କେମିକାଲ ଫ୍ୟାକଟ୍ରିରେ ବ୍ଲାଷ୍ଟ- ୧୦ ମୃତ

ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ। ମେଡାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣରୁ ୧୦ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ରିଏକ୍ଟର ବିସ୍ଫୋରଣରୁ ଏଭଳି ହୋଇଛି। ପାସମାଇଲାରାମ ଏରିଆରେ ଥିବା ସିଗାଚି ଫାର୍ମା କେମିକାଲ ଇଣ୍ଡଷ୍ଟ୍ରିଜ୍ ରେ ବିସ୍ଫୋରଣ ହୋଇଛି। ଅଗ୍ନିଶମ ବିଭାଗ, ଆମ୍ୱୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ ସହ ରେସକ୍ୟୁ ଅପରେସନରେ ଲାଗିପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ, କର୍ମଚାରୀଙ୍କୁ ପ୍ରାୟ ଶହେ ମିଟର ଦୂରକୁ ଫିଙ୍ଗିଦେଇଥିଲା। ପାଖରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣର କାରଣ ଓ କେହି ଏଥିଲାଗି ଦାୟୀ, ତାହାର ତଦନ୍ତ ଜାରି ରହିଛି। ବିସ୍ଫୋରଣର ଶବ୍ଦ ଅନେକ କିଲୋମିଟର ଯାଏ ଶୁଭିଥିଲା। ବିସ୍ଫୋରଣ ବେଳେ ପ୍ଲାଣ୍ଟରେ ଶହେରୁ ଅଧିକ ଶ୍ରମିକ ଥିଲେ। ଗୁରୁତର ଶ୍ରମିକଙ୍କୁ ହାଇଦ୍ରାବାଦ ହସ୍ପିଟାଲକୁ ରେଫର୍ କରାଯାଇଛି। ପ୍ରଶାସନ ତୁରନ୍ତ ପ୍ଲାଣ୍ଟର ଆଖାପାଖ ଜାଗାକୁ ଖାଲି କରିଥିଲା। ବିସ୍ଫୋରଣ ପରେ ଚାରିଆଡ଼େ ହଇଚଇ ଖେଳିଯାଇଥିଲା। ନିଆଁକୁ କାବୁ କରିଥିଲା ଅଗ୍ନିଶମ ବିଭାଗ। ୧୩ଜଣଙ୍କୁ ରେସକ୍ୟୁ କରାଯାଇଥିଲା। ସକାଳ ୭ଟାରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ତଦନ୍ତରୁ ରିଏକ୍ଟରରେ ଅଚାନକ ତୀବ୍ର ଗତିରେ କେମିକାଲ ରିଆକ୍ସନରୁ ବିସ୍ଫୋରଣ ହୋଇଛି। ସିଗାଚି ଇଣ୍ଡଷ୍ଟ୍ରିଜ୍ ଫାର୍ମାସିଟ୍ୟୁକାଲ ପାଉଡ଼ର କରେ। ୧୯୮୯ରୁ ମାଇକ୍ରୋକ୍ରିଷ୍ଟଲାଇନ ସେଲୁଲୋଜ କରିଆସୁଛି। ଏହା ଧଳା ରଙ୍ଗର। ଏଥିରେ ନା କୌଣସି ଗନ୍ଧ ନା ସ୍ୱାଦ ଥାଏ। ସିଗାଚି ଇଣ୍ଡଷ୍ଟ୍ରିଜ ହାଇଦ୍ରାବାଦ ସମେତ ପୁରା ଦେଶରେ ୫ଟି ଫ୍ୟାକଟ୍ରି ଅଛି। କମ୍ପାନୀର ପ୍ରଡକ୍ଟ ୬୫ରୁ ଅଧିକ ଦେଶରେ ଏକ୍ସପୋର୍ଟ କରାଯାଏ। ଫ୍ୟାକଟ୍ରିରେ ବ୍ଲାଷ୍ଟ ପରେ ବମ୍ୱେ ଷ୍ଟକ ଏକ୍ସଚେଞ୍ଜରେ ସିଗାଚି ଇଣ୍ଡଷ୍ଟ୍ରିଜର ସେୟାର ତଳକୁ ଖସିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *