ଆମେରିକାରେ ଡବଲ୍ ଆତଙ୍କି ଆଟାକ୍

ଆମେରିକାରେ ଆତଙ୍କି ଆକ୍ରମଣ। ନୂଆବର୍ଷରେ ଦୁଇ ଦୁଇଟି ଆତଙ୍କି ହମଲା। ବର୍ବନ ଷ୍ଟ୍ରିଟରେ ଆତଙ୍କବାଦୀ ଟ୍ରକ ଚଢାଇ ପରେ ଗୁଳି କରି ୧୫ ଜଣଙ୍କୁ ମାରିଛି। ସେପଟେ ଟ୍ରମ୍ପ ଇଣ୍ଟରନାସନାଲ ହୋଟେଲ ପାଖରେ କାର୍ ବିସ୍ଫୋରଣରେ ଅନେକ ମୃତାହତ ହୋଇଛନ୍ତି। ନ୍ୟୁ ଅରଲିୟନ୍ସ ସହରର ପ୍ରସିଦ୍ଧ ବର୍ବନ ଷ୍ଟ୍ରିଟ୍ରେ ନୂଆବର୍ଷ ପାଳୁଥିବା ବେଳେ ଆତଙ୍କବାଦୀ ଏକ ଟ୍ରକକୁ ଅସ୍ତ୍ର କରି ଲୋକଙ୍କ ଉପରେ ମଡ଼ାଇଥିଲା। ଟ୍ରକ୍ ଚଢାଇ ୧୫ଜଣଙ୍କୁ ହତ୍ୟା କରିଛି ଆତଙ୍କବାଦୀ। ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଟ୍ରକ୍ ଦ୍ରୁତ ବେଗରେ ଭିଡ଼କୁ ଧକ୍କା ଦେବା ପରେ ଡ୍ରାଇଭର ବାହାରକୁ ଆସି ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲା। ପୁଲିସର ଗୁଳି ବିନିମୟରେ ଆକ୍ରମଣକାରୀର ମୃତ୍ୟୁ ହୋଇଛି। ରାତି ପ୍ରାୟ ୩ଟା ୧୫ର ଘଟଣା। ଏଫବିଆଇ ଏହାକୁ ଆତଙ୍କୀ ହମଲା ବୋଲି ଘୋଷଣା କରି ଛାନଭିନ ଆରମ୍ଭ କରିଛି। କାରଣ ଅଭିଯୁକ୍ତର ଗାଡ଼ିରୁ ଆଇଏସଆଇଏସର ପତାକା ଜବତ ହୋଇଛି। ଆକ୍ରମଣକାରୀ ୪୨ ବର୍ଷୀୟ ସମ୍ମୁଦ-ଦିନ୍ ଜବ୍ବାର ବୋଲି ଜଣାପଡ଼ିଛି। ବୋର୍ବନ ଷ୍ଟ୍ରିଟ୍ ଓ ଇବରଭିଲ୍ ଛକ ବିଶେଷକରି ନାଇଟ୍‌ ଲାଇଫ ଓ ସାଂସ୍କୃତିକ ବିବିଧତା ଲାଗି ପ୍ରସିଦ୍ଧ ଅଟେ। ଆଉ ଏଇଠାରେ ହିଁ ସମବେତ ହୋଇଥିବା ପ୍ରାୟ ୧୫ଶହ ଲୋକଙ୍କୁ ଟାର୍ଗେଟ କରିଥିଲା ସମ୍ମୁଦ। ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଆମେରିକାରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି। ଫ୍ରେଞ୍ଚ୍ କ୍ୱାର୍ଟରରୁ ଦୂରରେ ରହିବାକୁ ଅପିଲ ସହ ଏଭଳି ଆକ୍ରମଣ ଆମେରିକାରେ ଅସ୍ଥିରତା ସୃଷ୍ଟି ଲାଗି ହୋଇଛି ବୋଲି କହିଛନ୍ତି ଲୁଇସିଆନା ଗଭର୍ଣ୍ଣର ଜେଫ୍ ଲଣ୍ଡ୍ରି।

ଏଇ ଗୋଟିଏ ଆତଙ୍କୀ ଆକ୍ରମଣ ନୁହେଁ। ଲସ୍ ବେଗାସରେ ଟ୍ରମ୍ପ ହୋଟେଲ ସାମ୍ନାରେ ବଡ ଧରଣର ବିସ୍ଫୋରଣରେ ଅନେକ ମୃତାହତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କର ଲାସ ବେଗାସସ୍ଥିତ ହୋଟେଲ ବାହାରେ କୋ-ଟେସଲା କମ୍ପାନୀର ସାଇବରଟ୍ରକରେ ବିସ୍ଫୋରଣ ହୋଇଛି। ଏଥିରେ ଗାଡ଼ି ଭିତରେ ଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବାହାରେ ଥିବା ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଟେସଲା ସାଇବରଟ୍ରକରେ ମୋର୍ଟାର ଓ ଇନ୍ଧନ ସାମଗ୍ରୀ ରହିଥିଲା। ଏଫବିଆଇ ଏହା ପଛରେ ଆତଙ୍କି କନେକ୍ସନକୁ ନେଇ ଯାଞ୍ଚ ଆରମ୍ଭ କରିଛି। ଏହି ଟ୍ରକ ଏଲନ ମସ୍କଙ୍କ କମ୍ପାନୀର ଅଟେ। ମସ୍କଙ୍କୁ ଟ୍ରମ୍ପ ନିଜ ସରକାରରେ ମହତ୍ତ୍ୱପୂର୍ଣ୍ଣ ପଦ ଦେବାକୁ ମନୋନୀତ କରିଛନ୍ତି।

ଏହି ଦୁଇଟି ଘଟଣାରେ କନେକ୍ସନକୁ ନେଇ ଅନେକ ଚର୍ଚ୍ଚା ହେଉଛି। କାରଣ ଦୁଇଟି ଘଟଣାରେ ବ୍ୟବହୃତ ଗାଡ଼ି ଭଡ଼ାରେ ଅଣାଯାଇଥିଲା। ଟୁରୋ କମ୍ପାନୀର ଅନଲାଇନ ଆପରେ ଏହି ଭଡ଼ା ଗାଡି ମଗାଯାଇଥିଲା। ଦୁଇଟି ଯାକ ଘଟଣାରେ ଟୁରୋରୁ ଭଡ଼ାରେ ଆସିଥିବା ଟ୍ରକକୁ ବ୍ୟବହାର ହୋଇଛି। ଟୁରୋ କମ୍ପାନୀ କହିଛି, ତଦନ୍ତରେ ପୁଲିସକୁ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଦୁଇ ଦୁଇଟି ଆତଙ୍କି ଆକ୍ରମଣ ଆମେରିକାକୁ ଥରହର କରି ଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *