ଫେରିଲା ଦୁଇ ଓଡ଼ିଆଙ୍କ ମରଶରୀର। କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଥିଲା ଭୁବନେଶ୍ୱରରେ। ଭୁବନେଶ୍ୱର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଦୁଇ ଉପ-ମୁଖ୍ୟମନ୍ତ୍ରୀ, କାମଚଳା ବାଚସ୍ପତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାର ଲୋକଙ୍କ କାନ୍ଦ ବୋବାଳି ପଡ଼ିଥିଲା। ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।
କଟକ ତିଗିରିଆର କରଡ଼ାପଲ୍ଲୀ ଗାଁର ମହମ୍ମଦ ଜହୁର ଓ ଗଞ୍ଜାମର ରଣଝାଲି ଗାଁର ସନ୍ତୋଷ ଗୌଡ଼। କୁଏତର ଏକ ୭ ମହଲା କୋଠାରେ ରହୁଥିଲେ ଅନ୍ୟ ପ୍ରବାସୀ ଶ୍ରମିକଙ୍କ ସହ। କିନ୍ତୁ ବୁଧବାର ଭୟାବହ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ସହ ଅକାଳରେ ଚାଲିଗଲା ଜହୁର ଓ ସନ୍ତୋଷଙ୍କ ଜୀବନ। ଏହି କୋଠାରେ ୧୯୬ ପ୍ରବାସୀ ଶ୍ରମିକ ରହୁଥିଲେ। ଶୁକ୍ରବାର ସକାଳେ କୁଏତରୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତଙ୍କ ମରଶରୀର କୋଚି ବିମାନବନ୍ଦରରେ ପହଞ୍ଚିଥିଲା। ଆଉ ଶନିବାର ଜହୁର ଓ ସନ୍ତୋଷଙ୍କ ପାର୍ଥିବଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଗାଁକୁ ନିଆଯାଇଥିଲା। କୁଏତ୍ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ଏନବିଟିସି କମ୍ପାନୀ ୮ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବି ୨ ଲକ୍ଷ ଟଙ୍କା ଘୋଷଣା ହୋଇଛି। ଜହୁର ଟ୍ରେଡିଂ କମ୍ପାନୀରେ ସିଭିଲ ଲାବ୍ରୋଟୋରୀ ଟେକ୍ନିସିଆନ୍ ଭାବେ କାମ କରୁଥିଲେ। ଜହୁର ବିବାହିତ ଓ ତାଙ୍କ ପତ୍ନୀ ଏବେ ୭ମାସର ଗର୍ଭବତୀ। ସନ୍ତୋଷ ଗୌଡ଼ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ସନ୍ତୋଷଙ୍କର ଦୁଇଟି ସନ୍ତାନ ଅଛନ୍ତି। ଅତି ଗରିବ ଶ୍ରେଣୀର ହୋଇଥିବାରୁ ସନ୍ତୋଷଙ୍କୁ ହରାଇ ପରିବାର ପୁରା ଭାଙ୍ଗିପଡ଼ିଛି।
ଦୁ଼୍ଇ ପରିବାର ଉପରେ ମାଡ଼ିଆସିଛି ବିପଦର ପାହାଡ଼। ରୋଜଗାର କରିବାକୁ ଯାଇଥିଲେ। ହେଲେ ଫେରିଛି ମରଶରୀର। ଆତ୍ମୀୟଙ୍କ କୋହରେ ଫାଟି ପଡ଼ୁଥିଲା ପୁରା ପରିବେଶ। ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷଦର୍ଶନ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଆଉ ଗାଁରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ରୋଜଗାର କରି ପରିବାର ପ୍ରତିପୋଷଣ ପାଇଁ ଯାଇଥିବା ଜହୁର ଓ ସନ୍ତୋଷଙ୍କ ଅକାଳ ବିୟୋଗରେ ସବୁଠି ଶୋକର ଛାୟା।

Naxatra News is now on Whatsapp
Join and get latest news update delivered to you via whatsapp
Join Now