କନ୍ୟାର ପୋଷା କୁକୁରକୁ ପିଟିବା ନେଇ ଭାଙ୍ଗିଥିଲା ବିବାହ। ବିବାହରେ ତୁମୁଳକାଣ୍ଡ ଘଟିଥିଲା। ବର ଓ କନ୍ୟା ପକ୍ଷ ଭିତରେ ହୋଇଥିବା ମାଡପିଟ୍। ବାଡ଼ିରେ ପରସ୍ପରକୁ ପିଟିଥିଲେ। ଆଉ ଏବେ ୪ ଦିନ ପରେ ଆସିଛି ଏଥିରେ ୟୁ-ଟର୍ଣ୍ଣ। କନ୍ୟା ତନୁ କେସରଓ୍ୱାନି ନିଜ ଘରୁ ଫେରାର୍ ହୋଇ ବର ଘରେ ପହଞ୍ଚିଥିଲେ। ଆଉ ବରକୁ କହିଛନ୍ତି, ସେ ଜୀବନତମାମ ତାଙ୍କ ସହ ରହିବେ। ଘର ଲୋକଙ୍କ କଥାରେ ପଡ଼ି ସେ ବିବାହ କରିବାକୁ ମନା କରିଦେଇଥିଲେ। ପରିବାର ଲୋକେ ଶିକ୍ଷା ଦେଇଥିଲେ ଯେ, ଯିଏ ଏବେ ମାଡପିଟ୍ କରୁଛି। ବିବାହ ପରେ ତାଙ୍କୁ ବି ମାଡ଼ପିଟ୍ କରିବେ। ଫତେପୁର ଜିଲ୍ଲାର ଖାଗା କୋତଓ୍ୱାଲି କ୍ଷେତ୍ରରେ ଫେବୃଆରୀ ୧୮ ରାତିରେ ପୋଷା କୁକୁରକୁ ପିଟିବାକୁ କେନ୍ଦ୍ର କରି ଭାଙ୍ଗିଥିବା ବିବାହ ପୁଣି ଯୋଡ଼ି ହୋଇଯାଇଛି। ବିବାହ ସମାରୋହରେ ମଣ୍ଡପ ପାଖରେ କୁକୁର ଭୋକିବାରୁ ବରଯାତ୍ରୀର ଜଣେ ତାକୁ ପିଟିଥିଲେ। ଏହା ପରେ ବର ଓ କନ୍ୟା ପକ୍ଷ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ବାହା ହେବାକୁ କନ୍ୟା ମନା କରିଦେଇଥିଲେ। ଆଉ ଏବେ ପରିଜନଙ୍କ ଉପରେ ଉସୁକାଇଥିବା ଆରୋପ ଲଦି ବର ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ୟା। ଗଲା ବୁଧବାର ଜୟମାଳା ରୀତିନୀତି ପରେ ଭୋର୍ ୪ଟାରେ ମଣ୍ଡପରେ ଗହଣା ଭେଟିର ନୀତି ଚାଲିଥିଲା। ସେତେବେଳେ କନ୍ୟାର ପୋଷା କୁକୁର ଭୋକିଦେଇଥିଲା। ଦୁଇ ଗୋଷ୍ଠୀ ଲହୁଲୁହାଣ ପରେ ମାମଲା ଥାନା ଯାଏ ପହଞ୍ଚିଥିଲା। ବିବାହ କରିବାକୁ କନ୍ୟା ସ୍ପଷ୍ଟ ମନା କରିଦେବା ପରେ ଦୁଇ ପକ୍ଷ ଭିତରେ ନେଣଦେଣ ଫେରସ୍ତ ନେଇ ବୁଝାମଣା ହୋଇଥିଲା। ଏବେ ବର ଘରେ ପହଞ୍ଚି ତନୁ କହିଛନ୍ତି, ସେ ଆଉ ତାଙ୍କ ବାପ ଘରକୁ ଫେରିବେନି। ତନୁଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ବିବାଦ ଆଇନଗତ ପେଞ୍ଚରୁ ବାହାରି ବ୍ୟକ୍ତିଗତ ଇଛା ଉପରେ ଅଟକିଛି। ଅବଶ୍ୟ ତନୁଙ୍କୁ ଆପଣାଇବାକୁ ବର ଓ ତାଙ୍କ ପରିବାର ପ୍ରସ୍ତୁତ ଅଛନ୍ତି। ବରମାଳା ପରେ ହୋଇଥିବା ବିବାଦ ଏବେ ଅନ୍ତତଃ ମିଳନ ଆଡ଼କୁ ବଢୁଛି। ଯେଉଁଠି କୁକୁର ବିବାଦକୁ ପଛରେ ପକାଇଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now