ସୀମାରେ ରହୁ ସୁପ୍ରିମକୋର୍ଟ- ଜଗଦୀପ ଧନକଡ଼

ସୁପ୍ରିମକୋର୍ଟ ସୁପର ସଂସଦ ନ ସାଜୁ। ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରପତିଙ୍କୁ ଆଦେଶ ଦେଇପାରିବେନି। ବିଚାରପତି ସୁପର ପାର୍ଲିଆମେଣ୍ଟ ଭଳି କାମ କଲେଣି। ସମ୍ୱିଧାନର ଅନୁଛେଦ ୧୪୨ ନ୍ୟୁକ୍ଲିୟର ମିସାଇଲ୍ ହୋଇଗଲାଣି। ଏହି ଧାରା ଅନୁସାରେ କୋର୍ଟକୁ ମିଳିଥିବା ବିଶେଷ ଅଧିକାର ଲୋକତାନ୍ତ୍ରିକ ଶକ୍ତି ବିରୁଦ୍ଧରେ ୨୪ଘଣ୍ଟା ନ୍ୟୁକ୍ଲିୟର ମିସାଇଲ୍ ଭାବେ ଉପଲବ୍ଧ ହେଉଛି। ଗୁରୁବାର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏଭଳି ଢଙ୍ଗରେ ସୁପ୍ରିମକୋର୍ଟକୁ ସମାଲୋଚନା କରିଥିଲେ। ଯେଉଁଠି ସୁପ୍ରିମକୋର୍ଟ ବିଲ୍ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମୟସୀମା ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟ ଗଲା ୮ ତାରିଖରେ ତାମିଲନାଡ଼ୁ ରାଜ୍ୟପାଳ ବନାମ ରାଜ୍ୟ ସରକାର ମାମଲାରେ ରାଜ୍ୟପାଳଙ୍କ ଅଧିକାରର ସୀମା ସ୍ଥିର କରିଥିଲେ। ଏହା ସହ ରାଷ୍ଟ୍ରପତିଙ୍କ କ୍ଷମତାକୁ ବି ସୀମିତ କରିଥିଲେ। ରାଷ୍ଟ୍ରପତିଙ୍କ ପାଖରେ ପୂର୍ଣ୍ଣ ଭିଟୋ ଅଧିକାର ନାହିଁ। ସେଥିଲାଗି ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ହୋଇପାରିବ। ବିଲ୍ ର ବୈଧତା ନ୍ୟାୟପାଳିକା କରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ। ରାଜ୍ୟସଭାରେ ପ୍ରଶିକ୍ଷାର୍ଥୀଙ୍କୁ ସମ୍ୱୋଧିତ ବେଳେ ଧନକଡ଼ କହିଥିଲେ, ଗଣତନ୍ତ୍ରରେ ନିର୍ବାଚିତ ସରକାର ହିଁ ସବୁଠୁ ଉପରେ। ସେଥିଲାଗି ସବୁ ସଂସ୍ଥାକୁ ନିଜ ନିଜ ସୀମାରେ ରହି କାମ କରିବା ଉଚିତ୍। କୌଣସି ସଂସ୍ଥା ବି ସମ୍ୱିଧାନ ଉପରେ ନୁହେଁ। ଏହା ସହ ଜଷ୍ଟିସ୍ ବର୍ମାଙ୍କ ଘରୁ ଅଧାପୋଡ଼ା ବିପୁଳ ନଗଦ ରାଶି ମିଳିବା ପରେ ଏ ପର୍ଯ୍ୟନ୍ତ ଏତଲା କାହିଁକି ହୋଇନି ବୋଲି ପଚାରିଥିଲେ ଧନକଡ଼। କିଛି ଲୋକ କଅଣ ଆଇନରୁ ଉର୍ଦ୍ଧ୍ୱରେ କି। ଏହି ମାମଲାର ଯାଞ୍ଚ ଲାଗି ସୁପ୍ରିମକୋର୍ଟ ଯେଉଁ ୩ଜଣିଆ ଆଭ୍ୟନ୍ତରୀଣ ବିଚାରପତି କମିଟି ଗଠନ କରିଛନ୍ତି, ତାହାର କୌଣସି ସାମ୍ୱିଧାନିକ ଆଧାର ନାହିଁ। କମିଟି କେବଳ ସୁପାରିଶ କରିପାରିବ। କିନ୍ତୁ କାର୍ଯ୍ୟାନୁଷ୍ଠାନର ଅଧିକାର ସଂସଦ ପାଖରେ ଅଛି। ଯଦି ଏ ମାମଲା କୌଣସି ସାଧାରଣ ଲୋକଙ୍କ ଘରେ ହୋଇଥାଆନ୍ତା, ପୁଲିସ ଓ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇସାରନ୍ତେଣି। ନ୍ୟାୟପାଳିକା ସର୍ବଦା ସମ୍ମାନର ପ୍ରତୀକ। କିନ୍ତୁ ଏ ମାମଲାରେ ଅହେତୁକ ବିଳମ୍ୱରୁ ଲୋକଙ୍କ ଭିତରେ ଅବିଶ୍ୱାସର ପାଚେରୀ ଉଠିଛି। ସୁପ୍ରିମକୋର୍ଟ ଦ୍ୱାରା ଅନୁଛେଦ ୧୪୨ର ଦୁରୁପଯୋଗ ଓ କାର୍ଯ୍ୟପାଳିକାର ଶକ୍ତିକୁ ଦୁର୍ବଳ କରିବା ଉପରେ ତୀବ୍ର କଟାକ୍ଷ କରିଛନ୍ତି ଧନକଡ଼।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *