ଭଳିକି ଭଳି ଖାଦ୍ୟକୁ ଉପଭୋଗ କରନ୍ତି ଭାରତୀୟ । ବହୁ ପାରମ୍ପରିକ ଖାଦ୍ୟ ସମ୍ଭାରକୁ ନେଇ ଆମ ଖାଦ୍ୟ ସଂସ୍କୃତି ସମୃଦ୍ଧ । ପ୍ରତି ଋତୁ ଅନୁଯାୟୀ ଭାରତୀୟଙ୍କ ଖାଦ୍ୟାଭ୍ୟାସ ବଦଳେ । ପ୍ରତ୍ୟେକ ଅଞ୍ଚଳର ପରିଚୟ ହୋଇଥାଏ ସେଠି ମିଳୁଥିବା ସ୍ୱତନ୍ତ୍ର ଖାଦ୍ୟ । ଏବଂ ଅଞ୍ଚଳବାସୀଙ୍କ ଖାଦ୍ୟ ଋଚିରେ ମଧ୍ୟ ସ୍ୱତନ୍ତ୍ରତା ରହିଛି । କିନ୍ତୁ ବଦଳୁଥିବା ସମୟରେ କିଛି ଖାଦ୍ୟ ପ୍ରତି ଆକର୍ଷଣ ଅଲଗା ପ୍ରକାରେ ଦେଖାଯାଉଛି । ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ସବୁ କୋଣ ଅନୁକୋଣର ଲୋକଙ୍କ ପ୍ଲେଟରେ ତାହା ପରସା ଯାଉଛି । ସେମିତି ଏକ ଖାଦ୍ୟ ହେଉଛି ବିରିୟାନୀ । ବର୍ଷ ତମାମର ଫୁଡ୍ ଅର୍ଡରକୁ ଦେଖି ଏମିତି କିଛି ରିପୋର୍ଟ ଆଣିଛି ସ୍ୱିଗି । ଯାହା ଭାରତୀୟଙ୍କ ଖାଦ୍ୟ ଋଚି ସମ୍ପର୍କରେ ବେଶ ରୋଚକ ତଥ୍ୟ ଦେଉଛି ।
ଭାରତୀୟଙ୍କ ପ୍ରିୟ ଖାଦ୍ୟ ତାଲିକାର ପ୍ରଥମରେ ସ୍ଥାନ ପାଇଛି ବିରିୟାନୀ । ବିଗତ ୯ ବର୍ଷ ଧରି ଦେଶରେ ଲୋକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ପାଲଟିଛି । ଚଳିତବର୍ଷ ଦେଶରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ହେଉଛି ବିରିୟାନୀ । ୨୦୨୪ରେ ପ୍ରତି ସେକେଣ୍ଡରେ ୨ଟି ଓ ପ୍ରତି ମିନିଟରେ ୧୫୮ଟି ବିରିୟାନୀ ଅର୍ଡର କରା ଯାଇଥିଲା । ୨୦୨୪ରେ ସର୍ବମୋଟ ୮.୩ କୋଟି ଅର୍ଡର ସହିତ ବିରିୟାନୀ ଅନଲାଇନ ଫୁଡ ଫ୍ଲାଟଫର୍ମରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାର ଏକ ନମ୍ୱର ସ୍ଥାନ ଅକ୍ତିଆର କରିଛି । ଭାବନ୍ତୁ ବିରିୟାନୀ ପାଇଁ ଯେମିତି ଆଗ୍ରହ ରହିଛି ଅନଲାଇନ ଛଡା ଲୋକ ବିଭିନ୍ନ ରାସ୍ତା କଡ଼ ଫୁଡ କୋର୍ଟ,ରେଷ୍ଟୁରାଣ୍ଟ ଓ ହୋଟେଲରେ ଯାଇକି ତେବେ କେତେ ଖାଇଥିବେ । ଏବଂ ରିପୋର୍ଟ ଏହା ମଧ୍ୟ ସୂଚନା ଦେଇଛି ଯେ ବିରିୟାନୀ ଟ୍ରେନ ଯାତ୍ରୀଙ୍କ ସର୍ବାଧିକ ପ୍ରିୟ ଖାଦ୍ୟ । ବିରିୟାନୀର ଗୋଟିଏ ବକ୍ସ ହାତରେ ଧରିଲେ ସହଜରେ ଖାଇହେବ। ଭାତ, ରୁଟି, ଡାଲି,ତରକାରୀ ଝାମେଲା ନଥିବ। ଏହା ମୈାଳିକ ଭାବେ କେଉଁ ମାନଙ୍କ ଖାଦ୍ୟ ସଂସ୍କୃତି ତାହା କୁହାଯାଇ ପାରିବ କି । କାରଣ ଏହାକୁ ସମସ୍ତେ ଗ୍ରହଣ କରି ନିଜର ଖାଦ୍ୟ କରି ସାରିଛନ୍ତି । ଏବଂ କେବେ ବ୍ରଞ୍ଚ, କେବେ ଲଞ୍ଚ ଓ ଡିନରରେ ତାକୁ ଖାଉଛନ୍ତି ।ଅବଶ୍ୟ ସେଥିରେ ମଧ୍ୟ ଢେର ଭେରାଇଟି ଅଛି ଯାହା ଅଞ୍ଚଳର ବିଶେଷତ୍ୱକୁ ବତାଏ ।
ତେବେ ଦକ୍ଷିଣ ଭାରତର ପରିୟ ହୋଇଥିବା ଦୋସା କିନ୍ତୁ ତା ଆକର୍ଷଣ ହରାଇନି । ସର୍ବାଧିକ ଅର୍ଡର ତାଲିକାର ୨ୟ ସ୍ଥାନରେ ରହିଛି । ମସାଲା ଦୋସା ୨.୩ କୋଟି ଅର୍ଡର ହୋଇଛି ବର୍ଷ ୨୦୨୪ରେ । ଏବଂ ବେଙ୍ଗାଲୁରୁ ଲୋକ ସର୍ବାଧିକ ଅର୍ଡର କରିଛନ୍ତି । ୨୦୨୪ ଜାନୁଆରୀ ପହିଲାରୁ ନଭେମ୍ୱର ୨୨ ମଧ୍ୟରେ ସେଠିକା ଲୋକ ପ୍ରାୟ ୨୫ ଲକ୍ଷ ଦୋସା ଅର୍ଡର କରିଛନ୍ତି । ଅନଲାଇନ ଫୁଡ ଡେଲିଭରୀ ସର୍ଭିସ କମ୍ପାନୀ ସ୍ୱିଗିର ରେକର୍ଡରୁ ଏହା ଜଣା ପଡ଼ିଛି । ତା ଛଡା ଅନ୍ୟ କମ୍ପାନୀ ମଧ୍ୟ କେତେ ଅର୍ଡର ନେଉଥିବେ ଅନୁମାନ କରିହେଉଛି ।
ଖାଦ୍ୟ କ’ଣ ଖାଇବେ ଆଉ କେତେବେଳେ ଖାଇବେ ତାକୁ ନେଇ ବିଶେଷଜ୍ଞ ବାରମ୍ୱାର ସତର୍କ କରାନ୍ତି । ବର୍ଗର ପିଜା ଆଦି ହାନୀକାରକ ବୋଲି କୁହନ୍ତି । ତଥାପି ଯୁବପିଢିଙ୍କ ପସନ୍ଦ ତାଲିକାରେ ସେହି ସବୁ ଖାଦ୍ୟ ହିଁ ରହିଛି । ଚିକେନ ବର୍ଗର ରାତି ୧୨ଟାରୁ ୨ଟା ମଧ୍ୟରେ ଲୋକଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ହୋଇଛି । ବିଳମ୍ୱିତ ରାତିରେ ପ୍ରାୟ ୧୮.୪ ଲକ୍ଷ ଅର୍ଡର ଚିକେନ ବର୍ଗର ର ହୋଇଥିଲା । ସେହିଭଳି ଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଲକାତାରେ ଛୋଲେ, ଆଳୁ ପରଟା, କଚୋରୀ ଆଦି ଅଧିକ ଅର୍ଡର ହୋଇଛି । ଏପରିକି ଇନଷ୍ଟାଣ୍ଟ ନୁଡୁଲ୍ସ ଅର୍ଡର କରିବାରେ ଦିଲ୍ଲୀ ପ୍ରାୟ ୬୦ କୋଟି ଖର୍ଚ୍ଚ କରିଛି । ଆଳୁ ଚିପ୍ସର ଅର୍ଡର ବି ଢେର ହୋଇଛି ।
ମିଠା ମଧ୍ୟରେ ରସମଲାଇ ଓ ସୀତାଫଲ ଆଇସକ୍ରିମ ସବୁଠୁ ଆଗରେ ଅଛନ୍ତି । ୨୪.୮ ଲକ୍ଷ ଅର୍ଡର ସହ ଚିକେନ ରୋଲ ସର୍ବାଧିକ ପସନ୍ଦର ସ୍ନାକ୍ସ । ତା ପଛକୁ ଚିକେନ୍ ମୋମୋସ୍ ୧୬.୩ ଲକ୍ଷ ଅର୍ହର ସହ ୨ୟରେ, ପଟାଟୋ ଫ୍ରାଏ ୧୩ ଲକ୍ଷ ଅର୍ଡର ସହ ତୃତୀୟରେ ରହିଛି । ଚଳିତ ବର୍ଷ ସ୍ୱିଗିରେ ଡିନର ଅର୍ଡର ଥିଲା ପ୍ରାୟ ୨୧.୫ କୋଟି । ଯାହାକି ମଧ୍ୟାହ୍ନ ଭୋଜନଠାରୁ ୨୯% ଅଧିକ ।
ରିପୋର୍ଟର ଆଉ କିଛି ହାଇଲାଇଟ୍ସ ଦେଖିଲେ ଜଣା ପଡ଼େ ଯେ ସ୍ୱିଗି ଇଂଷ୍ଟାମାର୍ଟରେ ଦୁଗ୍ଧ, ଦହି, ଦୋସା ବାଟର, ଚିପ୍ସ, ସଫ୍ଯ ଡ୍ରିଙ୍କସ ଏପରିକି ପିଆଜ, ଫଳ ପନିପରିବା ମଧ୍ୟ ଢେର ଅର୍ଡର ହୋଇଛି । ରାକ୍ଷୀ ଦିନ ପ୍ରତି ମିନିଟରେ ୨୭୩ ଚକଲେଟ ଅର୍ଡର ହୋଇଛି । ୮ ଲକ୍ଷ ରାକ୍ଷୀ ଡେଲିଭରୀ କରାଯାଇଛି । ଧନତେରାସରେ ୪୫ ଲକ୍ଷରୁ ଅଧିକ ଟଙ୍କା ଛାଡୁ କିଣାରେ ଉପଭୋକ୍ତା ଖର୍ଚ୍ଚ କରିଥିବା ରିପୋର୍ଟ ଦେଇଛି ସ୍ୱିଗି।
ସ୍ୱିଗିର ଡେଲିଭରୀ ପାର୍ଟନରମାନେ ବର୍ଷକ ମଧ୍ୟରେ ମୋଟ ୧.୯୬ ବିଲିୟନ କିଲୋମିଟର ଯାତ୍ରା କରିଛନ୍ତି । ଯାହା କଶ୍ମୀରରୁ କନ୍ୟାକୁମାରୀକୁ ୫.୩୩ ଲକ୍ଷ ଥର ଯାତ୍ରା କରିବା ସାଙ୍ଗେ ସମାନ । ମୁମ୍ୱାଇର କପିଲ କୁମାର ପାଣ୍ଡେ ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ ୧୦ ହଜାର ୭୦୩ଟି ଡେଳିଭରୀ କରିଛନ୍ତି । ଏବଂ କୋଏମ୍ୱାଟୁରର କଲିଶ୍ୱରୀ ଏମ ୬୬୫୮ ଅର୍ଡର ଡେଲିଭରୀ ଦେଇ ମହିଳା ପାର୍ଟନରଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ।ମୋଟାମୋଟି ସ୍ୱିଗିର ଭଲ ବିଗେନେସ ହୋଇଛି ଏବଂ ଡେଲିଭରୀ ପାର୍ଟନର ହିସାବରେ ଅନେକ ପିଲାଙ୍କୁ ରୋଜଗାର ବି ମିଳିଛି । କିନ୍ତୁ ଏ ରିପୋର୍ଟ ଭାରତୀୟଙ୍କ ଫୁଡ ଟେଷ୍ଟ ଓ ଫୁଡ ହାବିଟକୁ ନେଇ ଏକ ସ୍ପଷ୍ଟ ଚିତ୍ର ଦେଇଛି । ଯାହା ବାସ୍ତବରେ ରୋଚକ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now