ନାସା କଲା ଘୋଷଣା। ପୃଥିବୀ ପୃଷ୍ଠକୁ ଫେରିବେ ସୁନୀତା ଓ୍ୱିଲିୟମସ। ଅନ୍ତରୀକ୍ଷରେ ସୁନୀତାଙ୍କ ସହ ଫସିଥିବା ସହକର୍ମୀ ବୁଚ୍ ବିଲମୋର ବି ଫେରିବେ। ମଙ୍ଗଳବାର ସଂଧ୍ୟା ସୁଦ୍ଧା ଏହି ଦୁଇ ମହାକାଶଚାରୀ ଫେରିଆସିବେ। ଏହି ଦୁଇ ମହାକାଶଚାରୀ ଦୀର୍ଘ ୯ ମାସ ହେଲା ଫସିଛନ୍ତି ଅନ୍ତରୀକ୍ଷରେ। ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସଏକ୍ସର ଯାନ ରବିବାର ଗସ୍ତ କରିଛି। ୯ ମାସରୁ ଅଧିକ ଦିନ ହେଲା ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଫସିଛନ୍ତି ଉଭୟ। ନାସା ଏ କଥା ବି ସ୍ପଷ୍ଟ କରିଛି, ସ୍ପେଶଏକ୍ସ କ୍ରୁ-୯ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠକୁ ଫେରାଇ ଆଣିବାର ପୁରା ଲାଇଭ୍ କଭରେଜ ହେବ। ଦୀର୍ଘ ୯ମାସ ଧରି ଫସିବା ପରେ ଏବେ ପୃଥିବୀ ପୃଷ୍ଠକୁ ଫେରିଆସିବାର ସମ୍ଭାବନା ଉଜ୍ୱଳ ଦେଖି ଉଭୟ ମହାକାଶଚାରୀ କୃତଜ୍ଞତା ଜଣାଇଛନ୍ତି। ଆଇଏସଏସରେ ପହଞ୍ଚିଥିବା ନୂଆ ଟିମକୁ ସ୍ୱାଗତ କରିଥିଲେ ଉଭୟ। କ୍ରୁ-୧୦ ମିଶନରେ ୪ ଜଣ ଅନ୍ତରୀକ୍ଷ ଯାତ୍ରୀ ଅଛନ୍ତି। ଲଞ୍ଚର ପ୍ରାୟ ୨୮ଘଣ୍ଟା ପରେ କ୍ରୁ-୧୦ ଡ୍ରାଗନ୍ କ୍ୟାପସୁଲ୍ ଆଇଏସଏସ ସହ ଯୋଡ଼ି ହୋଇଥିଲା। ଡକିଂ ଓ ହ୍ୟାଚ୍ ଖୋଲିବା ପରେ କ୍ରୁ-୧୦ର ଅନ୍ତରୀକ୍ଷ ଯାତ୍ରୀଙ୍କୁ ଆଇଏସଏସରେ ଥିବା କ୍ରୁ-୯ର ସଦସ୍ୟ ସ୍ୱାଗତ କରିଛନ୍ତି। ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିବା ସହ ଖୁସି ଜାହିର୍ କରିଥିଲେ। ପାଗ ଅନୁକୂଳ ହେଲେ ସ୍ପେସଏକ୍ସ କ୍ୟାପସୁଲ ମାର୍ଚ୍ଚ ୧୯ରେ ଆଇଏସଏସରୁ ଅଲଗା ହୋଇ ଫ୍ଲୋରିଡ଼ା ତଟରେ ଲ୍ୟାଣ୍ଡିଂ କରିବ।
୧୭ ମାର୍ଚ୍ଚ ରାତି ୧୦ଟା୪୫ରେ କ୍ରୁ-୯ ପୃଥିବୀ ଅଭିମୁଖେ ବାହାରିବ। ଏହାର ସିଧା ପ୍ରସାରଣ ଡ୍ରାଗନ୍ ଅନ୍ତରୀକ୍ଷ ଯାନ ହେଚ୍ କ୍ଲୋଚର ଜରିଆରେ ହେବ। ଏହି ମିଶନ ସ୍ପଷ୍ଟ କରିଛି, ଆମେରିକୀୟ ସମୟ ଅନୁସାରେ ମାର୍ଚ୍ଚ ୧୮ ସଂଖ୍ୟା ୫ଟା୫୭ ସୁଦ୍ଧା ଏହା ପୃଥିବୀ ପୃଷ୍ଠରେ ପହଞ୍ଚିସାରିଥିବ। ଭାରତୀୟ ସମୟ ଅନୁସାରେ ସୁନୀତା ଓ ପୁରା ଟିମ୍ ମାର୍ଚ୍ଚ ୧୯, ରାତି ସାଢ଼େ ୩ଟା ସୁଦ୍ଧା ପହଞ୍ଚିବେ। ନାସା ଓ ସ୍ପେସଏକ୍ସ ରବିବାର ଫ୍ଲୋରିଡ଼ାର ତଟର ପାଣିପାଗ ଓ ସ୍ପ୍ଲେଶଡାଉନ ସ୍ଥିତିକୁ ଆକଳନ କରିଥିଲେ। କାରଣ ଫ୍ଲୋରିଡ଼ା ତଟରେ ହିଁ ଯାନ ଓହ୍ଲାଇବ। ନାସାର ଅନ୍ତରୀକ୍ଷ ଯାତ୍ରୀ ନିକ୍ ହେଗ୍ ଓ ରୋସ୍କୋସ୍ମୋସ୍ର ଅନ୍ତରୀକ୍ଷ ଯାତ୍ରୀ ଅଲେକ୍ସାନ୍ଦ୍ର ଗୋରବୁନୋ ବି ଡ୍ରାଗନ୍ କ୍ୟାପସୁଲ ଜରିଆରେ ଫେରିବେ। ମାର୍ଚ୍ଚ ୧୪ରେ ସ୍ପେସଏକ୍ସ କ୍ରିଉ-୧୦ ମିଶନ ଲଞ୍ଚ କରିଥିଲା।
ସୁନୀତା ଓ ବିଲମୋର ମାର୍ଚ୍ଚ ଶେଷ ସୁଦ୍ଧା ପୃଥିବୀ ପୃଷ୍ଠକୁ ଫେରିଆସିବା କଥା। ଗଲା ବର୍ଷ ଜୁନ୍ ୫ରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ ଯାଇଥିଲେ। ସପ୍ତାହକ ପରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। କିନ୍ତୁ ବୋଇଂ ଷ୍ଟାରଲାଇନରେ ଗଡ଼ବଡ଼ିରୁ ଦୁଇଟି ଯାକ ବାହନ ସେଠାରେ ଫସିଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏ ବାବଦରେ ଏଲନ ମସ୍କଙ୍କ ଜରିଆରେ ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ଆଗ୍ରହ ପ୍ରକାଶ କରିବା ପରେ ପ୍ରକ୍ରିୟା ଜୋର୍ ଧରିଛି।
ସୁନୀତା ମହାକାଶରେ ଥିଲା ବେଳେ ଅନେକ ରିସର୍ଚ୍ଚ ଏକ୍ସପେରିମେଣ୍ଟ କରିଛନ୍ତି। ୯ଶହ ଘଣ୍ଟାରୁ ଅଧିକ ସମୟ ଗବେଷଣା କରିଛନ୍ତି। ମିଶନ ବେଳେ ବୋଇଂ ଷ୍ଟାରଲାଇନର ଉଡ଼ାଣ କାମ ବି କରିଥିଲେ। ଯାହାକୁ ସେ ନିଜେ ତିଆରି କରିବାରେ ସହଯୋଗ କରିଥିଲେ। ଅନେକ କଥାରେ ପରିବର୍ତ୍ତନ ଆଣିଥିଲେ। ସଫେଇ କରି ବହୁ ଅଳିଆ ଆବର୍ଜନା ଜମିକୁ ପଠାଇବାରେ ସହଯୋଗ କରିଥିଲେ। ସୁନୀତା ଫେରୁଥିବା ଖବର ପାଇ ତାଙ୍କ ପୈତୃକ ଗାଁ ଗୁଜରାଟର ଝୁଲାସାନ ଉତ୍ସବମୁଖର ହୋଇପଡ଼ିଛି। ସୁନୀତେ ଯେମିତି ନିରାପଦ ଭାବେ ପୃଥିବୀ ପୃଷ୍ଠକୁ ଫେରିଆସନ୍ତୁ କହି ପୂଜା ଓ ପ୍ରାର୍ଥନା କରିଛନ୍ତି।ମହାକାଶଚାରୀ ସୁନୀତାଙ୍କ ନିରାପଦ ଫେରିବାକୁ ନେଇ ସମସ୍ତଙ୍କ ଅପେକ୍ଷା।

Naxatra News is now on Whatsapp
Join and get latest news update delivered to you via whatsapp
Join Now