ଟୋଲ୍ ପ୍ଲାଜାରେ ୭୫୦ କୋଟି ଟଙ୍କାର ଘୋଟାଲା! ୟୁପିର ମିର୍ଜାପୁରର ଅତରୈଲା ଟୋଲ ଗେଟରେ ଏସଟିଏଫ ରେଡରୁ ଏଭଳି ବଡ଼ କେଳେଙ୍କାରୀ ଧରାପଡ଼ିଛି। ଏନଏଚଏଆଇର କମ୍ପ୍ୟୁଟରରେ ଥିବା ସଫ୍ଟଓ୍ୱେର ବଦଳାଇ ବେଆଇନ ଅସୁଲି ଚାଲିଥିଲା। ପ୍ରାୟ ଶହେଟି ଟୋଲ ପ୍ଲାଜାରେ ଦୈନିକ ୪୦ରୁ ୫୦ହଜାର ଟଙ୍କାର ହେରାଫେରିର ଆଶଙ୍କା କରିଛି ଏନଏଚଏଆଇ। ଏ ନେଇ ୩ ଦିନ ଭିତରେ ରିପୋର୍ଟ ତଲବ କରିଛି ଏନଏଚଏଆଇ। ଏହି କେଳେଙ୍କାରୀରେ ବଡ଼ ଅସାଧୁମେଣ୍ଟ ଓ ରାକେଟ୍ କାମ କରୁଛି ବୋଲି ଅନୁମାନ ଲଗାଇଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ପ୍ରତି ଟୋଲ୍ ଗେଟରୁ ଅବୈଧ ଭାବେ ଅସୁଲି ହେଉଥିଲା। ଏହା ଏନଏଚଏଆଇକୁ ଯାଉନଥିଲା। ବରଂ ଏଭଳି ରାକେଟରେ ସାମିଲ ଥିବା ବ୍ୟକ୍ତିବିଶେଷଙ୍କ ପକେଟକୁ ବେଆଇନ ଟୋଲ୍ ଅର୍ଥ ଯାଉଥିଲା।
ଏଭଳି ଆର୍ଥିକ ଘୋଟାଲାର କଡ଼ାକଡ଼ି ତଦାରଖ ସହ ବେଆଇନ କାମ ଉପରେ ଅଙ୍କୁଶ ଲଗାଇବାକୁ ସମସ୍ତ ରିଜିଓନାଲ ଅଫିସରଙ୍କୁ ଚିଠି କରିଛି ଏନଏଚଆଇଏ। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ। ଘୋଟାଲାର ମାଷ୍ଟରମାଇଣ୍ଡ ଆଲୋକ ଏମସିଏ କରିଛି। ସଫ୍ଟଓ୍ୱେର ତିଆରିରେ ମାହିର ଥିଲା। ଅଭିଯୁକ୍ତ ଆଲୋକ ଏହା ପୂର୍ବରୁ ଅନେକ କମ୍ପାନୀର ସଫ୍ଟଓ୍ୱେର ତିଆରି କରିଥିଲା। ଅଭିଯୁକ୍ତମାନେ ସମାନ୍ତରାଳ ସଫ୍ଟଓ୍ୱେର ଜରିଆରେ ଟୋଲ୍ କଲେକ୍ସନର ବାସ୍ତବ ଅର୍ଥରାଶିକୁ ଲୁଚାଇ ଧୋକାଦାରି କରୁଥିଲେ। ଏହି ସଫ୍ଟଓ୍ୱେର ଏନଏଚଏଆଇର ସିଷ୍ଟମ ଭଳି କାମ କରୁଥିଲା। ଏଥିରୁ ଯାହା ବେଆଇନ ଅସୁଲି ହୁଏ। ଏହାକୁ ଭାଗ କରି ନେଉଥିଲେ ଟୋଲ ମ୍ୟାନେଜର ଓ ଷଡ଼ଯନ୍ତ୍ରରେ ସାମିଲ ଅନ୍ୟ ଲୋକ। ଗୋଟିଏ ଟୋଲ ପ୍ଲାଜାରେ ପ୍ରାୟ ୧୨୦ କୋଟି ଟଙ୍କାର ଘୋଟାଲାର ଗନ୍ଧ ବାରିଛି ଏସଟିଏଫ। ବାକି ୪୨ ଟୋଲ ପ୍ଲାଜାରେ ବି ସମାନ ଅନିୟମିତତାର ଆଶଙ୍କା କରିଛି ଏନଏଚଏଆଇ।
ଶିବଗୁଲାମରୁ ପୂର୍ବୋତ୍ତର ରାଜ୍ୟ ସହ ମିର୍ଜାପୁରର ଅତରୈଲା ଟୋଲ୍ ଗେଟ ଦେଇ ନେପାଳ ଭୁଟାନ ଯାଏ ଭାରି ମାଲବାହୀ ଟ୍ରକ ଯିବା ଆସିବା କରେ। ପ୍ରାୟ ୩ ମାସ ହେଲା ଏହି ଟୋଲ ଗେଟର ପରିଚାଳନା ଭାର ନେଇଥିଲା ଶିବା ବିଲଟେକ୍। ଟୋଲ ମ୍ୟାନେଜର ରାଜୀବ ମିଶ୍ରା, ଟୋଲ କର୍ମଚାରୀ ମନୀଷ ମିଶ୍ରା ଓ ସଫ୍ଟଓ୍ୱେର ଇଞ୍ଜିନିୟର ସାଓ୍ୱନ ଲାଲଙ୍କୁ ଗିରଫ କରାଯାଇଛି। ଦୈନିକ ଲକ୍ଷାଧିକ ଗାଡ଼ି ଏହି ଟୋଲ ଗେଟ୍ ଦେଇ ଯାଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now