ନୂଆଦିଲ୍ଲୀ: ଭାରତରେ ଆଜିଠୁ ଆରମ୍ଭ ହୋଇଛି ପ୍ରଯୁକ୍ତି ବିଦ୍ୟାର ଆଉ ଏକ କ୍ରାନ୍ତିକାରୀ ଅଧ୍ୟାୟ। ଲୋକେ ଏଣିକି ମୋବାଇଲରେ ହାଇସ୍ପିଡ୍ ଇଣ୍ଟରନେଟର ଅନ୍ୟନ୍ୟ ଅନୁଭୂତି ହାସଲ କରିବାକୁ ସୁଯୋଗ ପାଇବେ। ନୂଆଦିଲ୍ଲୀରୁ ଇଣ୍ଡିଆ ମୋବାଇଲ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ୫ଜି ସେବାର ଶୁଭାରମ୍ଭ କରିଛନ୍ତି। ଚୀନ, ଆମେରିକା, ଫିଲିପାଇନ୍ସ, ଦକ୍ଷିଣ କୋରିଆ, କାନାଡା, ସ୍ପେନ୍, ଇଟାଲି, ଜର୍ମାନୀ ଓ ବ୍ରିଟେନ ଭଳି ୫ଜି ସେବା ମିଳୁଥିବା ଦେଶ ତାଲିକାରେ ଯୋଡ଼ି ହୋଇଗଲା ଭାରତ। ତେବେ ୫ଜି ସେବା ଉପଲବ୍ଧର ଯାତ୍ରା କେମିତି ଥିଲା ଓ ଏହା ଦ୍ୱାରା କି ଫାଏଦା ମିଳିବ, ଆସନ୍ତୁ ନଜର ପକାଇଦେବା ଏହି ରିପୋର୍ଟରେ।
୫ଜି ପାଇଁ ୨୦୧୭ରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ଫୋରମ୍ ଗଠନ କରିଥିଲେ। ଏଥିରେ ୫ଜି ସେବାକୁ କିଭଳି ଦେଶରେ ଉପଲବ୍ଧ କରାଯିବ, ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଫୋରମର ମୁଖ୍ୟ ଏଜେଣ୍ଡା ଥିଲା କି, କେମିତି ଏହି ସେବା ଗ୍ଲୋବାଲ ଷ୍ଟାଣ୍ଡାର୍ଡର ହେବ। ଯାହା ଫଳରେ ୪ଜିକୁ ନେଇ ଗ୍ଲୋବାଲ ଟେଲିକମ୍ ନେଟଓ୍ୱର୍କରେ ଥିବା ଅନେକ ଅସମାନତାକୁ ଦୂର କରିହେବ। ଏହି ଫୋରମକୁ ଲିଡ୍ କରିଥିଲେ ଷ୍ଟାନଫୋର୍ଡ ୟୁନିଭରସିଟିର ପ୍ରଫେସର ଏଜେ ପାଉଲରାଜ। ୨୦୧୮ରେ ସେ ଏକ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିଥିଲେ। ଏଥିରେ ସ୍ପେକ୍ଟ୍ରମ ପଲିସି, ରେଗୁଲୋଟରି ପଲିସି, ଆପ୍ଲିକେସନ ଉପରେ ଫୋକସ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଆଉ ଯେତେବେଳେ ୫ଜି ଆପ୍ଲିକେସନର ବିକାଶ ଓ ଗବେଷଣା ପାଇଁ ସରକାର ଟେଲିକମ କମ୍ପାନୀମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ କଲେ। ଟ୍ରାଏଲ ଭିତ୍ତିରେ ଏହାକୁ କରିବାକୁ ସରକାର ସମ୍ମତି ଦେଇଥିଲେ। ୨୦୧୯ ସୁଦ୍ଧା ଟେଲିକମ ବିଭାଗ ଓ ଟ୍ରାଇ ସ୍ପେକ୍ଟ୍ରମ ଦର ଧାର୍ଯ୍ୟ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲା। ଆଉ ଚଳିତ ବର୍ଷ ଅଗଷ୍ଟରେ ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ସରିଥିଲା। ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାରେ ସବୁଠୁ ଆଗରେ ଥିଲା। ୮୮ହଜାର କୋଟିରୁ ଅଧିକ ଟଙ୍କାରେ ୫ଜି ସ୍ପେକ୍ଟ୍ରମ କିଣିବା ସହ କହିଥିଲା କି, ଦୀପାବଳି ସୁଦ୍ଧା ମେଟ୍ରା ସହର ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ ଓ କୋଲକାତାରେ ଆରମ୍ଭ କରିବ ଏହି ସେବା। ଭାରତୀ ଏୟାରଟେଲ୍ ଯିଏ କି ଦ୍ୱିତୀୟ ବିଡର ଥିଲା। ୨୦୨୩ ଶେଷ ସୁଦ୍ଧା ଏହା ଦେଶର ସମସ୍ତ ସହରାଞ୍ଚଳରେ ୫ଜି ସେବାକୁ ଉପଲବ୍ଧ କରାଇବ ବୋଲି ଏୟାରଟେଲ୍ କଥା ଦେଇଛି। କେବଳ ଏତିକି ନୁହେଁ, କମ୍ପାନୀ କଥା ଦେଇଥିଲା କି, ମାର୍ଚ୍ଚ ୨୦୨୪ ସୁଦ୍ଧା ୫ଜି ସେବା ସମସ୍ତ ସହର ଓ ଗ୍ରାମାଞ୍ଚଳରେ ପହଞ୍ଚାଇବ। ଏବେ ଆସନ୍ତୁ ନଜର ପକାଇଦେବା, ଏହି ୫ଜି ସେବା ପାଇଁ ଭାରତ କେମିତି ଉପକୃତ ହେବ। ୨୦୩୫ ସୁଦ୍ଧା ୫ଜି ସେବା ଲାଗି ଭାରତର ଅର୍ଥନୀତି ୪୫୦ ବିଲିଅନ ଡଲାର ଛୁଇଁବ ବୋଲି ଆକଳନ କରିଛି ଟେଲିକମ ବିଭାଗ। ଗ୍ରାହକଙ୍କୁ ଏହା ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଦେବ। ୫ଜିରେ ଇଣ୍ଟରନେଟ୍ ସ୍ପିଡ୍ ୧୦ ଜିବିପିଏସକୁ ଛୁଇଁବ। ଯେତେବେଳେ ୪ଜିର ପିକ୍ ୧୦୦ ଏମବିପିଏସ। ସେହିଭଳି ୪ଜିରେ ଲାଟେନ୍ସି ୧୦ରୁ ୧୦୦ ମିଲିସେକେଣ୍ଡ ଥିଲା ବେଳେ ୫ଜିରେ ଏହା ୧ ମିଲିସେକେଣ୍ଡ ତଳକୁ ରହିବ ବୋଲି ଆଶା କରାଯାଉଛି। ଲାଟେନ୍ସି ହେଉଛି ସେହି ସମୟର ଅବଧି। ଗୋଟିଏ ଡିଭାଇସରୁ ଡାଟା ପଠାଇଥାଏ ଓ ବହୁ ଜଲଦି ଏହାର ଉତ୍ତର ବି ପାଇଥାଏ। ସେଥିଲାଗି ୫ଜି କ୍ୱିକ୍ ରେସପନ୍ସ ପାଇଁ ସହାୟକ ହେବ। ୫ଜି ନେଟଓ୍ୱର୍କ ଦୁଇଟି ମୋଡରେ ଉପଲବ୍ଧ। ଷ୍ଟାଣ୍ଡାଲୋନ୍ ଓ ନନ-ଷ୍ଟାଣ୍ଡୋଲୋନ୍। ଷ୍ଟାଣ୍ଡାଲୋନକୁ ଜିଓ ବାଛିଛି। ଏହି ପ୍ରକ୍ରିୟାରେ ୫ଜି ନେଟଓ୍ୱର୍କ ଡେଡିକେଟେଡ୍ ଉପକରଣ ସହ ଅପରେଟ କରିବ। ଏବେ ପ୍ରଚଳିତ ୪ଜି ନେଟଓ୍ୱର୍କ ସହ ସମାନ୍ତରାଳ ଭାବେ କାମ କରିବ। କିନ୍ତୁ ନନ୍-ଷ୍ଟାଣ୍ଡାଲୋନ୍ ମୋଡରେ ୪ଜି କୋର୍ ଇନଫ୍ରାଷ୍ଟ୍ରକଚର ସହଯୋଗରେ ୫ଜି କାମ କରିବ। ଷ୍ଟାଣ୍ଡାଲୋନ୍ ୫ଜି ନେଟଓ୍ୱର୍କ ପାଇଁ ଜିଓ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶୃତି ଦେଇଛି। ଭାରତୀ ଏୟାରଟେଲ୍ ନନ-ଷ୍ଟାଣ୍ଡାଲୋନକୁ ଆପଣାଇଛି। କମ୍ ନିବେଶରେ ପ୍ରଚଳିତ ନେଟଓ୍ୱର୍କ ଭିତ୍ତିଭୂମିରେ କିଭଳି ଅପରେଟର ଏହି ସୁବିଧା ପାଇବେ, ତାକୁ ଲକ୍ଷ୍ୟ ରଖିଛି କମ୍ପାନୀ। କାରଣ ଆଜିକା ଦିନରେ ଅଧିକାଂଶ ସ୍ମାର୍ଟ ଫୋନ୍ ନନ୍- ଷ୍ଟାଣ୍ଡାଲୋନ୍ ୫ଜି ନେଟଓ୍ୱର୍କ ସହ ସିଧା କନେକ୍ଟ ହେବାର କ୍ଷମତା ରହିଛି। ଆଉ ଷ୍ଟାଣ୍ଡୋଲୋନ୍ ନେଟଓ୍ୱର୍କ ସହ ସାମିଲ ହେବାକୁ ହେଲେ କେବଳ ସେମାନଙ୍କ ସଫ୍ଟଓ୍ୱେର ଅପଡେଟ୍ କରିବାକୁ ହେବ।
- ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now