କୋର୍ଟଜାତୀୟରାଜନୀତି

ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଗଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ। ଦିଲ୍ଲୀ ମଦ କେଳେଙ୍କାରୀକୁ ନେଇ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଏହା ବିରୋଧରେ ଓ ସିବିଆଇର ଯାଞ୍ଚ ପ୍ରକ୍ରିୟାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିସୋଦିଆ। ସିସୋଦିଆଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଙ୍ଘବି ଯାଚିକା ଦାୟର ପୂର୍ବକ ଏହାର ତ୍ବରିତ୍ ଶୁଣାଣି ପାଇଁ ଦାବି କରିଛନ୍ତି। ସେପଟେ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓକିଲଙ୍କ କଥା ଶୁଣାବା ପରେ ଏହି ମାମଲାରେ ହାଇକୋର୍ଟ ନ ଯାଇ କାହିଁ ସିଧା ସୁପ୍ରିମକୋର୍ଟକୁ ଆସିଛନ୍ତି ପଚାରିବାରୁ ସିଙ୍ଘବି ବିନୋଦ ଦୁଆ ମାମଲାରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଆଜି ଅପରାହ୍ନ ୩.୫୦ରେ ଏହି ମାମଲା କରିବାକୁ ସିଜେଆଇ କହିଛନ୍ତି।

ମନୀଷଙ୍କ ଗିରଫଦାରୀକୁ ନେଇ ସେ କହିଛନ୍ତି, ସିବିଆଇ ଯାଞ୍ଚରେ ସମସ୍ତ ପ୍ରକାରର ସହଯୋଗ ସତ୍ତ୍ବେ ତାଙ୍କୁ କାହିଁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ, ରବିବାର ଦିନ ସିସୋଦିଆ ସିବିଆଇ ସମନ ମୁତାବକ ଜେରା ପାଇଁ ସିବିଆଇ ଅଫିସରେ ପହଞ୍ଚିଥିଲେ। ଦୀର୍ଘ ୮ ଘଣ୍ଟା ଧରି ସିବିଆଇ ଗୁଡେଇ ତୁଡେଇ ସିସୋଦିଆଙ୍କ ପ୍ରଶ୍ନ କରିବା ପରେ ରାତିରେ ତାଙ୍କୁ ଗିରଫ କରି ନେଇଥିଲା। ଏନେଇ ସିବିଆଇ ପକ୍ଷରୁ କୁହାଯାଇଥିଲା କି, ସିସୋଦିଆଙ୍କୁ ପଚରା ଯାଉଥିବା ପ୍ରଶ୍ନର ସେ ଉତ୍ତର ଦେଇ ନ ଥିଲେ। ଏହା ବ୍ୟତୀତ, ନୂଆ ମଦ ନୀତି ଆଣିଥିଲେ ମଧ୍ୟ ଏନେଇ କୌଣସି ରେକର୍ଡ ବା ଫାଇଲ ମିଳି ପାରି ନାହିଁ।

ସେହିପରି ନୂଆ ମଦ ନୀତିକୁ ନେଇ ହୋଇଥିବା ଡ୍ରାପ୍ଟ ବାହାରୁ ହୋଇ ହ୍ବାଟ୍ସ ଆପ ଜରିଆରେ ଆସିଥିଲା। ଏନେଇ ଜଣେ ପୂର୍ବତନ ଅଧିକାରୀଙ୍କୁ ଜେରା କରାଯାଇ ତଥ୍ୟ ସିବିଆଇ ସଂଗ୍ରହ କରିଥିଲା। ସେହିପରି ଗତ ବର୍ଷ ସିସୋଦିଆଙ୍କ ଏକ ଡିଜିଟାଲ ଡିଭାଇସ ସିବିଆଇ ସିଜ କରିଥିଲେ ମଧ୍ୟ ସେଥିରେ ସମସ୍ତ ତଥ୍ୟ ଡିଲିଟ ହୋଇଛି, ଯାହାକୁ ରିକଭର କରିବାକୁ ସିବିଆଇ ଫରେନ୍ସିକ ଟିମ ଚେଷ୍ଟା ଚଳାଇଛି।

ମାମଲାରେ ସୋମବାର ବିଶେଷ ଅଦାଲତ ପାଞ୍ଚ ଦିନ ପାଇଁ  ସିବିଆଇ କଷ୍ଟୋଡିକୁ ସିସୋଦିଆଙ୍କୁ ପଠାଇ ଦେଇଛି। 

Related Articles

Leave a Reply

Your email address will not be published.

Back to top button