ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍ ଠାରେ ସାକ୍ଷାତ ଆଲୋଚନା ହୋଇଛି ।

ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ ।

ଦୁଇ ଦେଶ ମଧ୍ୟରେ, ବିଶେଷ କରି ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ ।

ଜି-୨୦ରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଲ୍ ସିସି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଖାଦ୍ୟ ଓ ଇନ୍ଧନ ଅସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଲୋକପାତ କରିଥିଲେ ଏବଂ ଗ୍ଲୋବାଲ୍ ସାଉଥ୍ ବା ଅବିକଶିତ ତୃତୀୟ ବିଶ୍ୱ ରାଷ୍ଟ୍ର ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିବା ଉପରେ ଜୋର ଦେଇଥିଲେ । ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଅଲ ସିସିଙ୍କୁ ସ୍ୱାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇଚ୍ଛା ପ୍ରକଟ କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣି ଉଭୟ ରାଷ୍ଟ୍ର ମଧ୍ୟରେ ‘ରଣନୀତିକ ସହଭାଗିତା’ ପ୍ରତିଷ୍ଠା ନିମନ୍ତେ ଦୁଇ ନେତା ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ । କୃଷି, ପ୍ରତ୍ନତତ୍ତ୍ୱ ଓ ବିରଳ କିର୍ତ୍ତୀରାଜି ଏବଂ ପ୍ରତିଯୋଗିତା ମୂଳକ ଆଇନ କ୍ଷେତ୍ରରେ ତିନୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମୋସ୍ତାଫା ମାଡବୌଲୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଏନଏସଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *