ଅଲଗା ଡିଲିମିଟେସନକୁ ଶକ୍ତ ଧକ୍କା। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଅଲଗା ଭାବେ ହେଉଥିବା ଡିଲିମିଟେସନ ଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ବି ସେଭଳି ହେଉ ବୋଲି କରାଯାଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆନ୍ଧ୍ର ଓ ତେଲେଙ୍ଗାନାରେ ନୂଆକରି ଡିଲିମିଟେସନ ବା ସୀମା ପୁୁନଃନିର୍ଦ୍ଧାରଣ ଦାବିକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଭଳି ଦାବି ସକାଶେ ସାମ୍ୱିଧାନିକ ପ୍ରତିବନ୍ଧକ ଅଛି। ୨୦୨୬ ଜଣଗଣନା ପରେ ଏହା କରାଯାଇପାରିବ। ଏଭଳି ଜନସ୍ୱାର୍ଥ ମାମଲା ଆଧାରରେ ବନ୍ୟାଗେଟ୍ ଖୋଲିପାରିବେନି ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ.କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି, ଜମ୍ମୁ କଶ୍ମୀର ଲାଗି ଅଲଗା ସୀମା ପୁନଃନିର୍ଦ୍ଧାରଣ ଜରୁରୀ ଥିଲା। କାରଣ ଧାରା ୩୭୦ ଉଛେଦ ପରେ ଏହାର ଆବଶ୍ୟକତା ଥିଲା। ଯଦି ଏ ଦୁଇଟି ରାଜ୍ୟକୁ ଅଲଗା ଭାବେ ଡିଲିମିଟେସନ ଲାଗି ଅନୁମତି ଦିଆଯିବ, ତେବେ ଏହାକୁ ଆଳ କରି ଅଲଗା ରାଜ୍ୟ ବି ଆବେଦନ କରିବେ। ୨୦୨୦ରେ ଡିଲିମିଟେସନ ବିଜ୍ଞପ୍ତିରେ ଆନ୍ଧ୍ର ଓ ତେଲେଙ୍ଗାନାକୁ ବାଦ୍ ଦେବା କୌଣସି ସ୍ୱେଛାଚାରି ନିଷ୍ପତ୍ତି ନଥିଲା। କି ସମ୍ୱିଧାନର ଧାରା ୧୪ର କୌଣସି ଉଲ୍ଲଂଘନ କରୁନି। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଲାଗି କାହିଁକି ସ୍ୱତନ୍ତ୍ର ସୀମା ପୁନଃନିର୍ଧାରଣ ହେଲା, ତାହା ସ୍ପଷ୍ଟ କରାଯାଇଛି। ଏହି ରିଟ୍ ପିଟିସନ ୨୦୨୨ରେ କେ ପୁରୁଷୋତ୍ତମ ରେଡ୍ଡୀଙ୍କ ଦ୍ୱାରା ଫାଇଲ୍ ହୋଇଥିଲା। ପିଟିସନରେ ଦାବି କରାଯାଇଥିଲା ଯେ, ଆନ୍ଧ୍ର ଓ ତେଲେଙ୍ଗାନାରେ ବିଧାନସଭା ଆସନ ବଢ଼ାଯାଉ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆକ୍ଟ, ୨୦୧୪ର ଧାରା ୨୬ ଆଧାରରେ ଏହି ପ୍ରକ୍ରିୟା କେନ୍ଦ୍ର ସରକାର ଆରମ୍ଭ କରନ୍ତୁ ବୋଲି ଦାବି ହୋଇଥିଲା। ଯେହେତୁ କେନ୍ଦ୍ର ସରକାର ଜମୁକଶ୍ମୀରରେ ସମାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେଥିଲାଗି ଏହି ପ୍ରକ୍ରିୟାରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ବାଦ୍ ଦେବା ଅସାମ୍ୱିଧାନିକ ବୋଲି ଯୁକ୍ତି ଦର୍ଶାଯାଇଥିଲା। ସୁପ୍ରିମକୋର୍ଟ ଏ ଯୁକ୍ତିକୁ ଖାରଜ କରିଦେଇଥିଲେ। ଏହି ଦୁଇଟି ପ୍ରକ୍ରିୟା ପୁରା ଅଲଗା।

Naxatra News is now on Whatsapp
Join and get latest news update delivered to you via whatsapp
Join Now