି ଓ କଂଗ୍ରେସ ପରସ୍ପରର ଗୋହି ଖୋଳିବାକୁ ଭୁଲିନାହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now