ଆଜିଠୁ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି ଏସଆଇଆର୍। ଏସଆଇଆର ବା ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜିଠୁ ବୁଥ୍ ସ୍ତରୀୟ ଅଫିସର ବା ବିଏଲଓ ଘରକୁ ଘର ବୁଲି ଭେରିଫିକେସନ କରିଛନ୍ତି। ଭୋଟର ତାଲିକାର ଯାଞ୍ଚ କରି ଫର୍ମ ଦେଉଛନ୍ତି। ଏଥିରେ ୫୧ କୋଟି ମତାଦାତା ସାମିଲ୍ ହେବେ। ଫେବୃଆରୀ ୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବିହାର ପରେ ଏସଆଇଆରର ଏହା ଦ୍ୱିତୀୟ ପର୍ଯ୍ୟାୟ ଅଟେ। ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଗୋଆ, ପୁଡ୍ଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଲାକ୍ଷାଦ୍ୱୀପରେ ଆଜିଠୁ ଏସଆଇଆର ଆରମ୍ଭ ହୋଇଛି। ଏଥିରୁ ତାମିଲନାଡ଼ୁ, ପୁଡ୍ଡୁଚେରୀ, କେରଳ ଓ ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବ। ସିଇସି ଜ୍ଞାନେଶ କୁମାର କହିଥିଲେ, ନଭେମ୍ୱର ୪ରୁ ଗଣନା ମାସେ ଯାଏଁ ଚାଲିବ। ଡିସେମ୍ୱରରେ ପ୍ରାରମ୍ଭିକ ମତଦାତା ତାଲିକା ଜାରି ହେବ। ଅନ୍ତିମ ତାଲିକା ଫେବୃଆରୀ ୭, ୨୦୨୬ରେ ପ୍ରକାଶ ପାଇବ। କୌଣସି ଯୋଗ୍ୟ ବିବେଚିତ ଭୋଟର ଯେମିତି ତାଲିକାରୁ ବାଦ୍ ନ ପଡ଼ନ୍ତି, ତାକୁ ସୁନିଶ୍ଚିତ କରିବ ଏସଆଇଆର୍।

ତେବେ ଏସଆଇଆର୍ ବିରୁଦ୍ଧରେ ପଶ୍ଚିମବଙ୍ଗ ସରକାର ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ପ୍ରତିବାଦ ପଦଯାତ୍ରା କରିଛନ୍ତି। ଏସଆଇଆର ଆଳରେ ଭୋଟ ଚୋରୀକୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି ଦିଦି। ଏସଆଇଆର ନାଁରେ ଯଦି କୌଣସି ଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବାକୁ ଷଡ଼ଯନ୍ତ୍ର ହେବ, ତେବେ ଏହା ଭଲ ହେବନି ବୋଲି ଚେତାଇ ଦେଇଛନ୍ତି ଦିଦି। ଦିଲ୍ଲୀ ଯାଏ ପ୍ରତିବାଦର ସ୍ୱର ଶାଣିତ ହେବ ବୋଲି କହିଛନ୍ତି ମମତା। ସେପଟେ ଏସଆଇଆର ସପକ୍ଷରେ ନର୍ଥ ୨୪ ପ୍ରଗଣାରେ ଅନୁପ୍ରବେଶକାରୀଙ୍କୁ ବାହାର କରିବାକୁ ଶୋଭାଯାତ୍ରା ବାହାର କରିଥିଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ବିଜେପି ଦାବି କରିଛି, ଏଥର ଏସଆଇଆର ଜରିଆରେ ୧.୨୦ କୋଟି ଅବୈଧ ଭୋଟର ତାଲିକାରୁ ବାହାରିବେ। ଭୋଟ ବ୍ୟାଙ୍କ ପାଇଁ ଅନୁପ୍ରବେଶକାରୀଙ୍କ ସୁରକ୍ଷାକବଚ ସାଜିଛନ୍ତି ମମତା ସରକାର। ସେପଟେ ଏସଆଇଆର ବିରୁଦ୍ଧରେ ତାମିଲନାଡ଼ୁର ସତ୍ତାଧାରୀ ଡିଏମକେ ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଏସଆଇଆର ଅସାମ୍ୱିଧାନିକ ବୋଲି ଦର୍ଶାଇଛି ଡିଏମକେ। ନିର୍ବାଚନ କମିଶନଙ୍କ ନିର୍ଦେଶକୁ ରଦ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଏସଆଇଆରର କୌଣସି ଆବଶ୍ୟକତା ନାହିଁ। ଏହା ହେଲେ ବହୁ ମାତ୍ରାରେ ଅସଲ ଯୋଗ୍ୟ ଭୋଟର ବାଦ୍ ପଡ଼ିବାର ଆଶଙ୍କା ରହିଛି। ଏସଆଇଆର ଫ୍ରି ଓ ଫେୟାର ପୋଲ୍କୁ ବାଧା ଦେବ ବୋଲି କହିଛନ୍ତି ଡିଏମକେ ମୁଖପାତ୍ର ଟିକେଏସ ଏଲାନଗୋଭାନ। ତାମିଲନାଡ଼ୁ ବିଜେପି ଏସଆଇଆର ସପକ୍ଷରେ ରାଜ୍ୟସ୍ତରୀୟ କର୍ମଶାଳା କରିଛି। ବିଜେପି କହିଛି, ଏସଆଇଆର ଏକ ସାମ୍ୱିଧାନିକ ପ୍ରକ୍ରିୟା। ଏହା ବହୁ ପୂର୍ବରୁ ହୋଇଆସୁଛି। ଚେନ୍ନାଇରେ କର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଯେତେବେଳେ ମୋଦି ଏହାକୁ କରୁଛନ୍ତି, ସେତେବେଳେ ବିରୋଧୀ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ସେଥିଲାଗି ବିଜେପିର ପ୍ରତିଟି କର୍ମକର୍ତ୍ତା ରାଷ୍ଟ୍ର ପ୍ରଥମ ଭାବନାରେ ରହି ଏସଆଇଆରକୁ ସଫଳ କରିବାକୁ ଅପିଲ୍ କରିଛନ୍ତି ବୈଜୟନ୍ତ। ଏସଆଇଆରକୁ ନେଇ ଏକ ଭୋଟ୍ ରେଜିଷ୍ଟ୍ରେସନ କ୍ୟାମ୍ପ ଆଗରେ ଡିଏମକେ ଓ ବିଜେପି କର୍ମୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ଏସଆଇଆରର ମୁଖ୍ୟ ଉଦେଶ୍ୟ। ବିଶେଷକରି ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ବାଦ୍ ଦେବା ମୁଖ୍ୟ ଟାର୍ଗେଟ ରହିଛି। ଆଉ ସମସ୍ତ ଯୋଗ୍ୟବିବେଚିତ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ସ୍ୱଛ ନିର୍ବାଚନ କରାଇବା। କିନ୍ତୁ ଏହା ଆଳରେ ସରକାରଙ୍କ ଭିତିରି ଉଦେଶ୍ୟ ଥିବା କହି ବିରୋଧୀ ନଛୋଡ଼ବନ୍ଧା।

Naxatra News is now on Whatsapp
Join and get latest news update delivered to you via whatsapp
Join Now