ଜି-୨୦ ଅପଡେଟ୍ସ

ଇଣ୍ଡୋନେସିଆର ବାଲିରେ ହେଉଥିବା ଜି-୨୦ ଶୀଖର ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ବିଭିନ୍ନ ଦେଶ ଭିତରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ମୋଦି ଜର୍ମାନ, ଇଟାଲି, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ବ୍ରିଟେନ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ବହୁ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦ୍ବିତୀୟ ଦିନର ଆରମ୍ଭ ଜି-୨୦ ନେତାଙ୍କ ବାଲିସ୍ଥିତ ମାଗ୍ରୋଭ ଜଙ୍ଗଲ ପରିଦର୍ଶନରୁ ଆରମ୍ଭ ହୋଇଥିଲା। ଅନ୍ତିମ ଦିନରେ  ଇଣ୍ଡୋନେସିଆ ଆଗାମୀ ଜି-୨୦ ସମ୍ମିଳନୀ ପାଇଁ ତାର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛି।

ଜି-୨୦ ଶୀଖର ସମ୍ମିଳନୀରେ ଆଜି ଦ୍ୱିତୀୟ ଦିନ। ଦ୍ବିତୀୟ ଦିନ ଆରମ୍ଭରେ ମୋଦି ଅନ୍ୟ ନେତୃତ୍ବଙ୍କ ସହ ବାଲିରେ ଥିବା ସର୍ବ ବୃହତ ମାଗ୍ରୋଭ ବା ଚୀରସବୁଜ ବନ ପରିଦର୍ଶନ କରିଥିଲେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ଦେଖି ସାଲ୍ୟୁଟ ମାରିଥିଲେ। ମୋଦି ମଧ୍ୟ ପ୍ରତ୍ୟୁତ୍ତରରେ ସାଲୁଟ ମାରିଥିଲେ। ଏହା ପୂର୍ବରୁ ପ୍ରଥମ ଦିନ ଜି-୨୦ସମ୍ମିଳନୀ ଅବସରରେ ବାଇଡେନ ମୋଦିଙ୍କୁ ଦେଖି ଅତି ଉତ୍ସାହିତ ହୋଇ ନିଜ ଆଡୁ ମୋଦିଙ୍କ ସହ ହାତ ମିଳାଇବାକୁ ଆଗେଇ ଯାଇଥିଲେ ଓ କିଛି ସମୟ ପାଇଁ ପରସ୍ପରର ହାତକୁ ଧରି ରଖିଥିଲେ। ଋଷ –ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଋଷ ସହ ବ୍ୟାପାର ଜାରି ରଖିବାକୁ ଘୋଷଣା କରିବା ପରେ ଏହା ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର।  ସେଠାରେ ନେତୃବୃନ୍ଦଙ୍କ ଦ୍ବାରା  ବୃକ୍ଷରୋପଣ ମଧ୍ୟ ହୋଇଥିଲା। ଜଳବାୟୁ ପରିବର୍ତ୍ତନରେ ଏହି ଚିର ହରିତ ବୃକ୍ଷ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ।  ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆହୋଇଛି। ୨୦୨୨ରେ ଇଂଲଣ୍ଡ ଓ ପୁରା ୟୁରୋପ ଗରମରେ ଡହଳବିକଳ ହୋଇଛି। ପାକିସ୍ତାନରେ ପ୍ରବଳ ବର୍ଷା ବନ୍ୟାର ତାଣ୍ଡବ ରଚିଥିବା ବେଳେ  ଭାରତ ହିଟୱେବର ସାମ୍ନା କରିଛି। ଆମେରିକାରେ ମଧ୍ୟ ଭିଷଣ ଗରମରୁ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଦେଖି ଗ୍ଲୋବାଲ ମାଗ୍ରୋଭ ଏଲାଏନ୍ସରେ ସାମିଲ ହେବାକୁ ଭାରତ ମଧ୍ୟ ଘୋଷଣା କରିସାରିଛି। ଏହି ଏଲାଏନ୍ସ ଇଣ୍ଡୋନେସିଆ ଓ ୟୁଏଇ ଦ୍ବାରା ଆରମ୍ଭ ହୋଇଛି। ମାଗ୍ରୋଭ ଉପକୂଳ ଜଙ୍ଗଲ, ଯାହା ସାମୁଦ୍ରିକ ବାତ୍ୟା ଓ ଝଡ ପ୍ରଭାବକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଦ୍ବିତୀୟ ଦିନରେ ଡିଜିଟାଲ ଟ୍ରାନ୍ସଫରମେଶନ ଉପରେ ଅନୁଷ୍ଠିତ ଚର୍ଚ୍ଚାରେ ପ୍ରଧାମନ୍ତ୍ରୀ କହିଛନ୍ତି କି, ବହୁ ଟେକ ସୃଷ୍ଟି ଆମ ଯୁଗର ସବୁଠାରୁ ବଡ ଟ୍ରାନ୍ସଫର୍ମେଶନର ଅଂଶ ହୋଇଛି। ଦାରିଦ୍ର୍ୟ ସହ ଲଢିବା କ୍ଷେତ୍ରରେ ଟେକ୍ନୋଲୋଜି ବହୁ ସହାୟକ ହୋଇଛି। ବୈଷୟିକ ନିଦାନ ଜଳବାୟୁ ପରିବର୍ତ୍ତନ ପରି ବିଶ୍ବ ପାଇଁ ଚ୍ୟାଲେଞ୍ଜର ମୁକାବିଲାରେ ସହାୟକ ହେବ।

ଜି-୨୦ର ଶେଷ ସମାରୋହରେ ପୂର୍ବରୁ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଚର୍ଚ୍ଚା ହୋଇଛି। ଉଭୟଙ୍କ ମଧ୍ୟରେ ଟ୍ରେଡ ଏଗ୍ରିମେଣ୍ଟ ଓ ଶକ୍ତି ଉପରେ ଆଲୋଚନା ହୋଇଛି। ଅନ୍ତିମ ଦିନରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଠାରୁ ମୋଦି ଆଗାମୀ ଜି-୨୦ର ଅଧ୍ୟକ୍ଷତା ଭାର ଗ୍ରହଣ କରିଛନ୍ତି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ମୋଦି କହିଛନ୍ତି।  ୧ ଡିସେମ୍ୱରରୁ ନୂଆଦିଲ୍ଲୀରେ ଜି-୨୦ ସମୂହ ନେତୃତ୍ୱଙ୍କ ଶୀଖର ସମ୍ମିଳନୀ ହେବ। ଡିସେମ୍ବର ୨୦୨୨ରେ ଏହାର ଶୁଭାରମ୍ଭ ଉଦୟପୁରରେ ହେବ। ଉଦୟପୁର ସହ ଯୋଧପୁର ଓ ଜୟପୁରରେ ବୈଠକ ବସିବ।  ଅଧ୍ୟକ୍ଷତା ହସ୍ତାନ୍ତର ପରେ ଭାରତର ଜି-୨୦ ଅଧ୍ୟକ୍ଷତା ବେଶ ସାମୂହିକ ଓ ମହତ୍ତ୍ୱାକାଂକ୍ଷୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ଆଗାମୀ ଏକ ବର୍ଷ ଧରି ସାମୂହିକ କ୍ରିୟାଶୀଳତାକୁ ଦ୍ରୁତ କରିବାକୁ ଭାରତ ବୈଶ୍ୱିକ ପ୍ରମୁଖ ଭାବେ କାର୍ଯ୍ୟ କରିବ। ସାରା ବିଶ୍ବକୁ ଜି-୨୦ ଠାରୁ ବହୁ ଆକାଂକ୍ଷା ରହିଛି। ସାରା ବିଶ୍ବର ନଜର ଭାରତ ଉପରେ । ତେଣୁ ଭାରତ ମଧ୍ୟ ତାର କାର୍ଯ୍ୟ ଦ୍ବାରା ବିଶ୍ବ ସମୂହ ପାଇଁ ସହାୟକ ହେବ ବୋଲି ମୋଦି କହିଛନ୍ତି।

ଜି -୨୦ ସମ୍ମିଳନୀର ପ୍ରଥମ ଦିନରେ ଇଣ୍ଡୋନେସିଆର ପ୍ରଥମ ମହିଳା ନାଗରିକ ଇରିଆନା ଜୋକୋ ୱିଡୋଡୋ ଜି-୨୦କୁ ଆସିଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀମାନଙ୍କ ସହ ସୋଫିଟେଲ ବାଲିରେ ସାକ୍ଷାତ କରିଥିଲେ।  ସେପଟେ ପ୍ରଥମ ଦିନ ସଂଧ୍ୟାରେ ଇଣ୍ଡୋ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ନସ୍ୟ ରାତ୍ରୀ ଭୋଜନକାଳରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହା ପୂର୍ବରୁ ଉଜବେକିସ୍ତାନର ସମରକନ୍ଦରେ ସେପ୍ଟେମ୍ବର ମାସରେ ଆୟୋଜିତ ଏସସିଓ ମିଟିଂରେ ଦୁଇ ନେତା ମଞ୍ଚରେ ଉପସ୍ଥିତ ଥିଲେ ମଧ୍ୟ କେହି କାହାରିକୁ  ଚାହଁନଥିଲେ। ସେହିଭଳି ବାଲିର ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟେନ ପିଏମ ରିଷି ସୁନକ ଏବଂ ମୋଦିଙ୍କ ମଧ୍ୟରେ ଭେଟଘାଟ ହେବାପରେ ପ୍ରତିବର୍ଷ ୩ ହଜାର ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରିଷି ସୁନକ। ୟୁକେ-ଭାରତ ମଧ୍ୟରେ ପ୍ରବାସୀ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବ୍ରିଟେନ ସରକାର। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ବହୁ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଅନଔପଚାରିକ ଆଲୋଚନା ହୋଇଥିବା ବେଳେ ଆଜି ଔପଚାରିକ ସାକ୍ଷାତ ସମ୍ପନ୍ନ ହୋଇଛି ଓ ଆଲୋଚନା ସକାରାତ୍ମକ ଥିବା ସୂଚନା ରହିଛି।  

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *