() ଟିମ୍ ଜର୍ଜ ବିଶ୍ୱର ୩୦ରୁ ଉର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଛି। ଇସ୍ରାଏଲର ଏନଏସଓ ଗ୍ରୁପ ଦ୍ୱାରା ବିକଶିତ ପେଗାସସ୍ ସ୍ପାଏଓ୍ୱେରର ଗୁପ୍ତଚରଗିରି ବିବାଦ ନ ଥମୁଣୁ ଟିମ୍ ଜର୍ଜ ଭାରତ ସମେତ ୩୦ରୁ ବେଶୀ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଥିବା ଖବର ଆଲୋଡ଼ନ ସୃଷ୍ଟି କରିଛି। ତେବେ ଟିମ୍ ଜର୍ଜକୁ କିଏ ଲିଡ୍ କରୁଛି। ଏଭଳି ସଂସ୍ଥାର କାରନାମା କେମିତି ଲୋକଲୋଚନକୁ ଆସିଲା। କିଏ ପ୍ରଘଟ କଲା। ଦେଖନ୍ତୁ ଏହି ରିପୋର୍ଟରେ।
ଇସ୍ରାଏଲ୍ ସ୍ପେଶାଲ ଫୋର୍ସର ୫୦ ବର୍ଷୀୟ ପୂର୍ବତନ ଅପରେଟିଭ୍ ତାଲ୍ ହନାନ୍। ଯାହାଙ୍କ ନେତୃତ୍ୱାଧୀନ ଟିମ୍ ଜର୍ଜ କାମକୁ ନେଇ ଏବେ ହଇଚଇ। ଇସ୍ରାଏଲୀ କଣ୍ଟ୍ରାକ୍ଟର୍ସଙ୍କୁ ନେଇ ଗଠିତ ଟିମ୍ ଜର୍ଜ ଭାରତ, ବ୍ରିଟେନ, ଆମେରିକା, କାନାଡ଼ା, ଜର୍ମାନୀ, ସୁଇଜରଲ୍ୟାଣ୍ଡ, ମେକ୍ସିକୋ ସମେତ ପ୍ରାୟ ୨୦ ଦେଶରେ ଫେକ୍ ସୋସିଆଲ ମିଡ଼ିଆ କ୍ୟାମ୍ପେନ ଜରିଆରେ ଜନମତକୁ ପ୍ରଭାବିତ କରିଛି। ସଂସ୍ଥାର ମୁଖ୍ୟ ତାଲ୍ ହନାନ୍ ନିଜକୁ ଜର୍ଜ ଭାବେ ଛଦ୍ମ ପରିଚୟ ଦେଇ ତାଙ୍କ ଗୋଷ୍ଠୀକୁ ଟିମ୍ ଜର୍ଜ ଆଖ୍ୟା ଦେଇଛନ୍ତି। ଟୁଇଟର, ଲିଙ୍କେଡଇନ୍, ଟେଲିଗ୍ରାମ୍, ଜିମେଲ୍, ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରେ ଏହି ଟିମର ଅନେକ ହଜାର ଫେକ୍ ସୋସିଆଲ ମିଡ଼ିଆ ପ୍ରୋଫାଇଲ୍ ରହିଛି। ହନାନଙ୍କ ମତରେ ଟିମ୍ ଜର୍ଜ ସଦସ୍ୟମାନେ ବ୍ଲାକ୍ ଅପରେସନ୍ସ ଜରିଆରେ ୩୩ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିଲେ। ଏଥିରୁ ୨୭ଟି ସଫଳତା ମିଳିଛି।
ହ୍ୟାକିଂ, ଅନ୍ତର୍ଘାତୀ କାର୍ଯ୍ୟ ଓ ସୋସିଆଲ ମିଡ଼ିଆରେ ସ୍ୱୟଂଚାଳିତ ମିଛ ସୂଚନାର ପ୍ରଚାର ଭଳି ଉପାୟ ଆପଣାଇ ଏହା କରାଯାଉଥିବା ବୁଧବାର ପ୍ରଘଟ ହୋଇଥିଲା। ଫ୍ରାନ୍ସଭିତ୍ତିକ ଅଣଲାଭକାରୀ ସଂସ୍ଥା ଫରବିଡେନ୍ ଷ୍ଟୋରିଜର ନିର୍ଦେଶକ୍ରମେ ଫ୍ରାନ୍ସର ଲେ ମୋଣ୍ଡେ, ଜର୍ମାନୀର ଡେର୍ ସ୍ପିଏଜେଲ୍ ଓ ସ୍ପେନର ଏଲ ପେସ୍ ସମେତ ୩୦ଟି ମିଡିଆ ହାଉସର ସାମ୍ୱାଦିକ ଅନୁସନ୍ଧାନ କରିଥିଲେ। ୩ ଜଣ ସାମ୍ୱାଦିକ କ୍ଲାଏଣ୍ଟ ପରିଚୟ ଦେଇ ଟିମର କେତେକ ଗୋପନୀୟ ଫୁଟେଜ୍ ହାତେଇବାକୁ ସକ୍ଷମ ହୋଇଥିଲେ। ୨୦୨୧ରେ ଏନଏସଓ ଗ୍ରୁପ୍ ଦ୍ୱାରା ବିକଶିତ ପେଗାସସ୍ ସ୍ପାଏଓ୍ୱେର ବିଶ୍ୱର ୫୦ହଜାର ବ୍ୟକ୍ତିଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର କରାଯାଇଥିଲା।
ଏହି ଚାଞ୍ଚଲ୍ୟକର ପ୍ରଘଟ ମଧ୍ୟ ଫରବିଡେନ୍ ଷ୍ଟୋରିଜ୍ କରିଥିଲା। ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି କି, ଟିମ୍ ଜର୍ଜ ଏକ ସଫ୍ଟଓ୍ୱେରର ବିକାଶ କରିଛି। ଯାହାକୁ ଆଡଭାନ୍ସ ଇମ୍ପାକ୍ଟ ମିଡିଆ ସଲ୍ୟୁସନ କୁହାଯାଉଛି। ଆଉ ଏହା ଜରିଆରେ ନିଜର କ୍ଲାଏଣ୍ଟକୁ ମିଡିଆ କ୍ୟାମ୍ପେନରେ ଏହା ଲଗାଉଛି। ଦୀର୍ଘ ୮ ମାସ ଧରି ଟିମ୍ ଜର୍ଜକୁ ନେଇ ଛାନଭିନ ଚାଲିଥିଲା। ଟିମ୍ ଜର୍ଜ ବି ସ୍ୱୀକାର କରିଛି କି ୩୦ଟି ଦେଶର ନିର୍ବାଚନରେ ଏହା ହସ୍ତକ୍ଷେପ କରିଛି। ହ୍ୟାକିଂ, ମିଛ ଖବର ଓ ଟ୍ରୋଲ୍ ଜରିଆରେ ପ୍ରଭାବିତ କରିଛି। ନାଇଜେରିଆନ ଇଲେକ୍ସନରେ ବି ଟିମ୍ ଜର୍ଜ ଓ କ୍ୟାମ୍ୱ୍ରିଜ୍ ଆନାଲିଟିକ ହସ୍ତକ୍ଷେପ କରିଥିବା ସ୍ପଷ୍ଟ ହୋଇସାରିଛି। କିନ୍ତୁ ତଦନ୍ତକାରୀ ସଂସ୍ଥା ଭିଡ଼ିଓ ଯୋଗେ ସ୍ପଷ୍ଟ କରିଛି କି, ଏ ସବୁ ଦେଶ ଭିତରେ ଭାରତ ବି ଅଛି। ଯେଉଁଠି ସାଇବର ଟୁଲ୍ ବ୍ୟବହାରକୁ ସ୍ୱୀକାର କରାଯାଇଛି। ଇସ୍ରାଏଲ ସେନାରେ ସ୍ପେଶିଆଲ ଫୋର୍ସ କାମ ତୁଲାଉଥିଲେ ହନାନ୍। ଗଲା ଦୁଇ ଦଶନ୍ଧି ଧରି ତାଲ୍ ହନାନ୍ ଙ୍କ ସଂସ୍ଥା ଗ୍ଲୋବାଲ ସିକ୍ୟୁରିଟି, ପ୍ରତିରକ୍ଷା, ଗୁଇନ୍ଦା କାମରେ ନିୟୋଜିତ ହୋଇଆସିଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now