ମାଆ, ପତ୍ନୀ ଓ ଦୁଇ ପୁଅକୁ ଆଗ ଗୁଳି କରି ମାରିଦେଲେ। ଆଉ ତା ପରେ ଆତ୍ମହତ୍ୟା କରିଦେଲେ। ମୃତକ ହେଲେ ଅଶୋକ, ଅଜିତା, କାର୍ତ୍ତିକ, ବିଦ୍ୟାବତୀ ଓ ଦେବ। କାହାର ମୁଣ୍ଡ ତ କାହାର ଛାତିରେ ଗୁଳି ବାଜିଥିଲା। ଅଶୋକଙ୍କ ବଡ଼ ପୁଅ କାର୍ତ୍ତିକ ଦଶମରେ ଓ ସାନ ପୁଅ ଦେବ ନବମରେ ପଢ଼ୁଥିଲେ। ପରିବାର ଶାନ୍ତ ସ୍ୱଭାବର ଥିଲା। କାହା ସହ କୌଣସି ବିବାଦ ବି ନଥିଲା। ହେଲେ ମାନସିକ ଅବସାଦରେ ଥାଇ ଅଶୋକ ଏଭଳି କାଣ୍ଡ ଭିଆଇବା ଖବର ଆଲୋଡ଼ନ ସୃଷ୍ଟି କରିଛି ସାହାରନପୁରରେ। ସାହାରନପୁରର ଜନପଦରେ ସରସାଓ୍ୱା ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ହୃଦୟ ବିଦାରକ ଘଟଣା ଆଜି ଦିନ ପ୍ରାୟ ୧୨ଟା ବେଳେ ଘଟିଛି। ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଘରର ସମସ୍ତ ଗେଟ୍ ଭିତରୁ ବନ୍ଦ ଥିଲା। ଯେଉଁ କୋଠରୀରେ ଶବ ମିଳିଛି,ତାକୁ ସିଲ୍ କରିଦେଇଛି ପୁଲିସ। ଫରେନସିକ ଟିମ୍ ଯାଞ୍ଚ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ଗୁଳି ମାରିବା ପୂର୍ବରୁ ପରିବାରର ସଦସ୍ୟଙ୍କୁ ନିଶା ନଚେତ ନିଦ ବଟିକା ଦିଆଯାଇଥିଲା। ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ବର୍ଷେ ପୂର୍ବରୁ ବି ଅଶୋକ ପରିବାର ଲୋକଙ୍କୁ ଏଭଳି ନିଦ ବଟିକା ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଏ ମାମଲା ସାମ୍ନାକୁ ଆସିବାରୁ ସମସ୍ତଙ୍କର ଜୀବନ ବଞ୍ଚିଯାଇଥିଲା। ପଡୋଶୀ କହିଛନ୍ତି, ଅଶୋକ ରାଠି ପ୍ରାୟ ଦେଢ଼ ବର୍ଷ ହେଲା ମାନସିକ ଚାପରେ ଥିଲେ। ଅଶୋକଙ୍କ ଚିକିତ୍ସା ଚଣ୍ଡିଗଡ଼ରେ ଚାଲିଥିଲା। ସାଢ଼େ ୩ ବର୍ଷ ପୂର୍ବେ ଅଶୋକଙ୍କ ବାପା ସୁରେନ୍ଦ୍ର ସିଂଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହା ପରେ ବାପାଙ୍କ ଜାଗାରେ ଅଶୋକଙ୍କୁ ଅନୁକମ୍ପା ଆଧାରରେ କୋର୍ଟରେ ଅମିନ ଚାକିରୀ ମିଳିଥିଲା। ଅଶୋକ ବିଳମ୍ୱିତ ରାତିରେ ନିଜର ଜଣେ ସମ୍ପର୍କୀୟଙ୍କୁ ଓ୍ୱାଟସଅପ ମେସେଜ୍ କରିଥିଲେ। ମୋ ଦ୍ୱାରା ବଡ଼ ଭୁଲ୍ ହୋଇଯାଇଛି ବୋଲି ପଠାଇଥିଲେ ମେସେଜ୍। ଡିଆଇଜି ଆଶୀଷ ତିଓ୍ୱାରି କହିଛନ୍ତି, ଏହା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନୁହେଁ। ପଏଣ୍ଟ ବ୍ଲାଂକ ରେଞ୍ଜରୁ ଗୁଳି କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now