୫୩ତମ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ- ଶପଥ ସମାରୋହ ସାଜିଲା ଐତିହାସିକ

ଦେଶର ୫୩ତମ ପ୍ରଧାନବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହିନ୍ଦୀରେ ଶପଥ ନେଇଛନ୍ତି। ଶପଥ ନେବା ପରେ ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ପୂର୍ବତନ ସିଜେଆଇ ଜଷ୍ଟିସ ଗଭାଇ ତାଙ୍କୁ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମାତ୍ର ୧୪ ମାସ ରହିବ। ଗଲା ରବିବାର ସିଜେଆଇ ବି.ଆର.ଗଭାଇ ଅବସର ନେଇଥିଲେ। ଆଉ ସେବାନିବୃତ୍ତ ପୂର୍ବରୁ ପରମ୍ପରା ଅନୁସାରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ପରବର୍ତ୍ତୀ ସିଜେଆଇ ଭାବେ ସୁପାରିଶ କରିସାରିଥିଲେ। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ।  ଶପଥ ସମାରୋହରେ ଅନେକ ଭାବନାତ୍ମକ ମୂହୂର୍ତ୍ତ ଥିଲା। ଏଥର ଶପଥ ସମାରୋହ ଐତିହାସିକ ରହିଲା। କାରଣ ଶପଥ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ବିଚାରପତି ସାମିଲ୍ ହୋଇଥିଲେ। ଭୁଟାନ, କେନିଆ, ମାଲୟେସିଆ, ମରିସସ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନ ବିଚାରପତି ଶପଥ ସମାରୋହ ଉତ୍ସବରେ ସାମିଲ୍ ହୋଇଥିଲେ। ଏହା ପ୍ରଥମ ଥର ହୋଇଛି, କୌଣସି ଭାରତର ସିଜେଆଇଙ୍କ ଶପଥ ଗ୍ରହଣ ଉତ୍ସବରେ ଏତେ ବଡ଼ ପରିମାଣରେ ବିଦେଶୀ ନ୍ୟାୟିକ ପ୍ରତିନିଧିମଣ୍ଡଳ ସାମିଲ ରହିଲେ। ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ଫେବୃଆରୀ ୯, ୨୦୨୭ ଯାଏ ରହିବ। ପଦଭାର ସମ୍ଭାଳୁ ସମ୍ଭାଳୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଅଦାଲତରେ ବାକି ପଡ଼ିଥିବା ମାମଲାର ତ୍ୱରିତ ଶୁଣାଣୀ କରି ଏହା ବୋଝକୁ କେମିତି ହାଲୁକା କରିବା। ସୁପ୍ରିମକୋର୍ଟରେ ୮୦ହଜାରରୁ ଉର୍ଦ୍ଧ୍ୱ କେସ୍ ଗଡ଼ୁଛି। ହାଇକୋର୍ଟରେ ୬୦ଲକ୍ଷ, ତଳ କୋର୍ଟରେ ୪ କୋଟିରୁ ଅଧିକ ମାମଲା ଗଡ଼ୁଛି। ଏହାକୁ ଗତିଶୀଳ କରିବାକୁ ସେ ବିଚାରପତି ସଂଖ୍ୟା ବୃଦ୍ଧି, ଟେକ୍ନୋଲୋଜିର ଉପଯୋଗିତା ସହ ଟ୍ରାକିଂ ସିଷ୍ଟମକୁ ଫୋକସ କରିବେ। ବଡ଼ ସାମ୍ୱିଧାନିକ ମାମଲାରେ ତୁରନ୍ତ ଶୁଣାଣୀ ଲାଗି ସେ ୫,୭ ଓ ୯ ଜଣିଆ ଖଣ୍ଡପୀଠ ଗଠନ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନର ସ୍ନାତକୋତ୍ତର କରିଥିଲେ। ହିମାଚଳପ୍ରଦେଶ କୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ଯାଇଥିଲେ। ସେ ନିଜ କ୍ୟାରିଅରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଫୈସଲା କରିଛନ୍ତି। ଧାରା ୩୭୦କୁ ନିରସ୍ତ୍ରିକରଣ, ପେଗାସସ ସ୍ପାଏଓ୍ୱାର ଯାଞ୍ଚ, ଦେଶଦ୍ରୋହ ଆଇନକୁ ସ୍ଥଗିତ କରିବାକୁ ଆଦେଶ, ବାର୍ ଆସୋସିଏସନରେ ମହିଳାଙ୍କ ଲାଗି ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣର ନିର୍ଦେଶ ଆଦି ସାମିଲ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଜନ୍ମ ହରିଆଣା ହିସାର ଜିଲ୍ଲାର ପେଟଓ୍ୱାର ଗାଁରେ। ସେ ଫେବୃଆରୀ ୧୦, ୧୯୬୨ରେ ଏକ ଶିକ୍ଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୮୧ରେ ହିସାରର ସରକାରୀ ପିଜି କଲେଜରୁ ଗ୍ରାଜୁଏସନ କରି ୧୯୮୪ରେ ରୋହତକ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢ଼ିଥିଲେ। ହିସାର ଜିଲ୍ଲା ଅଦାଲତରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ପ୍ରାକ୍ଟିସ କରିବାକୁ ଚଣ୍ଡିଗଡ଼ ଯାଇଥିଲେ। ଜୁଲାଇ ୨୦୦୦ରେ ସେ ଆଡଭୋକେଟ ଜେନେରାଲ ହୋଇଥିଲେ। ସେ ହରିଆଣାର ସବୁଠୁ ଯୁବ ଏଜି ଥିଲେ। ୨୦୦୧ରେ ସିନିୟର ଆଡ଼ଭୋକେଟ, ଜାନୁଆରୀ ୨୦୦୪ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ଅକ୍ଟୋବର ୫, ୨୦୧୮ରେ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ। ମେ ୨୪, ୨୦୧୯ରେ ସେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ପ୍ରାୟ ୮୦ ରାୟ ଦେଇଛନ୍ତି। ଆଲିଗଡ଼ ମୁସଲିମ ୟୁନିଭରସିଟି ସହ ଜଡ଼ିତ ୧୯୬୭ର ଫୈସଲାକୁ ଖାରଜ କରିଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିଓ୍ୱାଲଙ୍କୁ ଜାମିନ ଦେଇଥିଲେ। ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡାଇଥିବା ଅଭିଯୁକ୍ତ ଆଶୀଷ ମିଶ୍ରଙ୍କୁ ଦେଇଥିଲେ ବେଲ୍। ଭୋଟର ତାଲିକା ପ୍ରକାଶନ ବେଳେ ସ୍ୱଛଚା ଅବଲମ୍ୱନ ନେଇ ଇସିଙ୍କୁ ଦେଇଥିଲେ ନିର୍ଦେଶ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *