ରାଜନୀତି

ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ଓ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ବିଜେପି

ଭୁବନେଶ୍ୱର : ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ଓ ହଜାର ହଜାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ରାଜ୍ୟ ସରକାର ହତ୍ୟା କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସିର ୧୨ନଂ ୱାର୍ଡ ନୂଆପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ବର୍ଷାରେ ଶ୍ରେଣୀ ଗୃହରେ ପାଣି ଭରିଯିବାରୁ ଛାତ୍ରଛାତ୍ରୀମାନେ ଇଟା ଉପରେ ବସି ପାଠ ପଢ଼ୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।  କେବଳ ସୁବର୍ଣ୍ଣପୁରରେ ନୁହେଁ ବରଂ ଏଭଳି ସ୍ଥିତି ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପହଞ୍ଚିଛି । ୫-ଟି ରୂପାନ୍ତରଣ ନାମରେ ବିଦ୍ୟାଳୟଗୁଡିକୁ ବିଜେଡି ନେତା ଓ ଠିକାଦାରମାନଙ୍କର ‘ଟଙ୍କା ଲୁଟ୍‌’ର ମାଧ୍ୟମ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ।

ପୁରୀ ଜିଲ୍ଲା ବଳଙ୍ଗା ନୋଡାଲ ହାଇସ୍କୁଲକୁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ କିନ୍ତୁ ବର୍ଷେ ନପୁରୁଣୁ ଶ୍ରେଣୀଗୃହ ଛାତରୁ ପାଣିଗଳିବା, ସିଲିଂ ଖସିବା ସହ କାନ୍ଥ ଭୂଷୁଡି ପଡିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ବୁଗୁଡାର ମହାମାୟୀ ହାଇସ୍କୁଲରେ ନବମ ଶ୍ରେଣୀର ମୋଟ ୧୪୫ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି । ରାଜ୍ୟ ସରକାର ସର୍ବାଧିକ ରାଜସ୍ୱ ପାଉଥିବା କେନ୍ଦୁଝର ଜିଲ୍ଲା ବଡହଳ ସ୍ଥିତ ୫-ଟି ରୂପାନ୍ତରିତ ‘କଲେଜ ରୋଡ ହାଇସ୍କୁଲ’ରେ ୫୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ପିଲାମାନଙ୍କୁ ବିଜ୍ଞାନ, ଗଣିତ, ଇଂରାଜୀ ଇତ୍ୟାଦି ପାଠ ପଢାଉଥିବା ଘଟଣା ସାମ୍ନାକୁ ଆସିଛି । ଏହା କେଉଁ ପ୍ରକାରର ୫-ଟି ରୂପାନ୍ତରଣ ମଡେଲ ଶିକ୍ଷା ବ୍ୟବସ୍ଥା ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଚାଲିଥିବା ସାଙ୍ଘାତିକ ମିଛ ପଦାରେ ପଡିଛି ବୋଲି ପରିଡା କହିଛନ୍ତି ।

ଖାଲି ସେତିକି ନୁହେଁ ବିଜୁଳି ସଂଯୋଗ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୧୧୭୧୦, ଖେଳପଡିଆ ନଥିବା ବିଦ୍ୟାଳୟ ସଂଖ୍ୟା ୨୧୦୬୫, କମ୍ପ୍ୟୁଟର ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୪୧୯୯୬, ଆବଶ୍ୟକୀୟ ଶ୍ରେଣୀଗୃହ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୬୭୮୧ ଏବଂ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୬୦୧୧ । ନିଜେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବିଧାନସଭାରେ ଦେଇଥିବା ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ବର୍ଣ୍ଣନା କରୁଛି ବୋଲି ଶ୍ରୀ ପରିଡା କହିଛନ୍ତି । କେବଳ ରାଜଧାନୀ ଭୁବନେଶ୍ୱରରେ ଗତ ୮ବର୍ଷ ମଧ୍ୟରେ ୫୯ଟି ସରକାରୀ ସ୍କୁଲ ବନ୍ଦ ହେବା ଏବଂ ୨୦୦୦ମସିହାଠାରୁ ଭୁବନେଶ୍ୱରରେ ମାତ୍ର ୧୧ଟି ସରକାରୀ ବିଦ୍ୟାଳୟ ଖୋଲିଥିବା ବେଳେ ୨୦୩ଟି ଘରୋଇ ବିଦ୍ୟାଳୟ ଖୋଲିଛି । ପ୍ରାୟ ୪୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୫-ଟି ରୂପାନ୍ତରଣ କରିବା ପରେ ୟୁନିଟ୍‌-୨ ସ୍କୁଲ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତର କରିବା ଷଡଯନ୍ତ୍ର କାହା ସ୍ୱାର୍ଥରେ? ରାଜଧାନୀରେ  ମୂଲ୍ୟବାନ ଜମିକୁ ଡିଏନ ଗ୍ରୁପ ଭଳି ଘରୋଇ ସଂସ୍ଥାକୁ ଟେକି ଦେଇଥିବା ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପାଇଁ ଜମି ନଦେଇପାରିବା ସରକାରୀ ଆନ୍ତରିକତାର ଅଭାବକୁ ଦର୍ଶାଉଛି । ପୂର୍ବରୁ ବଡ ଅଫିସରମାନଙ୍କ ପାଇଁ ଗେଷ୍ଟ ହାଉସ ନିର୍ମାଣ ପାଇଁ ରାଜଧାନୀର ଏକ ସରକାରୀ ବିଦ୍ୟାଳୟ ଜମିକୁ ହାତେଇବା ପାଇଁ ଏକ ପ୍ରୟାସ କରି ସରକାର ନିନ୍ଦିତ ହୋଇଥିଲେ । ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଆଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ ଏବଂ ଗୁଣାତ୍ମକ ଶିକ୍ଷା ଓ ପ୍ରାଥମିକ ସ୍ତରରୁ ଭିତିଭୂମି ବିକାଶକୁ ଗୁରୁତ୍ୱ ଦିଅନ୍ତୁ ବୋଲି ପରିଡା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button