କାହାର କେତେ ଦେଶ ଭକ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏଭଳି କଥା କହି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୀନ୍ ଅନୁପ୍ରବେଶ କଥା ଉଠାଇଥିଲେ। ପୂର୍ବତନ ଆର୍ମି ମୁଖ୍ୟ ନରଭଣେଙ୍କ ଅପ୍ରକାଶିତ ପୁସ୍ତକକୁ ଉର୍ଦ୍ଧୃତ କରି ଏ କଥା ରାହୁଲ କହିବାରୁ ଗୃହରେ ବେଶ୍ ହଙ୍ଗାମା ହୋଇଥିଲା। ରାହୁଲଙ୍କୁ କହିବାକୁ ଅନୁମତି ମିଳୁନଥିବା ପ୍ରତିବାଦରେ ବାଚସ୍ପତିଙ୍କ ଚୌକିକୁ ଚିରା କାଗଜ ଫିଙ୍ଗି ୮ ବିରୋଧୀ ସାଂସଦ ନିଲମ୍ୱିତ ହୋଇଛନ୍ତି। ଆଉ ଆଜି ରାହୁଲ ନରଭଣେଙ୍କ ପୁସ୍ତକ ବିଦେଶରେ ରିଲିଜ୍ ହୋଇସାରିଛି ବୋଲି ସଂସଦ ପରିସରରେ ଗଣମାଧ୍ୟମକୁ ଦେଖାଇଛନ୍ତି। ରାହୁଲ କହିଛନ୍ତି, ଭାରତରେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରକାଶିତ କରିବାକୁ ଦିଆଯାଉନି। ଯେବେ ସଂସଦକୁ ପ୍ରଧାନମନ୍ତ୍ରୀ ଆସିବେ, ତାଙ୍କୁ ଏ ବହି ଦେବି ବୋଲି କହିଛନ୍ତି ରାହୁଲ। ହେଲେ ଗୃହକୁ ଆସିବାକୁ ମୋଦିଙ୍କ ସାହାସ ନାହିଁ। ରାହୁଲ ଦାବି କରିଛନ୍ତି ଯେ, ୨୦୨୦ରେ ଭାରତ-ଚୀନ ସଂଘର୍ଷ ବେଳେ ତତ୍କାଳୀନ ସେନା ପ୍ରମୁଖଙ୍କୁ ପ୍ରଧାନମନ୍ତ୍ରୀ ସନ୍ଦେଶ ଦେଇଥିଲେ ଯେ, ଯାହା ଉଚିତ ଭାବୁଛ ତାହା କର। ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନରଭଣେ ଫୋନରେ ପଚାରିଥିଲେ ଯେ, ଚୀନ୍ ଟ୍ୟାଙ୍କ କୈଳାସ ରେଞ୍ଜ୍ ଯାଏ ପହଞ୍ଚିସାରିଛି। ଆମକୁ କଅଣ କରିବାକୁ ପଡ଼ିବ। ରାଜନାଥ କୌଣସି ଉତ୍ତର ନଦେଇ କହିଥିଲେ ଉପରୁ ପଚାରି କହିବେ। ପ୍ରଧାନମନ୍ତ୍ରୀ ମେସେଜରେ କହିଥିଲେ, ଯାହା ଉଚିତ ଭାବୁଛ କର। ନରଭଣେ ଏ କଥା ଦେଖି ଏକୁଟିଆ ହୋଇଯାଇଥିଲେ। ତାଙ୍କୁ ଲାଗିଥିଲା ଯେମିତି ପୁରା ସିଷ୍ଟମ ତାଙ୍କୁ ଛାଡ଼ି ଦେଇଛି। ସେପଟେ ନିଲମ୍ୱନ ବିରୁଦ୍ଧରେ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ସାଂସଦ ପ୍ରଶାନ୍ତ ପାଡୋଲ। ବିରୋଧୀଙ୍କ ସ୍ୱରକୁ ଚାପିବାକୁ ସରକାର ସବୁବେଳେ ଚକ୍ରାନ୍ତ କରୁଛନ୍ତି। କାଉଣ୍ଟରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ କହିବାକୁ କାହାକୁ ମନା କରାଯାଇନି। ୧୮ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ଯାହା କହିବା କଥା ନୁହେଁ, ତାକୁ ରାହୁଲ କହୁଛନ୍ତି ବୋଲି ବାଚସ୍ପତି ଅଟକାଇଥିଲେ। ଲୋକତନ୍ତ୍ରକୁ ଲଜ୍ଜିତ କରିବାକୁ ରାହୁଲ ନିରନ୍ତର ଉଦ୍ୟମ କରୁଛନ୍ତି। ଦେଶ ବିରୁଦ୍ଧରେ ସବୁବେଳେ କହୁଛନ୍ତି। କଦାପି ସକରାତ୍ମକ ଭାବନାରେ କାମ କରନ୍ତିନି। ରାହୁଲ ମିଛ କହୁଛନ୍ତି। ସେପଟେ ସଂସଦ ଭବନର ମକରଦ୍ୱାର ପାଖରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କୁ ଗଦ୍ଦାର ବୋଲି କହିଛନ୍ତି ରାହୁଲ। ରବନୀତ ବି ଜବାବରେ ରାହୁଲଙ୍କୁ ଦେଶର ଶତୃ ବୋଲି କହିଛନ୍ତି। ରାହୁଲ ରବନୀତଙ୍କ ସହ ହାତ ମିଳାଇବାକୁ ଗଲା ବେଳେ ରବନୀତ ହାତ ମିଳାଇନଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି ରବନୀତ। ସେ ଯେପର୍ଯ୍ୟନ୍ତ କଂଗ୍ରେସରେ ଥିଲେ, ସେପର୍ଯ୍ୟନ୍ତ ଦେଶଭକ୍ତ ଥିଲେ। ଆଉ ବିଜେପିକୁ ଚାଲିଆସିବାରୁ ଏଭଳି ଅପଶବ୍ଦ ଲଗାଇ ସମ୍ୱୋଧନ କରୁଛନ୍ତି। ପଞ୍ଜାବରେ କଂଗ୍ରେସ ଓ ଗାନ୍ଧୀ ପରିବାର ନିଆଁ ଲଗାଇଥିଲେ। ହଜାର ହଜାର ଶିଖ୍ଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ। ରାହୁଲ ଓ ତାଙ୍କ ଦଳ ସବୁବେଳେ ଦେଶବିରୋଧୀ ମନ୍ତବ୍ୟ ଦେଉଛନ୍ତି। ଦିଲ୍ଲୀ ମନ୍ତ୍ରୀ ମଜିନ୍ଦର ସିଂ ସିର୍ସା ବି ରାହୁଲଙ୍କ ଉପରେ ବର୍ଷିଛନ୍ତି। ଜଣେ ଶିଖ୍ ମନ୍ତ୍ରୀଙ୍କୁ ଗଦ୍ଦାର କହିବା ଅତି ଲଜ୍ଜାଜନକ। ଶିଖ୍ କେବେ ବି ଗଦ୍ଦାର ନୁହଁନ୍ତି। ଯଦି କିଏ ଗଦ୍ଦାର, ସେ ହେଲେ ଗାନ୍ଧୀ ପରିବାର। ଶିଖଙ୍କ ପ୍ରତି କଂଗ୍ରେସର ଭାବନା ଆଜି ଯାଏଁ ବଦଳିନି।ଦେଶର ସୀମା ସୁରକ୍ଷାକୁ ନେଇ କିଏ କେତେ ସଚେତନ। ସରକାରଙ୍କ ନୀରବତାକୁ ନେଇ ନରଭଣେଙ୍କ ପୁସ୍ତକକୁ ଉଦ୍ଧୃତ କରି ରାହୁଲଙ୍କ ଟାର୍ଗେଟରୁ ୩ ଦିନ ହେଲା ଅସଲ ଦେଶଭକ୍ତର ବିତର୍କର ପାହାଡ଼ ଛିଡ଼ା ହୋଇଛି ସଂସଦରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now