ବାପା ପାରିନଥିଲେ- ପୁଅ ପାରିଲା! ବିଲଡରଠୁ ୩୭ଲକ୍ଷ ଟଙ୍କା କ୍ଷତିପୂରଣ ସୁଧ ସହ ଫ୍ଲାଟ୍ ପାଇବ

 ପ୍ରପର୍ଟି ପୋଜେସନରେ ବିଳମ୍ୱ ଲାଗି ଲଢ଼ିକି ଜିତିଲା ପୁଅ। ଯେଉଁ କାମ ବାପା ଜିଇଁଥିଲା ବେଳେ କରିପାରିନଥିଲେ। ବାପାଙ୍କ ବିୟୋଗ ପରେ ବି ପୁଅ ନିଜର ହକ୍ ହାସଲ ଲାଗି କଦାପି ପଛେଇନଥିଲେ। ନଭି ମୁମ୍ୱାଇରୁ ଆସିଛି ଏଭଳି ରୋଚକ କଥା। ୯୭ ପ୍ରତିଶତ ଅର୍ଥ ଦେବା ସତ୍ତ୍ୱେ ବିଲଡରଙ୍କଠୁ ଫ୍ଲାଟ୍ ପାଇପାରିନଥିଲେ ବାପା। ନ୍ୟାୟ ପାଇବା ଲାଗି ବାପା ମହାରାଷ୍ଟ୍ର ରାଜ୍ୟ ଖାଉଟି କମିଶନରେ କେସ୍ ଫାଇଲ୍ କରିଥିଲେ। ତେବେ କୋର୍ଟରେ ଏହାର ବିଚାର ପ୍ରକ୍ରିୟା ଜାରି ଭିତରେ ଉଭୟ ଫ୍ଲାଟ୍ କ୍ରେତା ଓ ବିଲଡରଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଉତ୍ତରାଧିକାରୀ ଭାବେ କେସ୍ ଲଢ଼ିଥିଲେ କ୍ରେତାଙ୍କ ପୁଅ ସହ ବିଲଡରଙ୍କ ପୁଅ। ଆଉ ଶେଷରେ ବାଜି ମାରିଲେ କ୍ରେତାଙ୍କ ପୁଅ। ଏନସିଡିଆରସି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ବିଲଡର ଓ କ୍ରେତାଙ୍କ ଭିତରେ ଜୁଲାଇ ୮, ୨୦୧୧ରେ ବିକ୍ରି ଚୁକ୍ତିନାମା ହୋଇଥିଲା। ଜୁଲାଇ ୧୯ରେ ସେଲ୍ ଏଗ୍ରିମେଣ୍ଟ ପଞ୍ଜୀକରଣ ହୋଇଥିଲା। ସେତେବେଳ ଯାଏଁ କ୍ରେତାଙ୍କଠୁ ବିଲଡର ୬୨ ଲକ୍ଷ ଟଙ୍କା ନେଇଥିଲେ।  ଯେତେବେଳେ ଫ୍ଲାଟର ମୂଲ୍ୟ ଥିଲା ୬୪ଲକ୍ଷ ୫୬ହଜାର ୭୬୮ ଟଙ୍କା। ବାକି ୧ଲକ୍ଷ ୯୩ହଜାର ଟଙ୍କା ଫ୍ଲାଟ୍ ପୋଜେସନ ବେଳେ କ୍ରେତା ଦେବେ ବୋଲି କଥା ଛିଣ୍ଡିଥିଲା। ମାର୍ଚ୍ଚ ୨୦୧୩ ସୁଦ୍ଧା ଫ୍ଲାଟ୍ ପୋଜେସନ ଦେବା ବଦଳରେ ନାନା ଆଳ ଦେଖାଇଥିଲେ ବିଲଡର। କିନ୍ତୁ ଆଇନଗତ ମାମଲା ଜାରି ଭିତରେ ଉଭୟ କ୍ରେତା ଓ ବିଲଡର ମରିସାରିଥିବାରୁ କ୍ରେତାଙ୍କ ପୁଅ ଆଇନଗତ ଭାବେ ଏହା ଲଢ଼ିପାରିବେନି କହି ବିଲଡରଙ୍କ ପୁଅ ଆପତ୍ତି ଜାହିର କରିଥିଲେ। କାରଣ ତାଙ୍କ ବାପା କ୍ରେତାଙ୍କ ସହ ପାଓ୍ୱାର ଅଫ ଆଟର୍ଣ୍ଣି କରିଥିଲେ, ତାଙ୍କ ପୁଅ ସହ ନୁହେଁ। ଆଉ ସବୁ ପକ୍ଷର ଯୁକ୍ତି, ଦସ୍ତାବିଜ୍ ଓ ଦଲିଲ ଦେଖି ବିଲଡରଙ୍କ ସମସ୍ତ ଆପତ୍ତିକୁ ଖାରଜ କରିଦେଇଛନ୍ତି କମିଶନ। ବାକି ୧ଲକ୍ଷ ୯୩ହଜାର ଟଙ୍କା କ୍ରେତା ପୈଠ କରିବାର ଦୁ଼୍ଇ ମାସ ଭିତରେ ପାର୍କିଂ ସ୍ପେଶ୍ ସହ ଅଭିଯୋଗକାରୀଙ୍କୁ ଫ୍ଲାଟ୍ ହସ୍ତାନ୍ତର କରିବେ ବିଲଡର। ସେତେବେଳେ ବିଲଡର ନେଇଥିବା ୬୨ଲକ୍ଷ ୬୩ହଜାର ଟଙ୍କାର ବାର୍ଷିକ ୨୦ ପ୍ରତିଶତ ହାରରେ ସୁଧ ଅଗଷ୍ଟ ୨୧, ୨୦୧୪ରୁ ଗଣିବେ। ଏହା ସହ କ୍ରେତାଙ୍କ ମାନସିକ ନିର୍ଯାତନାର ଭରଣା ସକାଶେ କ୍ଷତିପୂରଣ ବାବଦରେ ୧ଲକ୍ଷ ଟଙ୍କା ଦେବେ କ୍ରେତାଙ୍କୁ। ବିଲଡରଙ୍କ ଓକିଲ ଯୁକ୍ତି ବାଢିଥିଲେ କି, କ୍ରେତା ଜଣେ ଏନଆରଆଇ। ସେଥିଲାଗି ସେ ଭାରତରେ ଘର କିଣିପାରିବେନି। ଫ୍ଲାଟ ସମ୍ପୂର୍ଣ୍ଣ କରି ଏହାର ହସ୍ତାନ୍ତରରେ ବିଳମ୍ୱ ପଛରେ ସିଡକୋ ଦାୟୀ। କାରଣ ସିଡକୋ ହିଁ କମ୍ପ୍ଲିସନ ଓ ଅକ୍ୟୁପାନ୍ସି ସାର୍ଟିଫିକେଟ ନ ଦେଇ ସମୟ ଗଡ଼ାଇଚାଲିଥିଲା। ଆଉ ୨୦ ପ୍ରତିଶତ ସୁଧ ପ୍ରଚଳିତ ବଜାର ଦର ତୁଳନାରେ ବେଶ୍ ଅଧିକ। କିନ୍ତୁ ଏନସିଡିଆରସି କୌଣସି ଯୁକ୍ତିକୁ ଗ୍ରହଣ କରିନଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *