‘ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’

ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି । ଆଜାଦ ହିନ୍ଦ ଫୌଜ ଉଦ୍ଦେଶ୍ୟରେ ଏହା ଥିଲା ମୁକ୍ତିସଂଗ୍ରାମର ସଶସ୍ତ୍ର ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନ । ବ୍ରିଟିଣ ଶାସନ ବିରୋଧୀ ଲଢେଇରେ ଗାନ୍ଧିଜୀଙ୍କ ଭଳି ନେତାଜୀଙ୍କ ଭୂମିକା ଥିଳା ଅନନ୍ୟ । ସେହି ମହାନ ନାୟକଙ୍କ ୧୨୮ତମ ଜୟନ୍ତୀ ଅବସରକୁ ସାରା ଦେଶ ପାଳିଛି ପରାକ୍ରମ ଦିବସ । ୨୦୨୧ରୁ ଏହି ଦିବସ ଭାରତ ସରକାର ପାଳନ କରୁଥିବା ବେଳେ ଓଡ଼ିଶାରେ ଏଥର ବଡ ଆକାରରେ ଆୟାଜନ କରାଯାଇଛି । ସେପଟେ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ତମ ଜୟନ୍ତୀ ମଧ୍ୟ ପାଳିତ ହୋଇଛି ।

କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତଥା ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଡ଼ି ହୋଇ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ପ୍ରଧାନମନ୍ତ୍ରୀ ମନ୍ତ୍ରୀ କହିଲେ ଯେ, ନେତାଜୀଙ୍କ ବଳିଦାନ ଓ ତ୍ୟାଗ ଅନନ୍ୟ । ନେତାଜୀ ଚାହିଁଥିଲେ ନିଜ ପାଇଁ ଭଲ ଜୀବନ ବାଛି ପାରିଥାନ୍ତେ କିନ୍ତୁ ସେ ରାଷ୍ଟ୍ରହିତକୁ ପ୍ରାଥମିକତା ଦେଇଥିଲେ । ତେଣୁ ବିକଶିତ ଭାରତ ପାଇଁ ସମସ୍ତଙ୍କୁ ନିଜ ସୁବିଧା କ୍ଷେତ୍ରରୁ ବାହାରି ଏକାଠି ହେବାକୁ ହେବ ଆହ୍ୱାନ ଦେଇଥିଲେ । ସେପଟେ ସଂସଦ ଭବନରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବାଚସ୍ପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ସମେତ କଂଗ୍ରେସ ଅଧ୍ୟକ୍ଷ ମିଳିତ ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସମ୍ୱିଧାନ ସଦନରେ ଯୁବବର୍ଗ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଛନ୍ତି ।

ଆଜିଠାରୁ କଟକରେ ଆରମ୍ଭ ହୋଇଛି ୩ ଦିନ ବ୍ୟାପି ପରାକ୍ରମ ଦିବସ ଉତ୍ସବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟର ୧୨ ଟି ଗ୍ୟାଲେରୀ ବୁଲି ଦେଖିଥିଲେ। ଏହି ଅବସରରେ ଜନନାୟକଙ୍କ ଜୀବନଯାତ୍ରା ସମ୍ପର୍କିତ ଏକ ବିଶେଷ ପ୍ରସ୍ତୁତି ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଛି । ଯେଉଁଥିରେ ନେତାଜୀଙ୍କ ଚିତ୍ରକଳା,ପୁରୁଣା ଫୁଟେଜ୍, ହାତଲେଖା ଚିଠି,ନାରା,ବିଦ୍ରୋହର ଗାଥା ସମ୍ପର୍କିତ ୩ ଦିନିଆ ପ୍ରଦର୍ଶନୀର ଆୟୋଜନ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ସତ୍ୟବ୍ରତ ଷ୍ଟାଡିୟମରେ କରାଯାଇଛି । ପ୍ରତ୍ନତାତ୍ତ୍ୱିକ ବିଭାଗ ଓ ଲଳିତ କଳା ଏକାଡେମୀ ମିଳିତ ସହଯୋଗରେ ନେତାଜୀଙ୍କର ବହୁ କଳାକୃତି ଦେଖିବାକୁ ମିଳିଛି ।

ଆଜି ନେତାଜୀଙ୍କ ସହ ଓଡ଼ିଶା ମାଟିର ଅନ୍ୟତମ ପୂର୍ବସୂରୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ତମ ଜୟନ୍ତୀ ମଧ୍ୟ ପାଳିତ ହୋଇଛି । ବିଚକ୍ଷଣ ବିପ୍ଲବୀଙ୍କ ଜୀବନର ୩୬ ବର୍ଷ କାଳକୋଠରିରେ କଟିଥିଲା । ଯାହା ଦେଶ ନୁହେଁ ବିଶ୍ୱ ପାଇଁ ବିରଳ । ଆଜି ବ୍ରିଟିଶ ସେନା ସହ ତାଙ୍କ ସଶସ୍ତ୍ର ବିପ୍ଲବର ସ୍ମୃତିଚାରଣ କରିଛି ପୁରା ରାଜ୍ୟ । ଜନ୍ମମାଟି ଖିଣ୍ଡାରେ ବଡ ଆୟୋଜନ କରାଯାଇଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ଅନ୍ୟ ବିଶିଷ୍ଠ ଅତିଥିମାନେ ସୁରେନ୍ଦ୍ର ସାଏଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ। ଧର୍ମେନ୍ଦ୍ର କହିଥିଲେ ଯେ ବୀର ସୁରେନ୍ଦ୍ର ସାଏଙ୍କ ଅଦ୍ୱିତୀୟ ସାଙ୍ଗଠନିକ ଶକ୍ତି ଓ ରଣକୌଶଳ ଓଡ଼ିଆ ଜାତିର ବୀରତ୍ୱର ପ୍ରତିଫଳନ । ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅନେକଜିଳ୍ଲାରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରାଯାଇଛି । ତେବେ ତାଙ୍କ ଜାତୀୟ ସ୍ୱୀକୃତି ଓ ସଂସଦ ଭବନରେ କେବେ ସ୍ଥାନିତ ହେବ ତାଙ୍କ ପ୍ରତିମୂର୍ତ୍ତି ସେ ପ୍ରଶ୍ନ ଉଠିଛି ।

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପୁରୀ ବେଳାଭୂମି ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଦୁଇ ମହାନ ବୀରଙ୍କ ଜୟନ୍ତୀକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନ୍ମମାଟି ଆଜି ଗୌରବାନ୍ୱିତ ହୋଇଛି । ଦୁହେଁ ଭିନ୍ନ ଭିନ୍ନ କାଳଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା । କିନ୍ତୁ ଅଭିଯୋଗ ହୁଏ ଉଭୟଙ୍କ ଅବଦନାନକୁ ଉଚିତ ସମ୍ମାନ ଓ ସ୍ୱୀକୃତି ଆଜିଯାଏ ମିଳିନାହିଁ । ଆହୁରି ଅନେକ କଥା ଅଛି ଯାହା ଦୁଇ ବୀରଙ୍କ ସମ୍ପର୍କରେ ପରପିଢି ଜାଣିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *