ମହିଳାଙ୍କ ବିରୁଦ୍ଧରେ ଆହୁରି କଠୋର ହେଲା ତାଲିବାନ

ମହିଳାଙ୍କ ବିରୁଦ୍ଧରେ ଆହୁରି କଠୋର ହେଲା ତାଲିବାନୀ। ଆଫଗାନିସ୍ତାନରେ ମହିଳାଙ୍କ ସ୍ୱାଧୀନତା ଉପରେ ଦିନକୁ ଦିନ ଅଧିକ ଅଙ୍କୁଶ ଲଗାଇଚାଲିଛି ତାଲିବାନୀ ଶାସନ। ଏପରିକି ଏଣିକି ମହିଳା ଘରର ଝରକା ଦେଇ ବି ବାହାରକୁ ଚାହିଁପାରିବେନି। ସେ ସବୁ ଝରକା ଆଗରେ ଇଟା ଦେଇ ବନ୍ଦ କର। ଯେଉଁଠି ମହିଳା ନଜର ଆସିବାର ସମ୍ଭାବନା ଥିବ। ଆଉ ଏଭଳି କଠୋର ନିୟମ ପଛରେ କୁଆଡ଼େ ଅଶ୍ଳୀଳତା ରୋକିବାର ଆଳ ନେଇଛି ତାଲିବାନୀ ଶାସନ। ତାଲିବାନୀ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ଏହି ବୟାନ ଜାରି କରିଛନ୍ତି। ରୋଷେଇ ଘରେ, ଅଗଣାରେ କି କୂଅରୁ ପାଣି ଭର୍ତ୍ତି କରିବାରେ ମହିଳାଙ୍କୁ ଦେଖିଲେ ଏହା ଅଶ୍ଲୀଳତାକୁ ଜନ୍ମ ଦେଇପାରେ। ଆଫଗାନିସ୍ତାନର ନଗରନିଗମ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ଯେ, କୌଣସି ନୂଆ ଘର ନିର୍ମାଣ ବେଳେ ଏମିତି କୌଣସି ଝରକା ହେବନି, ଯେଉଁଠୁ ପଡ଼ୋଶୀଙ୍କ ନଜର ଘରେ ପଡ଼ିବ।

ଏହା ସହ ଷଷ୍ଠ ଶ୍ରେଣୀରୁ ଅଧିକ ପଢ଼ିପାରିବେନି ମହିଳା। ବାହାରକୁ ବାହାରିଲେ ହିଜାବ ନିଶ୍ଚିତ ପରିଧାନ କରିବେ। ଏକୁଟିଆ କୁଆଡ଼େ ଯାଇପାରିବେନି। ଡ୍ରାଇଭିଂ ଲାଇସେନ୍ସ ଦେବା ଉପରେ ଲାଗିଛି ପ୍ରତିବନ୍ଧକ। ପାର୍କ, ଜିମ୍, ସୁଇମିଂ ପୁଲ୍ ଯାଇପାରିବେନି ମହିଳା। ଚାକିରୀ କରିପାରିବେନି। ଦୋକାନ ବାହାରେ ମହିଳାଙ୍କ ଛବି ଥିବା ଫ୍ଲେକ୍ସ କି ବୋର୍ଡ ଲାଗିପାରିବନି। ଚଳିତ ମାସ ଆରମ୍ଭରୁ ମହିଳାଙ୍କ ନର୍ସିଂ ଟ୍ରେନିଂ ଉପରେ ବ୍ୟାନ୍ ଲାଗିସାରିଛି। କିନ୍ତୁ ଏହା ପଛର କାରଣ କୁହାଗଲାନି। ଅଗଷ୍ଚରେ ଆଫଗାନିସ୍ତାନ ମହିଳାଙ୍କୁ ସାର୍ବଜନୀନ ସ୍ଥାନରେ କହିବା ଓ ଚେହେରା ଦେଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅଧିକ ଜରୁରୀ ଆବଶ୍ୟକ ପଡ଼ିଲେ ଯାଇ ହିଁ ମହିଳା ଘରୁ ବାହାରକୁ ବାହାରିପାରିବେ। ଏହା ବ୍ୟତୀତ ଖେଳରେ ବି ମହିଳା ଭାଗ ନେଇପାରିବେନି।  ସମସ୍ତ ଏନଜିଓଙ୍କୁ ନିର୍ଦେଶ ଦିଆଯାଇଛି ଯେ, ମହିଳାଙ୍କୁ ଚାକିରୀ ଦେବେନି ଓ ସେମାନଙ୍କ ଚେହେରା ଘୋଡ଼େଇରଖିବା ଦିଗରେ ଯତ୍ନବାନ୍ ହେବେ। ଏହା ନ ମାନିଲେ, ସମସ୍ତ ଏନଜିଓକୁ ବନ୍ଦ କରିଦିଆଯିବ। ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଆଫଗାନିସ୍ତାନରେ ୨୦୨୧ ଅଗଷ୍ଟରୁ ଲାଗୁ ହୋଇଛି ସରିୟା ଆଇନ। ତାଲିବାନୀ ସରକାରଙ୍କ ଯୁକ୍ତି ହେଉଛି ଯେ, ଏଭଳି ଇସଲାମ ଆଇନ ଆଫଗାନ୍ ପୁରୁଷ ଓ ମହିଳାଙ୍କ ଅଧିକାରକୁ ଗ୍ୟାରେଣ୍ଟି ଦେଉଛି।

ତେବେ ଏଭଳି ପ୍ରତିବନ୍ଧକକୁ ନେଇ ମାନବାଧିକାର ସଂଗଠନ ପ୍ରବଳ ବିରୋଧ କରିଛି। ସଂଯୁକ୍ତ ରାଷ୍ଟ୍ର ସଂଘ ବି ଏଭଳି ନୀତି ବିରୁଦ୍ଧରେ ଘୋର ଆପତ୍ତି ଜାହିର କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *