ତୁଷାରପାତ, କୁଆପଥର ମାଡରେ ହିମାଚଳ ପ୍ରଦେଶର ୧୨୧ ରାସ୍ତା ପ୍ରଭାବିତ

ସିମଲା: ହିମାଚଳ ପ୍ରଦେଶରେ ନିକଟରେ ହୋଇଥିବା ତୁଷାରପାତ ଓ କୁଆପଥର ମାଡରେ ରାଜ୍ୟର ବହୁ ଜିଲ୍ଲା ପ୍ରଭାବିତ ହୋଇଛି। ଉଚ୍ଚ ପର୍ବାତଞ୍ଚଳ ଲାହୁଲ-ସ୍ପିତି, କୁଲ୍ଲୁ, ସିମଲା, କିନୌର, ଚମ୍ବା ଆଦି ଜିଲ୍ଲାର ୧୨୧ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୧୧୩ ପାଣି ଯୋଗାଣ ପଏଣ୍ଟ ଠପ ହୋଇପଡିଛି। ରାଜ୍ୟର ୧୬୬ଟି ବିଦ୍ୟୁତ ଯୋଗାଣ ଷ୍ଟେସନ ପ୍ରଭାବିତ ହୋଇଥିବାରୁ ବହୁ ଅଞ୍ଚଳ ଅନ୍ଧାରରେ ବୁଡିଯାଇଥିବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଅପରାହ୍ନ ତିନିଟାରେ ତୁଷାର ପାତରେ ବରଫର ଧଳା ଚାଦରରେ ଆଚ୍ଛାଦିତ ହୋଇଯାଇଥିଲା ହିମାଚଳ ପ୍ରଦେଶର ରାଜଧାନୀ ସିମଲା। ଏହା ପରେ ୧୫ ମିନିଟ ଧରି କୁଆପଥର ମାଡ ହୋଇଥିଲା। ଫଳରେ ମାଲରୋଡ ଓ ରିଜର ରାସ୍ତା ବରଫରେ ଭରିଯାଇଥିଲା। ଅଚାନକ ଆସିଥିବା ଏପରି କୁଆପଥର ମାଡରେ ସେଠାକାର ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇପଡିଛି। ଏଥିସହ ସଂଜୌଲି ରାସ୍ତାରେ ଯାତାୟାତ ସମ୍ଭବ ହୋଇନ ଥିଲା। ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା ବହୁ ସଂଖ୍ୟକ ଯାନବାହନ।
ସ୍ଥିତିକୁ ଦେଖି ନଗର ନିଗମ ପକ୍ଷରୁ ରୋବଟ ପଠାଯାଇ ରାସ୍ତାରୁ ବରଫ ସଫା କାମ ଆରମ୍ଭ ହୋଇଥିଲା। ସିମଲା ପୁଲିସ ପକ୍ଷରୁ ଫେସବୁକ ପେଜରେ ଲୋକଙ୍କୁ କୁଆପଥର ମାଡକୁ ନେଇ ଚେତାବନୀ ଜାରି କରାଯାଇଛି। ଲୋକଙ୍କୁ ଗାଡି ଚଳାଉଥିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ତେବେ ଗତ କିଛି ଦିନ ହେବ ସିମଲାର ତାପମାତ୍ରା ଲଗାତର ବୃଦ୍ଧି ପାଉଥିଲା। ଏବେ ତୁଷାରପାତ ଓ କୁଆପଥର ମାଡ ପରେ ତାପମାତ୍ରା ଖସିଛି। ପୁଣି ସହରକୁ ଫେରିଛି ଥଣ୍ଡା ଓ ପର୍ଯ୍ୟଟକଙ୍କ ଭିତରେ ଖେଳିଯାଇଛି ଆନନ୍ଦ।