ଭୂସ୍ଖଳନରେ ୧୪ ମୃତ, ୧୦ ନିଖୋଜ

କାଠମାଣ୍ଡୁ: ପ୍ରବଳ ବର୍ଷା କାରଣରୁ ପଶ୍ଚିମ ନେପାଳରେ ଭୂସ୍ଖଳନ। ଭୂସ୍ଖଳନରେ ଅନ୍ୟୁନ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ୧୦ ଜଣ ନିଖୋଜ ରହିଛନ୍ତି। ନିଖୋଜମାନଙ୍କ ଖୋଜା ଚାଲିଥିବା ବେଳେ ମୃତକ ଓ ଆହତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ସ୍ଥାନୀୟ ପୁଲିସ।

ନେପାଳରେ କିଛି ଦିନ ଧରି ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା କାରଣରୁ କାଠମାଣ୍ଡୁର ପଶ୍ଚିମାଞ୍ଚଳରେ ଥିବା ଆଛାମ ଜିଲ୍ଲାରେ ଭୂସ୍ଖଳନ ଘଟିଛି। ପର୍ବତରୁ ମାଟି ଅତଡା ସେଠାରେ ଥିବା ୫ଟି ଘର ଉପରେ ଖସିବାରୁ ବହୁ ଲୋକ ମାଟିତଳେ ଦବି ରହିଯାଇଥିଲେ। ଘଟଣା ପରେ ପୁଲିସ ଓ ବିପର୍ଯ୍ୟୟ ପରିଚାଳନା ଟିମ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୧୪ ଜଣଙ୍କ ମୃତଦେହ ସହ ୭ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ମିଡିଆ ଫୁଟେଜରେ ଉଦ୍ଧାରକାରୀ ଦଳ ମାଟି ଅତଡା ହଟାଇବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ପାଇଁ ଧାଉଁଥିବା ଦେଖିବାକୁ ମିଳିଛି। ପର୍ବତ ଘେରା ଦେଶ ନେପାଳରେ ମୌସୁମୀ ବର୍ଷାରେ ଜୁନ ଓ ସେପ୍ଟେମ୍ବରରେ ପାହାଡରୁ ମାଟି ଅତଡା ଖସିବା ସହ ବନ୍ୟାଜଳ ପ୍ରବାହିତ ହୋଇଥାଏ। ଚଳିତ ବର୍ଷ ବର୍ଷା ଯୋଗୁଁ ବନ୍ୟା ପାଣି ଓ ଭୂସ୍ଖଳନରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଥିବା ନେପାଳ ଅଧିକାରିକ ଡାଟାରୁ ସ୍ପଷ୍ଟ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *