ଦିଲ୍ଲୀ ଏନସିଆରରେ ଥିବା ବୁଲା କୁକୁରଙ୍କୁ ୮ ସପ୍ତାହ ଭିତରେ ସେଲଟର ହୋମକୁ ସ୍ଥାନାନ୍ତର କର। ଯେଉଁଠି ବନ୍ଧ୍ୟାକରଣ ଓ ଟିକାକରଣ ହେବ। ଏଭଳି ବୁଲା କୁକୁରଙ୍କୁ ଆଉ ଥରେ ରାସ୍ତାକୁ ଛଡ଼ାଯିବନି। ବୁଲା କୁକୁର ଆତଙ୍କକୁ ନେଇ ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହା ସହ ସପ୍ତାହକ ଭିତରେ କୁକୁର କାମୁଡ଼ା ଅଭିଯୋଗ ଲାଗି ହେଲ୍ପଲାଇନ୍ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ଆଶ୍ରୟ ପ୍ରକ୍ରିୟାରେ ଯିଏ ବାଧା ଦେବ, ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଭାକ୍ସିନ ଷ୍ଟକ୍ ଓ ଚିକିତ୍ସାର ବିବରଣୀ ସାର୍ବଜନୀନ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ୫ହଜାର କ୍ଷମତା ବିଶିଷ୍ଟ ସେଲଟର ହୋମ୍ କରିବା ଓ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ କାମୁଡ଼ାରେ ହେଉଥିବା ରେବିଜରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଜୁଲାଇ ୨୮ରେ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲେ ସର୍ବୋଚ୍ଚ ଅଦାଲତ। ୨୦୨୪ରେ ଦେଶରେ ୩୭ଲକ୍ଷ କୁକୁର କାମୁଡ଼ା କେସ୍ ହୋଇଛି। କାମୁଡ଼ାର ଶୀକାର ହୋଇଛନ୍ତି ୧୫ ବର୍ଷରୁ କମ୍ ପ୍ରାୟ ୫.୨୦ଲକ୍ଷ ପିଲା। କେବଳ ଦିଲ୍ଲୀରେ ରେବିଜ୍ ରୁ ୫୪ ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ୨୦୨୩ରେ ଏହି ସଂଖ୍ୟା ୫୦ ଥିଲା। ଦିଲ୍ଲୀରେ ଦୈନିକ ୨ହଜାର କୁକୁର କାମୁଡ଼ା କେସ୍ ଘଟୁଛି। ୨୦୨୪ ଜାନୁଆରୀରୁ ଜୁନ୍ ଭିତରେ ୩୫ହଜାରରୁ ଅଧିକ କୁକୁର କାମୁଡ଼ା ମାମଲା ଘଟିଛି। ଏମିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ରେବିଜ୍ ଆତଙ୍କରୁ ହେଉଥିବା ମୃତ୍ୟୁ ପ୍ରତିଶତ ଦେଖିଲେ, ଭାରତରେ ଏହା ୩୬ ପ୍ରତିଶତ। ଏଭଳି ଗମ୍ଭୀର ସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିଥିଲେ ସୁପ୍ରିମକୋର୍ଟ। ଦିଲ୍ଲୀର କୁକୁର କାମୁଡ଼ା କେସ୍ ୨୦୨୩ ତୁଳନାରେ ୧୪୩ ପ୍ରତିଶତ ବଢ଼ିଛି। କୁକୁର କାମୁଡ଼ିଲେ ହେଉଥିବା ରେବିଜ୍ ରୋଗ୍ ଘାତକ ଅଟେ। ତେବେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଏହାକୁ ନେଇ ବିତର୍କ, ରାଜନୈତିକ ଓ ସାମାଜିକ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ ଲାଗି ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବ୍ୟବହାରିକ, ମହଙ୍ଗା ଓ ପରିବେଶ ଲାଗି ହାନିକାରକ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ। ସରକାରଙ୍କ ପାଖରେ ଆଗରୁ ପ୍ରଭାବୀ ଯୋଜନା ଥିଲା। ଏହି ରାୟ ଲାଗୁ କରିବା କଷ୍ଟ। ସେପଟେ ଏହି ରାୟକୁ ବିରୋଧ କରି ଇଣ୍ଡିଆ ଗେଟ୍ ଆଗରେ ପଶୁପ୍ରେମୀ ଆନ୍ଦୋଳନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଇଣ୍ଡିଆ ଗେଟ ଆଗରେ ପ୍ରତିବାଦ କରିବାକୁ ଅନୁମତି ଦେଇନଥିଲା। ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି ପୁଲିସ। ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଇଣ୍ଡିଆ ଗେଟ୍ ଆଗରେ କୌଣସି ସମାବେଶକୁ ଅନୁମତି ନଥିବା ସତ୍ତ୍ୱେ ପଶୁପ୍ରେମୀଙ୍କ ସମାଗମ ଆଇନ ବିରୋଧୀ ଥିଲା ବୋଲି ପୁଲିସ କହିଛି। ରାହୁଲ ଗାନ୍ଧୀ କହିଛନ୍ତି, ସେମାନେ ମୁକ ଆତ୍ମା ଅଟନ୍ତି। ଆଉ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କ୍ରୁର ଓ ଅଦୂରଦର୍ଶୀ ଅଟେ। ବୁଲା କୁକୁରଙ୍କୁ ହଟାଇବା ନିର୍ଦେଶ ମାନବୀୟ ଓ ବିଜ୍ଞାନ ଆଧାରିତ ନୀତିକୁ ପଛକୁ ଠେଲିଦେଉଛି। ପଶୁପ୍ରେମୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ହେଉଛି ମୃତ୍ୟୁଦଣ୍ଡାଦେଶ ଭଳି। ଏତେ ଆଶ୍ରୟସ୍ଥଳ କେଉଁଠି ଅଛି। ବନ୍ଧ୍ୟାକରଣ, ଟିକାକରଣ କରି ବାହାରେ ଛାଡ଼ିଦିଆଯାଉ। ସିଜେଆଇଙ୍କୁ ଚିଠି ଲେଖି ସୋମବାର ଦେଇଥିବା ନିର୍ଦେଶାନାମା ଉପରେ ରହିତାଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟସଭା ସାଂସଦ ସାକେତ ଗୋଖଲେ। ଏହା ସହ ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ସମୀକ୍ଷା ଲାଗି ପଠାଇବାକୁ କହିଛନ୍ତି ଗୋଖଲେ। ଏ ପ୍ରସଙ୍ଗରେ ସମସ୍ତ ଷ୍ଟେକହୋଲଡରଙ୍କୁ ଡାକି ବିଚାରବିମର୍ଶ କରି ମାନବତା ଆଧାରରେ କୌଣସି ନିଷ୍ପତ୍ତି ନିଆଯାଉ। ବୁଲା କୁକୁର ଆତଙ୍କକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା ବେଳେ ଏହାକୁ ନେଇ ବିତର୍କ ଓ ବିବାଦରୁ ଆଗକୁ ଏ ରାୟର ପୁନର୍ବିଚାର ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର। ଦିଲ୍ଲୀରେ ପ୍ରାୟ ୬ଲକ୍ଷ ବୁଲାକୁକୁର ଅଛନ୍ତି। ପ୍ରତି ବର୍ଷ ସାଢେ ୪ଲକ୍ଷ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ହେବ। କିନ୍ତୁ ଦିଲ୍ଲୀରେ ମାତ୍ର ୨୦ଟି ଷ୍ଟେରିଲାଇଜେସନ ସେଣ୍ଟର ଅଛି ଓ କୌଣସି କୁକୁର ଆଶ୍ରୟସ୍ଥଳ ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now