ନିଜ ଆଡ଼ୁ କନସେଣ୍ଟକୁ ପ୍ରତ୍ୟାହାର କରିନେଲେ ଆଇନଜୀବି ଶ୍ୱେତାଶ୍ରୀ ମଜୁମଦାର। ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଲାଗି ସୁପାରିଶ ହୋଇଥିଲା। ସୁପାରିଶ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। କିନ୍ତୁ କଲେଜିୟମ ସୁପାରିଶକୁ ପ୍ରାୟ ବର୍ଷେ ହେଲା କେନ୍ଦ୍ର ପକାଇରଖିବାରୁ ଶ୍ୱେତାଶ୍ରୀ ନିଜ ଆଡ଼ୁ କନସେଣ୍ଟ ପ୍ରତ୍ୟାହାର କରିନେଲେ। ତେବେ ନିର୍ଦିଷ୍ଟ କାରଣ ଦର୍ଶାଇନାହାନ୍ତି ମଜୁମଦାର। ଅଗଷ୍ଟ ୨୧, ୨୦୨୪ରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ମଜୁମଦାରଙ୍କ ସମେତ ଦୁଇ ଜଣ ଅନ୍ୟ ଓକିଲଙ୍କୁ ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିିଥିଲେ। ଅନ୍ୟ ଦୁଇ ଆଇନଜୀବି ଥିଲେ ଅଜୟ ଦିଗପାଉଲ ଓ ହରିଶ ବୈଦ୍ୟନାଥନ ଶଙ୍କର। ଜାନୁଆରୀ ୬, ୨୦୨୫ରେ କେନ୍ଦ୍ର ଏହି ଦୁଇ ଓକିଲଙ୍କ ନିଯୂୁକ୍ତିକୁ ସବୁଜସଙ୍କେତ ଦେଇଥିଲା। କିନ୍ତୁ ସମାନ ସୁପାରିଶ ରିଜୋଲୁସନରେ ନାଁ ଥିବା ମଜୁମଦାରଙ୍କ ନାଁକୁ ବିନା କାରଣରେ ପକାଇରଖିଲା। ବାଙ୍ଗାଲୋର ନାସନାଲ ଲ ସ୍କୁଲର ଆଲୁମିନି ମଜୁମଦାର ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟ୍ସରେ ପ୍ରାକ୍ଟିସ ଲାଗି ବେଶ୍ ପରିଚିତ ଅଟନ୍ତି। ଦିଲ୍ଲୀ ହାଇକୋର୍ଟର ବିଭିନ୍ନ ଖଣ୍ଡପୀଠରେ ଆମିକସ କ୍ୟୃୁରି ଭାବେ ଅନେକ ଥର ନିଯୁକ୍ତି ପାଇଛନ୍ତି। ତେବେ କେବଳ ମଜୁମଦାରଙ୍କ କ୍ଷେତ୍ରରେ ନୁହେଁ। ଦିଲ୍ଲୀ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ବରିଷ୍ଠ ଓକିଲ ସୌରଭ କିରପାଲଙ୍କ କଲେଜିୟମ ସୁପାରିଶକୁ ବି କ୍ଲିଅରାନ୍ସ ଦେଇନି କେନ୍ଦ୍ର। ଫେବୃଆରୀ ୨୦୨୨ରେ ବରିଷ୍ଠ ଓକିଲ ଆଦିତ୍ୟ ସୋନ୍ଧି ବି ନିଜର କନସେଣ୍ଟକୁ ପ୍ରତ୍ୟାହାର କରିନେଇଥିଲେ। ବର୍ଷେ ପରେ ବି କେନ୍ଦ୍ର କଲେଜିୟମ ସୁପାରିଶକୁ ନେଇ କିଛି ନ କରିବାରୁ ସୋନ୍ଧି ଏଭଳି ପଦକ୍ଷେପ ନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now