ଭୋଟ ଚୋରୀ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଆଜି ସରିଛି। ପାଟନାରେ ଏହାର ସମାପ୍ତି ହୋଇଛି। ପାଟନାର ଗାନ୍ଧୀ ମୈଦାନରେ ସମାପନ ସମାରୋହରେ ଇଣ୍ଡିଆ ମେଣ୍ଟର ଅନେକ ତୁଙ୍ଗ ନେତା ସାମିଲ ହୋଇଥିଲେ। ମତଦାତାଙ୍କ ସାମ୍ୱିଧାନିକ ଭୋଟ ଦେବାର ଅଧିକାରକୁ ନିର୍ବାଚନ କମିଶନ ଓ ବିଜେପି ମିଳିମିଶି ହାଇଜାକ୍ କରିବାକୁ ଚାହୁଁଥିବା କହି ରାହୁଲ ଏହି ଭୋଟର ଅଧିକାର ଯାତ୍ରାର ଡ୍ରାଇଭିଂ ସିଟରେ ବସିଥିଲେ। ଆଉ ରାହୁଲଙ୍କ ସହ ଏହି ଯାତ୍ରାକୁ ଲିଡ୍ କରିଥିଲେ ତେଜସ୍ୱୀ ଯାଦବ। ବିହାରରେ ଭୋଟ ଚୋରୀ ବିରୁଦ୍ଧରେ ୧୫ ଦିନ ବ୍ୟାପୀ ୨୦ ଜିଲ୍ଲାରେ ୧୩ଶହ କିଲୋମିଟରର ଭୋଟର ଅଧିକାର ଯାତ୍ରାର ସମାପନ ହୋଇଛି। ଏଆଇସିସି ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି, ଏହି ଯାତ୍ରାକୁ ରୋକିବାକୁ ବିଜେପି ଷଡ଼ଯନ୍ତ୍ର ରଚିଥିଲା। କିନ୍ତୁ ପାରିଲାନି। ମୋଦିଙ୍କୁ ହଟାଇ ଦେଶକୁ ବଞ୍ଚାଇବାକୁ ଅପିଲ୍ କରିଥିଲେ। ମୋଦି ଭୋଟ ଚୋରୀ କରି ଜିତିବାକୁ ଚାହୁଁଛନ୍ତି। ସେଥିଲାଗି ସତର୍କ ରହିବାକୁ ପଡ଼ିବ। ତେଜସ୍ୱୀ କହିଛନ୍ତି, ଏହି ଯାତ୍ରା ଜରିଆରେ ବିଜେପିର ଅସଲ ଚେହେରା ସାମ୍ନାକୁ ଆସିଲା। ବିଜେପି ଏକ୍ସପୋଜ୍ ହୋଇଗଲା। ନିର୍ବାଚନ କମିଶନ କିଭଳି ନିଜର ବିଶ୍ୱସନୀୟତା ହରାଇଛନ୍ତି, ତାହାର ଖୁଲାସା ହେଲା। ବିହାରକୁ ସନ୍ଦେଶ ଗଲା ଯେ, ଯିଏ ସମ୍ୱିଧାନ ଓ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହିଁବ, ସେମାନଙ୍କୁ କଡ଼ା ଜବାବ ମିଳିବ। ଭୋଟର ଅଧିକାର ଯାତ୍ରାକୁ ବିପୁଳ ସମର୍ଥନ ମିଳିଛି। ଲକ୍ଷାଧିକ ଲୋକଙ୍କ ସାମିଲ୍ ସୂଚାଉଛି, ବିହାରରେ ପରିବର୍ତ୍ତନ ନିଶ୍ଚିତ। ବିହାର ଲୋକତନ୍ତ୍ରର ଜନନୀ। ବିହାରୀଙ୍କୁ ଠକିପାରିବେନି ମୋଦି। ଡବଲ ଇଞ୍ଜିନ ସରକାରରେ ଗୋଟିଏ ଅପରାଧ ତ ଆଉ ଗୋଟିଏ ଭ୍ରଷ୍ଟାଚାରର ଇଞ୍ଜିନରେ ଚାଲିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ଭୋଟ କୌଣସି ଦଳର ନୁହେଁ। ଦେଶର ଭୋଟ। ଭୋଟ ଜରିଆରେ ଦେଶ, ସମ୍ୱିଧାନ ବଞ୍ଚେ ଓ ଭାଙ୍ଗେ। ଧନ ଓ କୂଟକପଟ ବଳରେ, ସିବିଆଇ ଇଡିର ଭୟ ଦେଖାଇ ସତ୍ତା ହାସଲ କରିଥିବା ବିଜେପିର ଚତୁରତାକୁ ନେଇ ଆଜି ନ ଚେତିଲେ, ପୁନର୍ବାର ଚେତିବାକୁ ମଉକା ମିଳିବନି। ଏସଆଇଆର ଆଳରେ ଭୋଟ ଚୋର ଧରାପଡ଼ିଯାଇଛି। ଷଡ଼ଯନ୍ତ୍ରକାରୀ ତାଙ୍କୁ ବି ଅନେକ ଦିନ ଧରି ଜେଲରେ ପୁରାଇଦେଇଥିଲେ। ଯଦି ହିମ୍ମତ ଅଛି, ଗାଦି ଛାଡ଼ି ପୁଣି ଥରେ ନିର୍ବାଚନକୁ ଓହ୍ଲାନ୍ତୁ ମୋଦି। ଆରଏସଏସ ଓ ବିଜେପି ସ୍ୱାଧୀନତା ସଂଗ୍ରାମରେ ନଥିଲା କି ସଂଘର୍ଷ କରିନଥିଲା। ସେଥିଲାଗି ସମ୍ୱିଧାନକୁ ଧ୍ୱଂସ କରିବାକୁ ବସିଛନ୍ତି ଏମାନେ। ରାହୁଲ କହିଛନ୍ତି, ଭୋଟ ଚୋରୀକୁ କୌଣସିମତେ ବରଦାସ୍ତ କରାଯିବନି। ମୋଦି ଆଗାମୀ ଦିନରେ ନିଜ ଚେହେରା ଦେଶବାସୀଙ୍କୁ ଦେଖାଇପାରିବେନି ବୋଲି ଚ୍ୟାଲେଞ୍ଜ କରିଛନ୍ତି ରାହୁଲ। ଭୋଟ ଚୋରୀର ଅର୍ଥ- ଅଧିକାର, ସଂରକ୍ଷଣ, ନିଯୁକ୍ତି, ଶିକ୍ଷା, ଯୁବ ଭବିଷ୍ୟତ ଓ ଗଣତନ୍ତ୍ରର ଚୋରୀ।ସେପଟେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଲୋକତନ୍ତ୍ରକୁ ଲୁଟ୍ କରିଥିବା, ଜଙ୍ଗଲରାଜର ଯୁବରାଜ ଦୁହେଁ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି। ଆଉ ରାଜନୀତିକୁ ନିଜର ଜାଗିର୍ ବୋଲି ଭାବୁଛନ୍ତି। ବିହାର ଗଣତନ୍ତ୍ରର ମାଟି। ନିର୍ବାଚନରେ ଜନତା ଏହାର କଡ଼ା ଜବାବ ଦେବେ। ବିହାରୀଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରୁଥିବା ଷ୍ଟାଲିନଙ୍କ ଓ ରେଭାନ୍ତ ରେଡ୍ଡୀଙ୍କ ଭଳି ନେତାଙ୍କୁ ବିହାର ମାଟିକୁ ଡାକି ସମ୍ମାନିତ କରାଗଲା। ଏହାକୁ ଜନତା ଭୁଲିନାହାନ୍ତି। ୧୫ ଦିନ ହେଲା ବିହାରରେ ଚାଲିଥିବା ଭୋଟର ଅଧିକାର ଯାତ୍ରା ସରିଛି। ବିହାର ରାଜନୀତିରେ ଏହି ଯାତ୍ରାର ପ୍ରଭାବ କେତେଦୂର ରହିଲା, ତାହା ସମୟ କହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now