ହିନ୍ଦୁ ବିଧବା, ବିଶେଷକରି ଯେଉଁମାନେ ନିଃସନ୍ତାନ। ସେମାନଙ୍କ ଲାଗି ସୁପ୍ରିମକୋର୍ଟଙ୍କ ବଡ଼ ଅପିଲ୍। ସମ୍ପତ୍ତିକୁ ନେଇ ବାପ ଘର ଓ ଶାଶୁ ଘରେ ବିବାଦକୁ ଏଡ଼ାଇବାକୁ ନିଜ ଇଛାରେ ଆଗୁଆ ଇଛାପତ୍ର କର। ଜଷ୍ଟିସ ବିଭି ନାଗରତ୍ନା ଓ ଆର ମହାଦେବନଙ୍କ ଖଣ୍ଡପୀଠ ଏଭଳି ବଡ଼ ଅପିଲ୍ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି, ଯଦି ମୃତ ମହିଳାଙ୍କ ସମ୍ପତ୍ତି ଉପରେ ବାପ ଘର ଦାବି କରନ୍ତି, ତାହେଲେ ଏହା କୋର୍ଟରେ ଶୁଣାଣୀ ଆଗରୁ ପ୍ରଥମେ ମଧ୍ୟସ୍ଥିଙ୍କ ଜରିଆରେ ତୁଟାଇବାକୁ ଚେଷ୍ଟା କରାଯିବ। ସେଥିଲାଗି ସମସ୍ତ ମହିଳା, ବିଶେଷ କରି ହିନ୍ଦୁ ମହିଳା, ଯେଉଁମାନେ ତାଙ୍କ ପଛରେ ସମ୍ପତ୍ତି ଛାଡ଼ୁଛନ୍ତି। ଭବିଷ୍ୟତରେ ଏମିତି କୌଣସି ବିବାଦକୁ ଏଡ଼ାଇବାକୁ ଆଗୁଆ ଓ୍ୱିଲ୍ କରିବାକୁ ପରାମର୍ଶ ଦେଇଛନ୍ତି ଅଦାଲତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିୂବା ଆବେଦନରେ କୁହାଯାଇଥିଲା ଯେ, ଆଧୁନିକ ଯୁଗରେ ଆଜି ବି ମହିଳାଙ୍କ ସହ ଭେଦଭାବ ଜାରି ରହିଛି। ମହିଳାଙ୍କ ନିଜ ଅର୍ଜିତ ସମ୍ପତ୍ତି ପରିବାରକୁ ମିଳିବା ଦରକାର। ଆଉ ଏହି ମାମଲାର ଶୁଣାଣୀ କରିବାକୁ ଖଣ୍ଡପୀଠ ମନା କରିବା ସହ ପରାମର୍ଶ ଦେଇଥିଲେ ଯେ, ଯଦି ମହିଳା ଇଛାପତ୍ର କରିବେ, ତା ହେଲେ ତାଙ୍କ ମୃତ୍ୟୁ ପରେ ବାପ ଘର ଓ ଶାଶୁ ଘର ଭିତରେ ସମ୍ପତ୍ତିକୁ ନେଇ ବିବାଦ ହେବନି। ମାମଲା ଥିଲା ଏମିତି। ଏହି ବିବାଦ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୧୫ ଓ ୧୬ ସହ ଜଡ଼ିତ। ଏହି ଧାରା ଅନୁସାରେ ଯଦି କୌଣସି ନିଃସନ୍ତାନ ମହିଳାଙ୍କ ମୃତ୍ୟୁ ଘଟେ। ସେ କୌଣସି ଓ୍ୱିଲ୍ କରିନଥିବେ। ତାହେଲେ ତାଙ୍କ ସମ୍ପତି ତାଙ୍କ ସ୍ୱାମୀଙ୍କ ହେବ। ଆଉ ସ୍ୱାମୀ ବି ଯଦି ଜୀବିତ ନଥିବେ, ତାହେଲେ ସ୍ୱାମୀଙ୍କ ପରିବାର ଲୋକ ଏହି ସମ୍ପତ୍ତି ଉପଭୋଗ କରିବେ। ଯଦି ସ୍ୱାମୀଙ୍କ ବି କେହି ଉତ୍ତରାଧିକାରୀ ନଥିବେ, ତାହେଲେ ମହିଳାଙ୍କ ବାପା ମାଆ, ଭାଇ କି ଭଉଣୀକୁ ଏହି ସମ୍ପତ୍ତି ମିଳିବ। ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନରେ ବ୍ୟକ୍ତିଗତ ବିବାଦର କଥା ଉଠାଇ ଆଇନର ଏହି ପ୍ରାବଧାନକୁ ଚ୍ୟାଲେଞ୍ଜ କରାଯାଇଥିଲା। ସେପ୍ଟେମ୍ୱର ୨୫ରେ ଏ ସନ୍ଦର୍ଭରେ ଜଷ୍ଟିସ ନାଗରତ୍ନା ଓ ଜଷ୍ଟିସ ମହାଦେବନ ଏହି ଦାବିକୁ ସାମାଜିକ ବ୍ୟବସ୍ଥା ସହ ଯୋଡ଼ିଥିଲେ। ଜଷ୍ଟିସ ନାଗରତ୍ନା କହିଥିଲେ, ମହିଳା ବିବାହ ପରେ ସ୍ୱାମୀଙ୍କ ପରିବାରର ହୋଇଯାଏ। ତାଙ୍କ ଗୋତ୍ର ବଦଳିଯାଏ। ଆଇନରେ ଯେବେ ଭରଣପୋଷଣ ଦାବି ଉଠେ, ସେତେବେଳେ ସେ ସ୍ୱାମୀ କିମ୍ୱା ଶାଶୁ ଘରକୁ ମାଗିଥାଏ। ନିଜ ବାପା ମାଆ, ଭାଇ-ଭଉଣୀ ଉପରେ ମକଦ୍ଦମା କରିନଥାଏ। ଆଉ ଆଜି ଏଭଳି ମାମଲାକୁ ମଧ୍ଯସ୍ଥତା ଉପରେ ଜୋର୍ ଦେଇଛନ୍ତି ଅଦାଲତ। ଯଦି ମଧ୍ୟସ୍ଥତାରୁ କୌଣସି ନିଷ୍କର୍ସ ବାହାରେ, ତାକୁ ସିଭିଲ କୋର୍ଟ ଆଇନତଃ ଡିକ୍ରି ଭଳି ଦେଖିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now