ନିର୍ବାଚନୀ ରାଲିରେ ଗୁଳିକାଣ୍ଡରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହତ ହେବା ଓ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିବା ଘଟଣା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ଟ୍ରମ୍ପଙ୍କ ଆକ୍ରମଣ ପଛରେ ରାଜନୀତି ବି ତେଜ୍ ହୋଇଛି। ଟ୍ରମ୍ପଙ୍କୁ ଆକ୍ରମଣ ପାଇଁ ବାଇଡ଼େନ ଦାୟୀ ବୋଲି ରିପବ୍ଳିକାନ ଦଳ ଆରୋପ ଲଦିଛି। ସେପଟେ ବାଇଡେନ୍ ଦେଶକୁ ସମ୍ୱୋଧିତ କରି ବାଇଡେନ୍ କହିଛନ୍ତି, ସେ ଟ୍ରମ୍ପଙ୍କ ଶତୃ ନୁହଁନ୍ତି। ଆମେରିକାରେ ଏଭଳି ହିଂସାର କୌଣସି ଜାଗା ନାହିଁ। ଏବେ ସଂଯମତା ରଖିବାର ସମୟ ଆସିଛି।
ସାରା ବିଶ୍ୱ ସ୍ତବ୍ଧ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ବାଚନୀ ରାଲି ବେଳେ ଗୁଳିକାଣ୍ଡ ଓ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯିବା ଘଟଣା ସବୁଠି ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା ଉଦ୍ୟମ ପରେ ଟ୍ରମ୍ପ ଯଦିଓ ସିକ୍ରେଟ ସର୍ଭିସ ଓ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। କିନ୍ତୁ ଏହି ଗୁଳିକାଣ୍ଡ ପଛରେ ତାଙ୍କ ଦଳ ରିପବ୍ଲିକାନ୍ ସିଧାସଳଖ ବାଇଡେନଙ୍କୁ ଦାୟୀ କରିଛି। ଟ୍ରମ୍ପଙ୍କୁ ଜଣେ ଏକଛତ୍ରବାଦୀ, ଫାସିବାଦୀ ନେତା ଭାବେ ଅଭିହିତ କରି ତାଙ୍କୁ ଯେକୌଣସି ମୂଲ୍ୟରେ ରୋକିବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଥିଲେ ଏଭଳି କାଣ୍ଡ ଘଟିଲା ବୋଲି ରିପବ୍ଲିକାନ୍ ଆରୋପ ଲଦୁଛନ୍ତି। ବାଇଡେନଙ୍କ ବୟାନବାଜି ହିଁ ସିଧାସଳଖ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମର କାରଣ ବୋଲି ଦଳୀୟ ନେତା ବିବୃତ୍ତି ଜାରି ପରେ ତେଜିଛି ରାଜନୀତି।
ସେପଟେ ବାଇଡେନ୍ ବି ଦେଶବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ, ସେ ଟ୍ରମ୍ପଙ୍କ ଶତୃ ନୁହଁନ୍ତି। ବରଂ ପଡ଼ୋଶୀ ଅଟନ୍ତି। ବନ୍ଧୁ ଓ ସହକର୍ମୀ ଅଟନ୍ତି। ସବୁଠୁ ବଡ଼ କଥା ଉଭୟ ଆମେରିକୀୟ। ଆମେରିକା ବିକାଶ ପାଇଁ ସାଙ୍ଗରେ ଛିଡ଼ା ହେବା ଦରକାର। ଟ୍ରମ୍ପଙ୍କ ଉପରେ ଆକ୍ରମଣ ନିନ୍ଦନୀୟ। ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ବି ହୋଇଗଲା। ଆମେରିକାକୁ ହିଂସାର ରାସ୍ତାରେ ଯିବାକୁ ଦେବୁନି। ସଂସଦରେ ଆକ୍ରମଣ ହେଉ ଅବା ପୂର୍ବତନ ବାଚସ୍ପତି ନୈସିଂ ପେଲୋସିଙ୍କ ସ୍ୱାମୀଙ୍କ ଉପରେ ଆକ୍ରମଣ। ଅଥବା ସାଧାରଣ ନିର୍ବାଚନରେ ଅଧିକାରୀଙ୍କୁ ଧମକ ଦେବା ଘଟଣା। ରାଜ୍ୟପାଳଙ୍କୁ ଅପହରଣ କରିବାର ଷଡ଼ଯନ୍ତ୍ର ବା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର। ଆମେରିକାରେ ଏଭଳି ହିଂସା ଲାଗି କୌଣସି ଜାଗା ନାହିଁ। ଦେଶରେ ରାଜନୀତି ସରଗରମ ଥିଲା ବେଳେ ଏବେ ଏହାକୁ ଥଣ୍ଡା କରିବାର ସମୟ ଆସିଛି। ରିପବ୍ଲିକାନ ଦଳ ତାଙ୍କୁ ନେଇ ଅଙ୍ଗୁଳି ଉଠାଇବା କଥା ସେ ଜାଣନ୍ତି। ଆମେରିକାକୁ ପରିବର୍ତ୍ତନର ତାକତ ଲୋକଙ୍କ ହାତରେ ରହିବା ଦରକାର। ଶାନ୍ତି ସହକାରେ ରାସ୍ତା ବାହାର କରିବା ଦରକାର। ହିଂସାର କୌଣସି ବିକଳ୍ପ ନାହିଁ। ସୁରକ୍ଷା ସମୀକ୍ଷା ଲାଗି ନିର୍ଦେଶ ଦେଇଛନ୍ତି ବାଇଡେନ୍।
ଟ୍ରମ୍ପଙ୍କ ଆକ୍ରମଣକାରୀ ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ ସ୍ୱୟଂଚାଳିତ ବନ୍ଧୁକ ବ୍ୟବହାର କରିଥିଲା। ନିଜକୁ ରିପବ୍ଲିକାନ ଦଳର ସମର୍ଥକ ଭାବେ ପଞ୍ଜୀକରଣ କରି ଟ୍ରମ୍ପଙ୍କ ରାଲି ଉପରେ ନଜର ରଖିଥିଲା ଆକ୍ରମଣକାରୀ ମାଥ୍ୟୁ। ଟ୍ରମ୍ପଙ୍କୁ ହତ୍ୟା କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ ବୋଲି ତଦନ୍ତକାରୀ ସଂସ୍ଥା ଏଫବିଆଇ ସ୍ପଷ୍ଟ କରିଛି। କିନ୍ତୁ କାହିଁକି ଏଭଳି କରିଥିଲା ଆକ୍ରମଣକାରୀ, ତାହାର ଛାନଭିନ୍ କରୁଛି ଏଫବିଆଇ। କିଏ ଷଡ଼ଯନ୍ତ୍ର କରିଥିଲା ନା ଏକାକୀ ଥୋମାସ ପୁରା ପ୍ରକରଣର ମାଷ୍ଟରମାଇଣ୍ଡ ଥିଲା। ଥୋମାସ ନିପାତ ହେବା ପୂର୍ବରୁ ୫ରୁ ୮ ରାଉଣ୍ଡ ଗୁଳି ଚଳାଇଥିଲା। ଟ୍ରମ୍ପ୍ଙ୍କ ଉପରେ ଆକ୍ରମଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ଟ୍ରମ୍ପଙ୍କୁ ବନ୍ଧୁ ବୋଲି ସମ୍ୱୋଧନ କରି ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୋଦି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏହାକୁ ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। ଅନ୍ତରାଷ୍ଟ୍ରୀୟ ବାମପନ୍ଥୀ ଆଦର୍ଶଧାରାର ବ୍ୟକ୍ତିବିଶେଷଙ୍କ ହତାଶାର ଏହା ପରିଚୟ। ନିଜର ହାନୀକାରକ ବିଚାରାଧାରା ସମାପ୍ତ ହେବା ବେଳ ଆସିଗଲା। ସତ୍ତାରେ ଆସିବାକୁ ଗଣତନ୍ତ୍ରକୁ ଅସ୍ଥିର କରିବାକୁ ହିଂସାର ଆଶ୍ରୟ ନେଉଛନ୍ତି।
ଆମେରିକାର ରାଜନୀତିକ ହିଂସାର ବେଶ ଲମ୍ୱା ଇତିହାସ ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ, ଜେମ୍ସ ଗାରଫିଲ୍ଡ, ଓ୍ୱିଲିଅମ ମେକାକିନଲେଙ୍କ ଉପରେ ଆକ୍ରମଣ ପରେ ସିକ୍ରେଟ ସର୍ଭିସକୁ ସୁରକ୍ଷାର କମାଣ୍ଡ ଦିଆଯାଇଥିଲା। ଆମେରିକା ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ଓ ପ୍ରମୁଖ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା କରିବାକୁ ଟାର୍ଗେଟ ହୋଇଛି। ଆବ୍ରାହମ ଲିଙ୍କନ ପ୍ରଥମ ରାଷ୍ଟ୍ରପତି ଥିଲେ, ଯାହାଙ୍କୁ ଗୁ଼୍ଳି କରି ହତ୍ୟା କରାଯାଇଥିଲା। ଜୋନ୍ ଏଫ କେନେଡ଼ିଙ୍କ ହତ୍ୟା ପରେ ପୁରା ଆମେରିକାରେ ବୋବାଲ୍ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ଏହା ସତ୍ତ୍ୱେ ବି ଗାରଫିଲ୍ଡଙ୍କ ଉପରେ ୧୮ ଦିନ ପରେ ଦୁଇ ଥର ଆକ୍ରମଣ ହୋଇଥିଲା। ଆଉ ୧୯୮୧ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ରୋନାଲ୍ଡ ରିଗନଙ୍କୁ ଗୁଳି କରି ଗୁରୁତର କରିଥିଲେ ଆକ୍ରମଣକାରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now